ଯୁବଗୋଷ୍ଠୀଙ୍କ ଆତ୍ମହତ୍ୟା ପ୍ରବୃତ୍ତି ଭାରତରେ ଉଦ୍ବେଗଜନକ ସ୍ଥିତିରେ
ଭୁବନେଶ୍ୱର : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଆମ ଭାରତବର୍ଷ ଦକ୍ଷିଣପୂର୍ବ ଏସିଆରେ ଆତ୍ମହତ୍ୟାର ମୁଖ୍ୟ କେନ୍ଦ୍ରସ୍ଥଳ ପାଲଟିଛି । ଏହି ରିପୋର୍ଟ ଅନୁଯାୟୀ ୧ଲକ୍ଷ ଲୋକଙ୍କ ମଧ୍ୟରେ ୧୬.୫ ପ୍ରତିଶତ ଯୁବଗୋଷ୍ଠୀ ଆତ୍ମହତ୍ୟା କରୁଛନ୍ତି । ଜାତୀୟ ଅପରାଧ ସଂରକ୍ଷଣ ବ୍ୟୁରୋ ରିପୋର୍ଟ ଅନୁସାରେ ୧୫ରୁ ୨୯ ବର୍ଷ ବୟସର ଯୁବଗୋଷ୍ଠୀ ଆତ୍ମହତ୍ୟା ଭଳି ଏକ ସାମାଜିକ ଅପରାଧକୁ ଆପଣାଇ ନେଉଛନ୍ତି । ଏହି ରିପୋର୍ଟ ଅନୁସାରେ ପ୍ରତି ଘଣ୍ଟାରେ ଭାରତରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛି । ବହୁଳ ଭାବେ ସୋସିଆଲ ମିଡ଼ିଆର ବ୍ୟବହାର, ଆର୍ଥିକ ବିଶୃଙ୍ଖଳା, ପରିବାର ଭିତରେ ଅସମାନତା, ଶିକ୍ଷା କ୍ଷେତ୍ରରେ ମାନସିକ ଚାପ ପ୍ରଭୃତି ସମସ୍ୟା ଯୁବଗୋଷ୍ଠୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି । ଓଡ଼ିଶାରେ ମଧ୍ୟ ଏହି ପରମ୍ପରା ବା ଧାରା ବଢିବାରେ ଲାଗିଛି ଯାହାକି ଅତ୍ୟନ୍ତ ଚିିନ୍ତାର ବିଷୟ । ଏଥିନିମନ୍ତେ ପିପୁଲ୍ସ ଫୋରମ ତରଫରୁ ନିଜର ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ ଦେଇ ଆତ୍ମହତ୍ୟା ଭଳି ଏକ ପ୍ରବୃତ୍ତିର କାରଣ ଓ ନିରାକରଣ କିପରି ଭାବରେ ରୋକାଯାଇ ପାରିବ, ସେଥି ନିମନ୍ତେ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ହୋଟେଲ ପାଲ୍ ହାଇଟ୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ରେଭେନ୍ସା, କିଟ୍, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ତଥା ସିଲିକନ ଇନ୍ଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀମାନେ ଏହି ବିଷୟକୁ ନେଇ ସେମାନଙ୍କର ଲିଖିତ ମତାମତ ପ୍ରଦାନ କରିଥିଲେ । ଏହି ଜାତୀୟସ୍ତରର ଆଲୋଚନା ଚକ୍ରରେ ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବାତମ୍ୟାନବେନ୍, ଡ଼ିଏଲ୍ସିଏ ସମ୍ପାଦକ ମାନସ ରଞ୍ଜନ ରାୟ, ଏନ୍ସିଡ଼ିଏସ୍ ନିର୍ଦ୍ଦେଶକ, ପ୍ରଫେସର ସଞ୍ଜିତ ମିଶ୍ର, ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ବିଶିଷ୍ଟ ହେତୁବାଦୀ ପ୍ରତାପ ରଥ ପ୍ରମୁଖ ଯୋଗ ଦେଇ ଆତ୍ମହତ୍ୟା ପ୍ରବୃତ୍ତିକୁ ରୋକିବା ନିମନ୍ତେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ପିପୁଲ୍ସ ଫୋରମ ତରଫରୁ ଦିବ୍ୟଜ୍ୟୋତି ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଆଗକୁ ଅନୁଷ୍ଠାନ ତରଫରୁ ଅମାôହତ୍ୟା ପ୍ରବୃତ୍ତିକୁ ରୋକିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବ୍ୟାପକ ଜନସଚେତନତା ସ୍ୱରୂପ କର୍ମଶାଳା ଓ ଆଲୋଚନାଚକ୍ରମାନ କରାଯାଇ ଏହାକୁ ଏକ ମିଶନରେ ପରିଣତ କରାଯିବ ବୋଲି ପିପୁଲ୍ସ ଫୋରମ୍ର ପ୍ରତିଷ୍ଠାତା ତଥା ସଭ୍ୟ ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ କହିଛନ୍ତି ।