ଯୁଦ୍ଧ ବିରୋଧରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବେଦନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରୁଷର ପୁଟିନ ସରକାରଙ୍କ ୟୁକ୍ରେନ ଆକ୍ରମଣ ପରେ ସମଗ୍ର ବିଶ୍ୱ ଯୁଦ୍ଧ ମୁହଁରେ ଛିଡା ହୋଇଛି । ଶହ ଶହ ନିରିହ ଜନତାଙ୍କ ଜୀବନ ପ୍ରତିଦିନ ବଳି ପଡୁଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେଉଛି ଏବଂ ସମଗ୍ର ବିଶ୍ୱର ଅର୍ଥନୀତି ଓ ନିରାପତ୍ତା ବିପର୍ଯ୍ୟସ୍ତ ହେଉଛି । ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଜାତିସଙ୍ଘ ନୀରବଦ୍ରଷ୍ଟା ହୋଇ ଚାହିଁ ରହିଛି । ବୃହତ ଶକ୍ତିମାନଙ୍କ ବିସ୍ତାରବାଦୀ ନୀତି ଓ ମହାଶକ୍ତି ହେବାର ଅଭିଳାସରୁ ସାରା ବିଶ୍ୱରେ ଏପରି ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇ ଜିଲ୍ଲାପାଳଙ୍କ ମାଧ୍ୟମରେ ଭାରତ ସରକାର ଓ ବିଶ୍ୱ ସମୁଦାୟଙ୍କୁ ତୁରନ୍ତ ଯୁଦ୍ଧ ବନ୍ଦ କରାଯାଇ ଶାନ୍ତି ପ୍ରତିଷ୍ଠା କରାଯିବାକୁ ଆବେଦନ କରାଯାଇଛି । ଆବେଦନପତ୍ରରେ ୟୁକ୍ରେନରୁ ପୁଟିନ ସରକାର ତୁରନ୍ତ ସେନା ପ୍ରତ୍ୟାହାର କରିବା, ଆମେରିକା ନିଜର ବିସ୍ତାରବାଦୀ ନୀତି ପ୍ରତ୍ୟାହାର କରିବା, ବିଶ୍ୱ ଶାନ୍ତି ପ୍ରତି ବିପଦ ସାଜିଥିବା ସାମରିକ ମେଣ୍ଟ ନାଟୋକୁ ଅବସାନ କରିବା, ଜାତିସଙ୍ଘ ମଧ୍ୟସ୍ଥତାରେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ଓ ମାନବ ଜୀବନର ସୁରକ୍ଷା ପାଇଁ ସମସ୍ତ ରାଷ୍ଟ୍ର ଅଙ୍ଗିକାର ବଦ୍ଧ ହେବା ପ୍ରଭୃତି ଦାବି କରାଯାଇଛି । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ଆବାହକ ଆଦିକନ୍ଦ ରାଉଳ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଭାଗିରଥୀ ଜେନା, ନଗେନ୍ଦ୍ର ଜେନା, ମେଜର ଭରତ ଚନ୍ଦ୍ର ଜେନା, ସୀତାକାନ୍ତ ନାୟକ, ରଣଧୀର ଜେନା, ଶ୍ରୀଧର କୁମାର ମହାନ୍ତି, ପଦ୍ମନାଭ ଦାସ, ବିଧୁଭୂଷଣ ମହାପାତ୍ର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।