‘ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ -ପାଲେଷ୍ଟାଇନ୍‌କୁ ମୁକ୍ତ କର’ ଶୀର୍ଷକରେ ଆଲୋଚନା ଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା):‘ପାଲେଷ୍ଟାଇନ୍‌କୁ ମୁକ୍ତ କର, ଯୁଦ୍ଧ ନୁହେଁ, ଶାନ୍ତି ଚାହୁଁ, ଇସ୍ରାଏଲ୍‌ର ଆକ୍ରମଣ ବନ୍ଦ କର ।’ ଦାବିରେ ଆଜି ଅପରାହ୍ନ ୪ଟାରେ ଫାଣ୍ଡିଛକ ଠାରୁ ଏକ ଗଣ ପଟୁଆର ବାହାରି ହୋଟେଲ୍ ଫାଣ୍ଟାସୀ ପାଖରେ ସମବେତ ହୋଇଥିଲା । ଆଜିର ଏହି ଆଲୋଚନା ସଭାରେ କଂଗ୍ରେସର ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରି ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି କହିଥିଲେ ଯେ, ଆଜି ଯେଉଁ ଆମେରିକା ଏବଂ ଇସ୍ରାଏଲ୍ ହାମାସ୍‌କୁ ସନ୍ତ୍ରାସବାଦୀ କହୁଛନ୍ତି ସେମାନେ ଏହି ସଂଗଠନକୁ ପାଲେଷ୍ଟାଇନ୍ ମୁକ୍ତି ସଂଗଠନ ବିରୋଧରେ ଲଢ଼େଇ କରିବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଗାଜାର ଶାସକ ଗୋଷ୍ଠୀ ନିଜର ପିତୃଭୂମିକୁ ରକ୍ଷା କରିବା ପାଇଁ ହାମାସ୍ ଆଜି ଲଢ଼େଇ କରୁଛି । ମିଳିତ ଜାତିସଂଘ ହାମାସ୍‌କୁ ସନ୍ତ୍ରାସବାଦୀ ସଂଗଠନ ବୋଲି ଘୋଷଣା କରିନାହିଁ । ଗାଜାକୁ ଇସ୍ରାଏଲ୍ ଘେରି ରହିଛନ୍ତି । ଗାଜାରେ ବନ୍ଦର ନାହିଁକି ଏୟାରପୋର୍ଟ ମଧ୍ୟ ନାହିଁ । ଗାଜାକୁ ଇଜିପ୍ଟ ଦେଶରୁ ଖାଦ୍ୟ, ପାଣି ଆଣିବାକୁ ପଡ଼ୁଛି । ଆମେରିକାର ଅସ୍ତ୍ରଶସ୍ତ୍ର ବିକ୍ରି କରିବା ପାଇଁ ଏ ପ୍ରକାର ଯୁଦ୍ଧ ଲଗାଇ ଚାଲିଛି । ଏହି ସମୟ ମଧ୍ୟରେ ପ୍ରାୟ ୨୦ ହଜାର ପାଲେଷ୍ଟାଇନ୍ ମୃତ୍ୟୁବରଣ କରିଛନ୍ତି । ଶ୍ରୀ ପତି କହିଥିଲେ ଯେ, ଆଜି ଇସ୍ରାଏଲ୍‌, ଆମେରିକା, ଜର୍ମାନ୍‌, ଫ୍ରାନ୍ସ ଏବଂ ଇଂଲଣ୍ଡରେ ଲକ୍ଷଲକ୍ଷ ଲୋକ ପାଲେଷ୍ଟାଇନ୍ ସପକ୍ଷରେ ବିଶାଳ ବିଶାଳ ସମାବେଶ କରୁଛନ୍ତି । ଆମ ଦେଶର ବୈଦିଶିକ ନୀତି ଗୋଷ୍ଠୀ ନିରପେକ୍ଷ ଥିଲା ଏବଂ ପାଲେଷ୍ଟାଇନ୍‌କୁ ଏକ ରାଷ୍ଟ୍ର ଭାବେ ଘୋଷଣା ସପକ୍ଷରେ ଥିଲା । କିନ୍ତୁ ମୋଦୀଙ୍କ ନେତୃତ୍ୱରେ ସରକାର ଆସିଲା ପରେ କେନ୍ଦ୍ର ସରକାର ଆମେରିକାର ସପକ୍ଷବାଦୀ ହୋଇଛି । ମୋଦୀ ଏବେ ନେତନ୍ୟାହୁ ଏବଂ ବାଇଡେନ୍‌ଙ୍କର ବନ୍ଧୁ ସାଜିଛନ୍ତି । ଶ୍ରୀ ପତି ଆହୁରି କହିଥିଲେ ଯେ, ଏବେ ଉଚ୍ଚ ନ୍ୟାୟାଳୟ ଓ ରାଷ୍ଟ୍ରପତି ଗୋଟିଏ ରାଜ୍ୟକୁ ଭାଙ୍ଗି ଦେଇ ପାରିବା ଅଧିକାରକୁ ଗ୍ରହଣ କରିବା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଏକ ଶକ୍ତ ଆଘାତ ଦେଇଛି । ହିଟଲର ଏବଂ ମୁସୋଲିନିଙ୍କ ସମୟରେ ୟୁରୋପୀୟ ଦେଶରେ ଫାସୀବାଦ ମୁଣ୍ଡ ଟେକିଥିଲା । ଆଜି ମଧ୍ୟ ଏହି ଶକ୍ତିର ଅଭ୍ୟୁଦୟ ଘଟିଛି । ଜାତିସଂଘର ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରସ୍ତାବକୁ କେହି ଶୁଣୁ ନାହାନ୍ତି । ମାନବ ଜାତି ପ୍ରତି ଏହା ଏକ ବିପଦ ସୃଷ୍ଟି କରିଛି । ଏହା ବିରୋଧରେ ମିଳିତ ଅଭିଯାନ ଚଳାଇ ରଖିବାକୁ ହେବ ବୋଲି ଶ୍ରୀ ପତି ଆହ୍ୱାନ ଦେଇଥିଲେ ।ଏହି ସଭାରେ ଅନ୍ୟତମ ବକ୍ତା ଭାବେ ସି.ପି.ଆଇ. ଜିଲ୍ଲା ସହ ସଂପାଦକ ଭାଗବତ ପ୍ରତିହାରୀ ମଧ୍ୟ ଇସ୍ରାଏଲ୍ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ମିଥ୍ୟା ପ୍ରଚାର ବିରୁଦ୍ଧରେ ବ୍ୟାପକ ପ୍ରଚାର ଅଭିଯାନର ଆବଶ୍ୟକ ରହିଛି । କଂଗ୍ରେସ ମହିଳା ସଂଗଠନର ଜିଲ୍ଲା ସଭାନେତ୍ରୀ ପ୍ରଜ୍ଞା ପରମିତା ବିଶ୍ୱାଳ ମଧ୍ୟ ବକ୍ତବ୍ୟ ରଖିଥିଲେ । ଟି.ଏମ୍‌.ସି. ନେତା ନନ୍ଦନ ପାଲ୍ ମଞ୍ଚ ଆହ୍ୱାନ କରିଥିବା ବେଳେ ଆଜିର ଆଲୋଚନା ସଭାର ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶେଷରେ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଆଜିର ଏହି ଆଲୋଚନା ସଭାକୁ ସଫଳ କରିବାରେ ପ୍ରେମ ରଂଜନ ପାତ୍ର, ସିତାଂଶୁ ସେନାପତି, ବିଜୟ ପାତ୍ର, ଶ୍ୟାମସୁନ୍ଦର ଜେନା, ବନ୍ଦନା ପାତ୍ର, ଦିପ୍ତିମାନ ଆଚାର୍ଯ୍ୟ, ଅରୁଣ ଜେନା, ଅକ୍ଷୟ ମଲ୍ଲିକ ଓ ଜତିନ୍ ପାତ୍ର ପ୍ରମୁଖ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