ଯୁବକଙ୍କୁ ଆକ୍ରମଣ ସହ ବାଇକ୍ ପୋଡ଼ି : ପୋଲିସ୍ ପକ୍ଷରୁ ତଦନ୍ତ ଜାରି
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବୁଧବାର ସନ୍ଧ୍ୟା ସମୟରେ କିଛି ବ୍ୟକ୍ତି ଜଣେ ଯୁବକଙ୍କୁ ଆକ୍ରମଣ କରିବା ସହ ସେ ନେଇଥିବା ବାଇକ୍ ଟିକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ବିଞ୍ଚଣା ଗ୍ରାମର ପ୍ରଦ୍ୟୁମ୍ନ ବେହେରା ଓରଫ ଟୁଲୁ (48) ତାଙ୍କର ଜଣେ ବନ୍ଧୁଙ୍କ ଗ୍ଲାମର ମୋଟରସାଇକେଲ୍ ଧରି କଣ୍ଟେଇପଲ୍ଲୀ ନିକଟସ୍ଥ ସୋମନାଥପଲ୍ଲୀ ଛକକୁ ଯାଇଥିଲେ I ସେଠାରେ ସେ ଏକ ଫାଷ୍ଟଫୁଡ୍ ଦୋକାନରେ ବସି ଜଳଖିଆ ଖାଉଥିବା ସମୟରେ କୌଣସି କଥାକୁ ନେଇ ତାଙ୍କର କିଛି ଲୋକଙ୍କ ସହ ଯୁକ୍ତିତର୍କ ହୋଇଥିଲା I ଏଥିରେ ସେହି ଲୋକମାନେ ଉତକ୍ଷିପ୍ତ ହୋଇ ପ୍ରଦ୍ୟୁମ୍ନଙ୍କୁ ଠେଙ୍ଗାରେ ଆକ୍ରମଣ କରିବା ସହିତ ପ୍ରଦୀପ ନେଇଥିବା ଗାଡିଟିକୁ ମଧ୍ୟ ପୋଡ଼ି ଦେଇଥିଲେ I ଘଟଣା ନେଇ ପ୍ରଦ୍ୟୁମ୍ନଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ 21/22 ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଫିସର୍ ଏସ୍ଆଇ ଶୁଭ୍ରଜିତ୍ ସାମନ୍ତରାୟ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି I ଗାଙ୍ଗପୁର ପୋଲିସ୍ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ୍ ଚେଷ୍ଟା କରିବା ସହ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ପ୍ରକାଶ କରିଛନ୍ତି I


