ଯୁକ୍ତି ଆଉ ଅଯଥା ଯୁକ୍ତି

ଦିପ୍ତିମୟୀ ନାୟକ
ପ୍ରତ୍ୟେକଟି କଥାରେ ଯୁକ୍ତି ରହିଛି ଆଉ ପ୍ରତ୍ୟେକଟି କଥାରେ ଵି ଅଯଥା ଯୁକ୍ତି ରହିଛି କିନ୍ତୁ ଆଜିର ମଣିଷ ଅଯଥା ଯୁକ୍ତିରେ ଟିକେ ଅଯଥା ମୁଣ୍ଡ ଖେଳାଉଛି | ଯେଉଁ ଯୁକ୍ତି କଲେ ତାକୁ କିଛି ଲାଭ ମିଳିବନି କିନ୍ତୁ ସେ ଜାଣି ଜାଣି ସେହି ଯୁକ୍ତି କରେ | ଆଗରେ ସିନା କହିଦିଏ ଆଜ୍ଞା ଆମେ ମୂର୍ଖ ଲୋକ | ହେଲେ ସେ ତା ଭିତରେ ସେ ନିଜକୁ ମହାନ ଜ୍ଞାନୀ ବୋଲି ମନେ କରୁଥାଏ | ଯେମିତିକି ତା ଯୁକ୍ତିରେ ଅନ୍ୟ ଜଣକ ପଛେ ହାରିଯିବ କିନ୍ତୁ ସେ କେବେ ହାରିବନି | ହେଲେ ଏମିତି ଗାଲୁଆ ଲୋକମାନଙ୍କୁ ଆମେ କଣ କହିବା କେମିତି ଆମେ ଆମକୁ ଠିକ ବୋଲି ପ୍ରମାଣିତ କରିବା | ତେବେ ହଁ ଗାଲୁଆ ଲୋକଙ୍କ କଥାରେ ଆଉ କିଛି ଜଣ ମହାନ ଗାଲୁଆ ଲୋକ ଥାଆନ୍ତି ଯାହାଫଳରେ ସେମାନେ ସେମାନଙ୍କୁ ବହୁତ ସମର୍ଥନ କରୁଥାନ୍ତି | ସେମାନେ ଯାହା ଗାଲୁଆମୀ କରିବେ ଅନ୍ୟମାନେ ତାକୁ ସହମତି କରିବେ | ତେବେ ସବୁ କଥାକୁ ନେଇ ବେସି ଚିନ୍ତା କରିବା କୌଣସି ଆବଶ୍ୟକ ନାହିଁ | ଯଦି ଆପଣ ଠିକ ତେବେ କାହାକୁ ପ୍ରମାଣ ଦେବା ଦରକାର ନାହିଁ | କି ଚୁପ ରହିବା ଦରକାର ନାହିଁ କାରଣ ଯଦି ତୁମେ ଚୁପ ରହିବ ଏମାନେ ତମକୁ ତାଙ୍କ ଗାଲୁଆମୀରେ ଗିଳି ଦେଵେ |
ଆଜିର ଦିନରେ ନିଜକୁ ଉଚ୍ଚଶିକ୍ଷିତ କହି ବୁଲାଉଥିବା ମଣିଷ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ ବଢିଆ ଆଉ ଲମ୍ବା ଲମ୍ବା ଭାଷଣ ଦିଅନ୍ତି | ଆଉ ବେଳେବେଳେ ଝଗଡା ମଧ୍ୟ ହୁଅନ୍ତି | ଆଉ କିଛି ଶକୁନି ଦଳ ଏଥିରେ ଖୁବ ଭଲ ଭାବରେ ମଜା ନିଅନ୍ତି କାରଣ ସେମାନଙ୍କୁ ଵି ଗୋଟେ ଗୋଟେ ମଜେଦାର ପୋଷ୍ଟ ମିଳିଯାଉଛି ଅଯଥା ଯୁକ୍ତି କରିବାକୁ | ଯଦି ଅଯଥା ଯୁକ୍ତି କରିବାର ଅଛି ମିମ୍ସ ଗୁଡାକ ଆସୁଛି ସେଥିରେ ଥଟ୍ଟା ମଜା ଲାଗି ଅଯଥା ଯୁକ୍ତି କରୁନ କିଏ ମନା କରୁଛି | ତେବେ ଏମାନଙ୍କୁ ଗୋଟିଏ କଥା ଯେଉଁଠି ଯୁକ୍ତି କରିବାର କଥା ସେଠି କିଛି ଯୁକ୍ତି କରିବେନି କିନ୍ତୁ ଯେଉଁଠି ଯୁକ୍ତି ନ କରିବା କଥା କେବଳ ନିଜର ମତ ରଖିବା କଥା ସେଠି ଖାଲି ଏମାନେ ଅଯଥା ଯୁକ୍ତି କରିବେ | ଯେମିତି କୁହନ୍ତିନି ଯେଉଁଠି ଯୁକ୍ତି କରିବା କଥା ସେଠି କିଛି ନାହିଁ ଅଯଥା ଯୁକ୍ତିରେ ମୁଣ୍ଡକୁ ବୁଦ୍ଧି ଆସୁଥାଏ ଧାଇଁ ଧାଇଁ |
