ଯୁବକ ସଂଘ ଗୃହରେ ମହିଳା ମହାସଂଘର ରେକର୍ଡ଼ପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ମିଶନ ଶକ୍ତି ଅଧୀନସ୍ଥ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପାଟଣା ଗ୍ରାମ ପଞ୍ଚାୟତ ବାସୁଳିମାତା ମହିଳା ମହାସଂଘର କର୍ମକର୍ତ୍ତାଙ୍କୁ ସେମାନଙ୍କ ରେକର୍ଡ଼ପତ୍ର ଆଡିଏଲ କ୍ଲବ ଯୁବକମାନେ ନ ଦେବାକୁ ନେଇ ମହିଳାମାନେ ବୁଧବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ମିଶନଶକ୍ତି ଗୃହ ନିର୍ମାଣ ପୂର୍ବରୁ ମହମ୍ମଦନଗର ପାଟଣା ସ୍ଥିତ ଆଇଡିଏଲ କ୍ଲବଘରକୁ ମହିଳା ମହାସଂଘ କର୍ମକର୍ତ୍ତା ଓ ସଦସ୍ୟମାନେ ବ୍ୟବହାର କରିଥିଲେ । ତେବେ ମିଶନ ଶକ୍ତିଗୃହ ନିର୍ମାଣ ଶେଷ ହେବା ପରେ ବ୍ଲକ ପ୍ରତିନିଧି ଆସି ଏହାର ଚାବି ମହାସଂଘକୁ ହସ୍ତାନ୍ତର କରିଥିଲେ । ପରେ ଜଳେଶ୍ୱର ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ମହାସଂଘର କର୍ମକର୍ତ୍ତାମାନେ ମହାସଂଘର ରେକର୍ଡ଼ପତ୍ର ଓ ଆନୁସଙ୍ଗିକ ଉପକରଣ ଆଣିବାକୁ ଆଇଡିଏଲ କ୍ଲବକୁ ଯାଇଥିଲେ । ମାତ୍ର କ୍ଲବର ଯୁବକମାନେ ସେମାନଙ୍କୁ ବିରୋଧ କରିବା ସହ ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଖବର ପାଇ ବିଡିଓ ପୁଲିସ ପଠାଇବା ସହ ମହିଳାମାନଙ୍କୁଉଦ୍ଧାର କରିଥିଲେ ବୋଲି ସେମାନେ ପ୍ରକାଶ କରିଛନ୍ତି । ମାତ୍ର ଅଦ୍ୟାବଧି କ୍ଲବ ଗୃହରୁ ଆସବାବପତ୍ର ଓ ଅନ୍ୟାନ୍ୟ ରେକର୍ଡ଼ପତ୍ର ନବନିର୍ମିତ ମିଶନ ଶକ୍ତି ଗୃହକୁ ଆସିପାରି ନଥିବା ମହାସଂଘର କର୍ମକର୍ତ୍ତାମାନେ କହିଛନ୍ତି । ଫଳରେ ଏହି ମହାସଂଘ ଅନ୍ତର୍ଗତ ୪ ଗୋଟି ଆଞ୍ଚଳିକ ମଞ୍ଚର କାର୍ଯ୍ୟ ହୋଇପାରୁ ନଥିବା ସେମାନେ ଜିଲାପାଳଙ୍କୁ ଅବଗତ କରିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ ପାଇଁ ସେମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲପାଳଙ୍କୁ ପ୍ରଦାନ କରିଛନ୍ତି ଦାବିପତ୍ର ପ୍ରଦାନ ବେଳେ ମହାସଂଘର ସଭାପତି ସସ୍ମିତା ଦାସ, ସମ୍ପାଦିକା ଗୀତାଞ୍ଜଳି ବାରିକଙ୍କ ସମେତ ମୀନାକ୍ଷୀ ବେହେରା, କୁନୀ ସାହୁ, ଗୌରୀ ଦାସ, ସୋନାଲି ବେହେରା, ମଞ୍ଜୁଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।