ଯୁବଶକ୍ତିକୁ ସଶକ୍ତ କରିବା ପାଇଁ ଯୁବ ଦକ୍ଷତାର ବିକାଶ ଜରୁରୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଯେ କୌଣସି ଦେଶର ବିକାଶ କ୍ଷେତ୍ରରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେବେ ଏ ନେଇ ସେମାନଙ୍କର ଦକ୍ଷତା ବିକାଶର ଆବଶ୍ୟକତା ଜରୁରୀ । ଯୁବବର୍ଗଙ୍କୁ ସାମାଜିକ, ଅର୍ଥନୈତିକ, ସଶକ୍ତିକରଣ ଏବଂ ସମ୍ମାନର ଭାବନା କିପରି ଯୋଗାଇ ଦିଆଯିବ ସେ ସଂପର୍କରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ଏବଂ ଗୃହ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମିଳିତ ପ୍ରୟାସରେ ଆୟୋଜିତ କଶ୍ମୀର ଯୁବ ବିନିମୟ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ଗ୍ରାମୀଣ ବିକାଶ ବିଭାଗର ଯୁଗ୍ମ ସଚିବ ଡ. ଜନ୍ମେଜୟ ସାହୁ, ସମ୍ମାନିତ ଅତିଥି ରୂପେ ଡାକ୍ତର କାଳିକିଙ୍କର ସେନାପତି, ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡିଶାର ରାଜ୍ୟ ନିର୍ଦ୍ଦେଶକ ଶୀବାଜି ମୁରଲୀଧର, ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଯୋଗ ଦେଇଥିଲେ । ୬ ଦିନ ରହଣୀ ସମୟ ମଧ୍ୟରେ କଶ୍ମୀର ରାଜ୍ୟର ଯୁବକ ଯୁବତୀ ମାନେ ଓଡିଶାର ଆତିଥ୍ୟ, ସଂସ୍କୃତି ଓ ପରମ୍ପରାକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଉତ୍ସବ ଶେଷରେ ନେହେରୁ ଯୁବକେନ୍ଦ୍ର ସଂଗଠନର ରୋହିତ ନନ୍ଦେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶୁଭେନ୍ଦ୍ର ନାଥ ସାହୁ, କୁଳମଣି ମଲ୍ଲିକ, ସ୍ୱେଚ୍ଛାସେବୀ ସତ୍ୟ ନାରାୟଣ ଶ୍ରୀଚନ୍ଦନ, ମନୋରଂଜନ ପାତ୍ର, ବିଶ୍ୱଜିତ ରାଉତରାୟ, ଜନାର୍ଦ୍ଧନ ପୃଷ୍ଟି, ଦେବସ୍ମିତା ସାହୁ ଏବଂ ସୁମିତ୍ରା ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।