ତେବେ କେହି କେହି କହିବେ ଯୁକ୍ତି ଆଉ ଅଯଥା ଯୁକ୍ତି କେବଳ ସୋସିଆଲ ମିଡିଆରେ ହେଉଛି କି | ତେବେ ଶୁଣନ୍ତୁ ଯୁକ୍ତି କରିବାର ଅଛି ତ ଯୁକ୍ତିଯୁକ୍ତ ପ୍ରସଙ୍ଗକୁ ନେଇ ଆଲୋଚନା କରନ୍ତୁ କିନ୍ତୁ ଅଯଥା ଯୁକ୍ତିକୁ ନେଇ ଏତେ ଆଲୋଚନା ନ କରନ୍ତୁ | ଯୁକ୍ତି ଆଉ ଅଯଥା ଯୁକ୍ତି ସବୁଠି ହୁଏ କିନ୍ତୁ ଆଜିର ଦିନରେ ଅଯଥା ଯୁକ୍ତି ଜିତିଯାଏ ଆଉ ଯୁକ୍ତିଯୁକ୍ତ ପ୍ରସଙ୍ଗଟି ଲୁଚିଯାଏ | କେବଳ ସୋସିଆଲ ମିଡ଼ିଆ ମାଧ୍ୟମରେ ନୁହେଁ ଘରେ, ବାହାରେ, ଅଫିସରେ, ବିଭିନ୍ନ କର୍ମ ସଂସ୍ଥାନରେ, ସାଙ୍ଗସାଥି ମଧ୍ୟରେ, ଗୁରୁଜନଙ୍କ ସହ, ପାରିବାରିବ ବିବାଦରେ, ଦେଶ ବିଦେଶ ଖବର ଜାଣିବାରେ ସବୁଥିରେ ଯୁକ୍ତି ଥାଏ କିନ୍ତୁ ସେ ଯୁକ୍ତିଟା ସେତେ ପ୍ରଭାବ ପକାଏନି | ଆଉ ଯେତେବେଳେ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁକ୍ତିଟା ଦିନକୁ ଦିନ ବଢ଼ି ଚାଲେ ସେତେବେଳେ ସେ ଯୁକ୍ତି ଗୁଡାକ କିଛି ଦିନ ପରେ ଅଯଥା ଯୁକ୍ତି ପରି ଲାଗେ | ଆଉ ଲୋକମାନେ ମଧ୍ୟ କୁହନ୍ତି | ହେଟ୍ କଣ ମିଳୁଛି ଏଥିରୁ ଆଉ କିଛି ଲୋକ ତ ଅଯଥା ଯୁକ୍ତି ଏମିତି କରନ୍ତି ନିଜ ନିଜ ମଧ୍ୟରେ ସତେଯେମିତି ସେମାନେ ଅତ୍ୟଧିକ ରାଗି ଯାଇ ଭୁଲରେ ଅଭଦ୍ର ଅସଭ୍ୟ ଭାଷା ମଧ୍ୟ କହିଦିଅନ୍ତି ଯେଉଁଟା ଶୁଣିଲେ ବହୁତ ଖରାପ ଲାଗେ | କାରଣ ଏମାନେ ଯେତେବେଳେ ନିଜ ଅଯଥା ଯୁକ୍ତିରୁ ହାରି ଯାଆନ୍ତି ସେତେବେଳେ ଏମାନେ ଏମିତି ନିଜ ଅସଲ ରୂପ ଦେଖାନ୍ତି କାଳେ ଏମାନଙ୍କ ଏହି ଅଭାଦ୍ରାମୀ ଦେଖି ଅନ୍ୟ ଜଣକ ତା କଥାରୁ ଓହରି ଯିବ | ତେବେ ହଁ ଯେଉଁଟା ସତ ସେଟା ସତ ତେଣୁ ସତଟାକୁ ଯିଏ ଯେତେ ଲୁଚେଇବାକୁ ଚାହିଁବ ସେ ସତ ଆପେ ଆପେ ଦିନେ ନା ଦିନେ ସର୍ବସାମ୍ମୁଖରେ ଆସିବ | ତେବେ ଏତେ ବ୍ୟସ୍ତ କାହିଁକି