ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା : ଫେରାର ଯୁବକ ବ୍ରହ୍ମପୁରରୁ ଗିରଫ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଗତ ୧୮ ତାରିଖରେ ହିଂଜିଳି ଥାନା ଅଂଚଳର ଜୈନିକା ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ ପରେ ଜୈନିକ ଯୁବକ ଘଟଣା ସ୍ଥଳରୁ ଫେରାର ଥିଲେ । ସୋମବାର ଦିନ ଫେରାର ଯୁବକ ଜଣକ ବ୍ରହ୍ମପୁର ଲୋଚାପଡ଼ା ଅଂଚଳରେ ଥିବା ନେଇ ହିଂଜିଳି ପୁଲିସ କୌଣସି ସୁତ୍ରରୁ ଖବର ପାଇ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହିଂଜିଳି ଥାନା ନିମିଗାଁର ବଳିଆ ଦାସ (୨୭) । ଏନେଇ ହିଂଜିଳି ଥାନା ନଂ- ୯୯/୧୯ ରେ ଏକ ମାମଲା ରୁଜୁ କରି ସୋମବାର ଦିନ ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ତାଉକି, ଗୁରୁବାର ଅପରାହ୍ନରେ ହିଂଜିଳି ଥାନା ଅଂଚଳର ୨ ଭଉଣୀ ମରିଚ ତୋଳିବା ପାଇଁ ଗ୍ରାମ କାଇଁଚ ବନ୍ଧ ନିକଟସ୍ଥ କ୍ଷେତକୁ ଯାଇଥିବା ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ହିଂଜିଳି ଥାନା ନିମିଗାଁର ଜୈନିକ ଯୁବକ ଯୁବତୀଙ୍କୁ ଦେଖି ଟଣାଓଟରା କରିବା ସହ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲା । ଉକ୍ତ ସମୟରେ ଯୁବତୀଙ୍କ ସାନଭଉଣୀ ଘଟଣା ଜାଣିପାରି ଚିକ୍ରାର କରିବାରୁ ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ଯୁବତୀ ଜଣକ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ଯୁବତୀଙ୍କ ମା ଏ ନେଇ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ହିଂଜିଳି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା ।