ଯାଜପୁର ଜିଲ୍ଲା ଦୌରା ଜଜ୍ଙ୍କ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ
ଯାଜପୁର (ଯୁଗାବ୍ଦ ନ୍ୟୁଜ୍):ର୍ବାଚନୀ ମାମଲାରେ ଏହି ଜିଲ୍ଲାର ୩୩ ନମ୍ବର ଜୋନରୁ ନିର୍ବାଚିତ ବିଜେଡ଼ି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ଜିଲ୍ଲା ଦୌରା ଜଜ୍ ରଦ୍ଦ କରିଛନ୍ତି । ତିନି ସନ୍ତାନର ଜନନୀ ହୋଇଥିବାରୁ ଶ୍ରୀମତୀ ରାଉତଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣାକରିବା ସହ ସଂପୃକ୍ତ ଜୋନ୍ର ସଭ୍ୟପଦ ପୂରଣ ପାଇଁ ପୁନଃ ନିର୍ବାଚନ କରିବାକୁ ରାୟରେ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖ ଦିନ ଏହି ରାୟ ପ୍ରକାଶ ପାଇଥିଲେ ମଧ୍ୟ ଆଜି ଏହାକୁ ବିଧିବଦ୍ଧ ଭାବରେ ଉନ୍ମୁକ୍ତ କରାଯାଇଛି । ଝରଣାଙ୍କ ସହ ବିଜେପି ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟଶ୍ରୀ ସାହୁଙ୍କ ପକ୍ଷରୁ ଦାୟର ଇଲେକସନ୍ କେସ୍ ନଂ-୩/୨୦୧୭ରେ ଏହି ରାୟ ଶୁଣାଇଛନ୍ତି ଅଦାଲତ । ପ୍ରକାଶ ଥାଉ କି ବିଜେଡ଼ି ପ୍ରାର୍ଥୀ ଭାବରେ ଝରଣା ତାଙ୍କର ନାମାଙ୍କନପତ୍ରରେ ସତ୍ୟ ଘୋଡ଼ାଇଥିବା ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଯାଜପୁର ଉପ-ଜିଲ୍ଲାପାଳଙ୍କ ନିକଟରେ ତା. ୧୮.୦୧.୨୦୧୭ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଇନାନୁମୋଦିତ ପଦକ୍ଷେପ ନନେଇ ତାଙ୍କର ପ୍ରାର୍ଥୀପତ୍ର କାଏମ ରଖିଥିଲେ । ୨୧.୦୧.୨୦୧୭ରେ ନିର୍ବାଚନ ହୋଇଥିଲା ଏବଂ ଝରଣା ରାଉତ ସର୍ବାଧିକ ଭୋଟ ପାଇ ବିଜୟ ହୋଇଥିଲେ । ତେଣୁ ଓଡ଼ିଶା ଜିଲ୍ଲା ପରିଷଦ ଆଇନ ଅନୁଯାୟୀ ଝରଣାଙ୍କ ସଭ୍ୟପଦ ରଦ୍ଦ ପାଇଁ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଜୟଶ୍ରୀ ସାହୁ ଏବଂ କଂଗ୍ରେସ ପ୍ରାର୍ଥୀ ରୀତା ମିଶ୍ର ଯାଜପୁର ଜିଳ୍ଲା ଦୌରା ଜଜ୍ଙ୍କ ଅଦାଲତରେ ତା. ୧୦.୦୩.୨୦୧୭ରେ ଦୁଇଟି ମାମଲା ଦାୟର କରିଥିଲେ । ତେବେ ମନୋନୟନପତ୍ର ଯାଞ୍ଚବେଳେ ପ୍ରାର୍ଥୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରାଯାଇ ସତ୍ୟ ସ୍ପଷ୍ଟକରାଯିବା ନିର୍ବାଚନ ଅଧିକାରୀଙ୍କର କ୍ଷମତା ପରିସରଭୁକ୍ତ ହୋଇଥିଲେ ମଧ୍ୟ ଏ କ୍ଷେତ୍ରରେ ତାଙ୍କର ନିରବତାକୁ ଅଦାଲତ ନାପସନ୍ଦ କରିଛନ୍ତିା ଶ୍ରୀମତୀ ରାଉତ ତାଙ୍କର ଦ୍ୱିତୀୟ କନ୍ୟାକୁ ଅନ୍ୟର କନ୍ୟା ବୋଲି ଦର୍ଶାଇଥିବାର ପ୍ରମାଣ ଅଦାଲତ ପାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରୁଛନ୍ତି ବୋଲି ରାୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ମାମଲାର ବିଚାରବେଳେ ଜୟଶ୍ରୀଙ୍କ ପକ୍ଷରୁ ଦାଖଲ ୨୮ଟି ପ୍ରମାଣଯୋଗ୍ୟ ଦଲିଲ ଅଦାଲତ ଗ୍ରହଣ କରିବା ସହ ୧୧ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିବାବେଳେ ପ୍ରତିପକ୍ଷ ଝରଣାଙ୍କ ପକ୍ଷରୁ ୩ଟି ଦଲିଲ ଓ ତିନି ସାକ୍ଷୀଙ୍କର ବୟାନ ଲିପିବଦ୍ଧ କରିଥିଲେ । ସମସ୍ତ ତଥ୍ୟପ୍ରମାଣକୁ ଓ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଜିଲ୍ଲା ଦୌରାଜଜ୍ ତାଙ୍କର ତୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଉଲ୍ଲେଖନୀୟ ଯେ, ଝରଣା ଏବଂ ତାଙ୍କର ସ୍ୱାମୀ ଅଦୈତ ରାଉତ ସେମାନଙ୍କ ଜନ୍ମିତ କନ୍ୟାର ଅଭିଭାବକତ୍ୱ ନିଜ ବଡ଼ବାପାଙ୍କ ପୁଅ ଅରୁଣ ରାଉତ ଓ ତାଙ୍କର ପତ୍ନୀ ସୁବାସିନୀ ପହିଙ୍କ ନାଁରେ ଦୀର୍ଘ ୮ ବର୍ଷ ତଳେ ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ରର ଜନ୍ମ ପଞ୍ଜିକରଣ ରେଜିଷ୍ଟ୍ରରରେ ପଞ୍ଜୀକୃତ କରାଇବାରେ ସଫଳ ହୋଇଥିଲେ । ଉଭୟ ଅରୁଣ ଓ ତାଙ୍କ ପତ୍ନୀ ସୁବାସିନୀ ସରକାରୀ କର୍ମଚାରୀ । ଅରୁଣ ରସୁଲପୁର ବ୍ଲକର ଖଇରାବାଦସ୍ଥ ଉପେନ୍ଦ୍ରନାଥ ଶାରଦା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଅଧ୍ୟାପକ ଏବଂ ତାଙ୍କର ପତ୍ନୀ ସୁବାସିନୀ କେରାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବିକା ଭାବରେ ଅବସ୍ଥାପିତ । ଚାକିରି ସର୍ତ୍ତାବଳୀ ଅନୁସାରେ ସୁବାସିନୀ ତାଙ୍କର ସେବା ପୁସ୍ତିକାରେ ସେ ଓ ଅରୁଣ ଦୁଇ କନ୍ୟା ସନ୍ତାନ ପିତାମାତା ବୋଲି ଦର୍ଶାଇଛନ୍ତି । ତେଣୁ ସେମାନଙ୍କ ଅଜ୍ଞାତରେ ତୃତୀୟ କନ୍ୟା ସନ୍ତାନର ପିତାମାତା ଭାବରେ ସେମାନଙ୍କର ନାମ ସରକାରୀ ଦସ୍ତାବିଜ୍ରେ ଦରଜ କରାଯିବା ଏକ ଜଘନ୍ୟ ଅପରାଧ । ଏ ସମ୍ପର୍କରେ ଜାଣିବା ପରେ ସେହି ନିଷ୍ପାପ କନ୍ୟା ସନ୍ତାନର ଅଭିଭାବକତ୍ୱ ନେଇ ମଧ୍ୟ ଏବେ ଦ୍ୱନ୍ଦ୍ୱ ଉପୁଜିବା ସ୍ୱାଭାବିକ । ୨୦୧୭ ମସିହାରେ ସେହି କନ୍ୟାଟି ହାଇସ୍କୁଲରେ ପଢ଼ୁଥିବା ସମୟରେ ଅରୁଣ ଓ ସୁବାସିନୀ ଯାଜପୁରରେ ନୋଟାରୀଙ୍କ ପାଖରେ ସତ୍ୟପାଠ କରି କନ୍ୟାର ଅଭିବାବକତ୍ୱ ସଂଶୋଧନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସତ୍ୟପାଠ ସଂଯୁକ୍ତ ପତ୍ର ଲେଖିଥିଲେ; କିନ୍ତୁ ସଂପୃକ୍ତ ଅଧିକାରୀ ବି କୌଣସି ପଦକ୍ଷେପ ନେଲେ ନାହିଁ । ଦୀର୍ଘ ୮ ବର୍ଷ ପୂର୍ବରୁ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଅତି ଯୋଜନାବଦ୍ଧ ଭାବରେ ଏପରି ଜାଲିୟାତି ହୋଇଥିବା ଏବେ ସ୍ପଷ୍ଟ ହୋଇଯାଇଛି । ଆହୁରି ଉଦ୍ବେଗଜନକ ପ୍ରସଙ୍ଗଟି ହେଉଛି ଝରଣାଙ୍କୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ମନୋନୟନ କରାଯିବା ଅବ୍ୟବହିତରେ ସ୍ଥାନୀୟ ଦଳୀୟ କର୍ମୀମାନେ ତତ୍କାଳୀନ କୋରେଇ ବିଧାୟକ ଆକାଶ ଦାସନାୟକଙ୍କୁ ‘ସେ ତିନି ସନ୍ତାନର ଜନନୀ ଓ ଦଳ ଏଥି ପାଇଁ ଆଗକୁ ଅସୁବିଧାରେ ପଡ଼ିପାରେ ବୋଲି’ ଚେତାଇ ଦେଇଥିଲେ ମଧ୍ୟ ସେ ଏହାକୁ ଭ୍ରୂକ୍ଷେପ କରିନଥିଲେ । ଝରଣାଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଜିଲ୍ଳା ଦୌରା ଜଜ୍ଙ୍କ ରାୟ ପରେ ଯାଜପୁରରେ ଶାସକ ବିଜୁ ଜନତା ଦଳ ପାଇଁ ଅଡ଼ୁଆ ବଢ଼ିଯାଇଛି ଓ ଦଳ ପୁଣି ନିର୍ବାଚନର ସମ୍ମୁଖୀନ ହବା ଏକପ୍ରକାର ସ୍ପଷ୍ଟ ହେଉଛି ।