ଯୁବକକୁ ଏସିଡ ମାଡ ଘଟଣା : ପୁଲିସ ମାମଲା ରୁଜୁକରି ଚୁପ ବସିଥିବା ଅଭିଯୋଗ
ହାଟଡିହି, (ବିକାଶ ବିଶ୍ୱାଳ) :-ପୁର୍ବ ବିବାଦକୁ ନେଇ ଜଣେ ଯୁବକକୁ ଗତ ଏପ୍ରିଲ ମାସ ୮ତାରିଖ ଦିନ ଏସିଡ ମାଡ କରାଯାଇଥିବା ବେଳେ ଯୁବକ ଜଣକ କଟକରେ ଆଜି ପର୍ଯ୍ୟନ୍ତ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଘଟଣାକୁ ମାସାଧିକ କାଳ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରୁନି ବୋଲି ଏସିଡ ମାଡରେ ଆହତ ଯୁବକଙ୍କ ବାପା ରମେଶ ଚନ୍ଦ୍ର ଜେନା ଅଭିଯୋଗ କରିଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ଥାନା ସିଲନ୍ଦୀ ଗ୍ରାମର ରମେଶ ଜେନାଙ୍କ ଅଭିଯୋଗ ଅନୁଯାଇ ତାଙ୍କ ପୁଅ ପାର୍ଥ ସାରଥି ଜେନା ଓ ପଡୋଶୀ ଚନ୍ଦ୍ରକାନ୍ତ ଜେନାଙ୍କ ମଧ୍ୟରେ ପୁର୍ବରୁ ବିବାଦ ଲାଗି ରହିଥିଲା । ୮ତାରିଖ ଦିନ ପାର୍ଥସାରଥି ତାଙ୍କ ବାପାଙ୍କ ପାଇଁ ମେଡିସିନି ନେବାକୁ ଛେନାପଦିଛକକୁ ଆସି ଆସିବା ବାଟରେ ଚନ୍ଦ୍ରକାନ୍ତ, ତାଙ୍କର ସ୍ତ୍ରୀ ଓ ଆଉ ଦୁଇ ସହଯୋଗୀ ହାଟଡିହି ହାଇସ୍କୁଲ ନିକଟରେ ଅଟକାଇ ଏକ ନିକାଞ୍ଚନ ସ୍ଥାନକୁ ନେଇଯାଇ ମାଡ ମାରିବା ସହିତ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ତା ଉପରେ ଏସିଡ ଢ଼ାଳି ଦେଇଥିଲେ । ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରି ମୁଖ୍ୟ ରାସ୍ତା ଉପରକୁ ଆସିଯିବାରୁ ଆକ୍ରମଣକାରୀ ମାନେ ତାକୁ ଛାଡି ପଳାଇଯାଇଥିଲେ । ସ୍ଥାନୀୟ ଜଣେ ଯୁବକ ତାଙ୍କୁ ଉଦ୍ଧାରକରି ଆଣି ବସନ୍ତିଆରେ ଛାଡିବାପରେ ତାକୁ ଭଦ୍ରକ ଡାକ୍ତରଖାନା ପଠାଯାଇଥିଲା । ମାତ୍ର ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥବଲା । ସେହିଦିନ ଠାରୁ ସେ କଟକରେ ରହି ଚିକିତ୍ସିତ ହେଉଛନ୍ତି । ଶରୀରର ଅଧାଅଂଶ ପୋଡି ଯାଇଛି । ଏନେଇ ପାର୍ଥ ର ବାପା ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ଥାନା କେସ ନଂ ୭୪/୨୦୨୨ରେ ମାମଲା ରୁଜୁକରିଛି । କିନ୍ତୁ ଘଟଣାକୁ ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଚୁପ ହୋଇଯାଇଛି ବୋଲି ରମେଶ ଅଭିଯୋଗ କରିବା ସହ ତୁରନ୍ତ ଦୋଷୀ ମାନଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରମେଶ ଦାବି କରିଛନ୍ତି । ଏ ସମ୍ପର୍କରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଚନ୍ଦ୍ରକାନ୍ତଙ୍କ ପତ୍ନୀ ଓ ରମେଶ ଜେନା ଦୁଇ ଦୁଇଟି ଅଭିଯୋଗ କରିବାପରେ ଏନେଇ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଚନ୍ଦ୍ରକାନ୍ତଙ୍କ ପତ୍ନୀ ନନ୍ଦିପଦା ଥାନାରେ ପାର୍ଥଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ସେ ବାପଘର ହାଟଡିହିକୁ ଆସିଥିବାବେଳେ ପାର୍ଥ ଓ ଅନ୍ୟ ଜଣେ ଯୁବକ ତାଙ୍କ ଘରକୁ ଯାଇ ତାଙ୍କୁ ଏକୁଟିଆ ପାଇ ଧର୍ଷଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଉଭୟ ମାମଲାର ଗୁରୁତ୍ୱ ଅଛି, ତଦନ୍ତ ଜାରି ରହିଛି । ଅଳ୍ପ ଦିନ ଭିତରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଥାନା ଆଇ.ଆଇ.ସି କହିଛନ୍ତି ।