ନିଜ ନିଜ ଭିତରେ ଏତେ ଅଯଥା ଯୁକ୍ତି କାହିଁକି |ସମୟକୁ ଅପେକ୍ଷା କଲେ କିଛି ମିଳେନି ବରଂ ଯେପର୍ଯ୍ୟନ୍ତ ନିଜ ପାଖରେ ସମୟ ଅଛି ଅସଲ ସତଟା କଣ ଜାଣିବାକୁ ଚେଷ୍ଟା କରନ୍ତୁ | ସମସ୍ତେ ଜ୍ଞାନୀ ତେଣୁ କାହାକୁ ଅଜ୍ଞାନୀ ଭାବି ନିଜ କଥାକୁ ଅନ୍ୟ ଜଣକୁ ମାନି ନେବାକୁ କେବେ ବାଧ୍ୟ କରାନ୍ତୁନି | କାରଣ ଆଜିର ମଣିଷ ବାସ୍ତବ ସତ ଆଉ ଅବାସ୍ତବ ମିଛ ଭିତରେ କିଛିଟା ଫରକ ଦେଖିପାରେ ଆଉ ତାକୁ ବିରୋଧ ମଧ୍ୟ କରିପାରେ | ଯେଉଁଠି ସତ କହି ମଣିଷକୁ ଦୋଷୀ ହେବାକୁ ଅପନିନ୍ଦା ସହିବାକୁ ପଡେ ସେତେବେଳେ ଦୁଃଖ ନିଶ୍ଚୟ ଲାଗେ ତେବେ ଏଥିରେ ଦୁଃଖୀ ହେବାର କୌଣସି କଥା ନାହିଁ | ସବୁବେଳେ ନିଜକୁ ସେହିଭଳି ତିଆରି କରନ୍ତୁ ଯେଉଁଭଳି ତୁମକୁ ଅନ୍ୟମାନେ ଦେଖିବାକୁ ଚାଁହୁଛନ୍ତି | ଆଜିକାଲି ନିଜ ହିସାବରେ ନିଜେ ରହିଲେ କିଛି ହୁଏନି | ବେଳେବେଳେ ଅନ୍ୟ ମାନଙ୍କ ହିସାବରେ ମଧ୍ୟ ଚଳିବାକୁ ପଡେ | ତେବେ ତୁମେ ନିଜକୁ ଏମିତି ଗଢ଼ ଯେମିତି ତୁମ ସହ ଯିଏ ଅଯଥା ଯୁକ୍ତି କରିବାକୁ ଆସିବ ଦଶ ଥର ଭାବିବ |
ତେଣୁ ଆପଣଙ୍କ ସହ ଯଦି କେହି କେବେ ଅଯଥା ଯୁକ୍ତି କରୁଛନ୍ତି ତେବେ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ | ଅଯଥା ଯୁକ୍ତିଟା କେବେ କାହା ସହ କରନ୍ତୁନି | ପ୍ରତ୍ୟେକ ଲୋକ ନିଜ ଶାଳୀନତା ଭିତରେ ଯୁକ୍ତି କରିବା କଥା ଆଉ ଯିଏ ନିଜ ଶାଳୀନତା ଭୁଲିଯାଏ ସେ ଅଶ୍ଳୀଳ କଥା କହି ନିଜ କଥାକୁ ଠିକ ବୋଲି ପ୍ରମାଣିତ କରିବାକୁ ଚାହୁଁଥାଏ | ଅଂଜ୍ଞ ହୋଇ ବିଜ୍ଞଙ୍କ ଭଳି କଥା କହିଲେ କିଛି ହୁଏନି ବରଂ ଅଂଜ୍ଞ ବିଜ୍ଞଙ୍କ ଠାରୁ ଶିଖନ୍ତି ଆଉ ବିଜ୍ଞ ଅଂଜ୍ଞଙ୍କର ଠାରୁ ଶିଖନ୍ତି | ପ୍ରତ୍ୟେକ ସମୟରେ ନିଜ କଥା କହିବାର ଶୈଳୀଙ୍କୁ ଆକର୍ଷିତ କଲାଭଳି ରଖନ୍ତୁ ଅଯଥା ଯୁକ୍ତି ଠାରୁ ଦୂରେଇ ରୁହନ୍ତୁ କାରଣ ଏହି ଅଯଥା ଯୁକ୍ତିରେ ସମ୍ମାନ ଯାଏ ଆଉ ଭଲରେ ଭଲ ଯୁକ୍ତି କଲେ ଲୋକଙ୍କ ନଜର ଲୋକଙ୍କ ଉପରେ ଥାଏ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