ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ୬୪ଟି ଅଭିଯୋଗ ପଂଜିକୃତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଜିଲ୍ଲାପାଳ ପାରୁଲ ପଟାୱାରୀ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୬୪ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୮ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୫୬ଟି ରହିଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ଆବାସ ଯୋଜନା ନିମନ୍ତେ ୧ଟି, ଜମିଜମା ସମସ୍ୟା ୮ଟି, ରେସନ କାର୍ଡ ସମସ୍ୟା ସଂପର୍କୀୟ ୩ଟି, ଭତା ସଂପର୍କୀୟ ୧୩ଟି, ରେଡକ୍ରସ ସଂପର୍କିତ ୧ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତା ସଂର୍ପକୀୟ ୧ଟି ଏବଂ ଅନ୍ୟାନ୍ୟ ୨୧ଟି ଅଭିଯୋଗ ଶୁଣାଣି କରାଯାଇଥିଲା । ୮ଟି ଅଭିଯୋଗ ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଏହି ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ସହିତ ଆରକ୍ଷୀ ଅଧିକ୍ଷକ ରାହୁଲ ପି. ଆର୍, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ତହସିଲଦାର ଏସ.କେ ସାଗିର, ଭାରାପ୍ରାପ୍ତ ବିଡିଓ ତଥା ଏବିଡିଓ ଦେବେନ୍ଦ୍ର ପ୍ରଧାନ, ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ । ଜିଲ୍ଲା ଅଭିଯୋଗ ଅଧିକାରୀ ବିଜୟାଲକ୍ଷ୍ମୀ ନାୟକ ଶିବିର ପରିଚାଳନା କରିଥିଲେ ।