ଯାତ୍ରୀବାହୀ ଅଟୋ ଧକ୍କାରେ ୪ ବାଇକ୍ ଭାଙ୍ଗିଲା, ଅଟୋ ଜବତ : ଚାଳକ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ପନିପରିବା ବଜାର ମଧ୍ୟରେ ଏକ ଯାତ୍ରୀବାହୀ ଅଟୋ (ଓଆର୦୭ୟୁ ୩୦୨୨)ଧକ୍କାରେ ୪ଟି ମୋଟର ସାଇକେଲ ଭାଙ୍ଗିଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ଅଟୋକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ଗିରଫ ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚାଳନା କରୁଥିବା ପରୀକ୍ଷାରୁ ଜଣାପଡିଛି। ଗିରଫ ଅଟୋ ଚାଳକ ଜଣଙ୍କ ହେଲେ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମର ପ୍ରଭାକର ଗୈାଡ (୩୨) । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସଆଇ ସୁରେଶ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ଚାଳକ ଜଣଙ୍କ କାଞ୍ଜିଆମା ଗ୍ରାମର ଜଣେ ରୋଗୀଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଗ୍ରାମକୁ ଫେରୁଥିଲେ। ହିଞ୍ଜିଳିକାଟୁ ପରିବା ବଜାର ପରିସରରେ ଚାଳକ ଜଣଙ୍କ ମଦ ନିଶାରେ ଚୁର ହୋଇ ପରିବା ବଜାର ପ୍ବାର୍ଶ୍ବରେ ଥିବା ୪ଟି ବାଇକକୁ ଧକ୍କା ଦେଇଥିଲେ। ଦୂର୍ଘଟଣାରେ ବାଇକ୍ ଗୁଡିକ ଭାଙ୍ଗି ଯାଇଥିଲା ।