ଯୁବ ଚାଷୀଙ୍କ ହାଇଟେକ ଚାରା ଉତ୍ପାଦନ କେନ୍ଦ୍ର

ଘଟଗାଁ,(ଯୁଗାବ୍ଦ ନ୍ୟୁଜ) : ଖୁବ କମ ସମୟରେ ଅଧିକ ଚାରା ଉତ୍ପାଦନ କରିବା ସହ ଦରକାର ସମୟରେ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଚାରା ଯୋଗାଇପାରୁଥିବା ଯୁବ ଚାଷୀ ଏବେ ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣା ସ୍‌ୃଷ୍ଟି କରିଛନ୍ତି । ଏହି ପରି ଜଣେ ଚାଷୀ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଆଦିବାସୀ ବହୁଳ ଟାଙ୍ଗିରିଆପାଳ ପଂଚାୟତ ଗଦୁଆଁ ଗ୍ରାମର ଧ୍ରୁବଚରଣ ନାଏକ । ନିଜର ପଲ୍ଲି ହାଉସରେ ମାଟି କିମ୍ବା ଜୈବିକ ସାର ବ୍ୟବହାର ନ କରି ଅତ୍ୟାଧୁନିକ ପ୍ରଣାଳୀରେ ବିଭିନ୍ନ ପ୍ରକାରର ପନିପରିବା ଓ ଫୁଲ ଗଛର ଚାରା ଉତ୍ପାଦନ କରିବା ସହ ଅଂଚଳର ଶହ ଶହ ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଉନ୍ନତ ମାନର ଚାରା ଯୋଗାଇ ପାରୁଛନ୍ତି । ଏହି ପଦ୍ଧତିରେ ଚାରା ଉତ୍ପାଦନ କରି ନିଜେ ଧ୍ରୁବଚରଣ ବେଶ ଦୁଇ ପଇସା ରୋଜଗାର କରିବା ସହି ନିଜ ଅଂଚଳର ଚାଷୀ ମାନଙ୍କ ପାଇଁ ସହାୟକ ହୋଇପାରିଛନ୍ତି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଂଚାୟତର ଗଦୁଆଁ ଗ୍ରାମ । ନରଣପୁର-ଡୁବୁରୀ ରାସ୍ତାର ରେମାଳ ଛକ ଠାରୁ ରେମାଳ ଡ୍ୟାମ ଦେଇ ପାଖାପାଖି ଏକ କିଲୋମିଟର ଗଲାପରେ ଏହି ଗାଁଟି ଅବସ୍ଥିତି । ଗ୍ରାମର ଯୁବ ଚାଷୀ ଧ୍ରୁବଚରଣ ନାଏକ ପୁରୁଣା ପଦ୍ଧତିରେ ଧାନ ଓ ପନିପରିବା ଚାଷ ପରିବର୍ତେ ଏବେ ଏକ ପଲି୍ଲ ହାଉସ କରିଛନ୍ତି । ତେବେ ଏଥିରେ ତାଙ୍କୁ ତାର ବାପା ଭୀମସେନ ନାଏକ ଏବଂ ମାଆ ପ୍ରମିଳା ନାଏକ ମଧ୍ୟ ସହଯୋଗ କରୁଛନ୍ତି । ନିଜ ପଲ୍ଲି ହାଉସରେ ଏହି ପରିବାର ଅତ୍ୟାଧୁନିକ ପ୍ରଣାଳୀରେ ବିଭିନ୍ନ ପନିପରିବା ଓ ଫୁଲଗଛର ଚାରା ଉତ୍ପାଦନ କରୁଛନ୍ତି । ସାଧାରଣତଃ ଚାଷି ମାନେ ମାଟି କିଆରିରେ ବହୁ ପରିଶ୍ରମ ଓ ଅର୍ଥ ବ୍ୟୟରେ ଚାରା ଉତ୍ପାଦନ କରିଥାନ୍ତି । ମାତ୍ର ଧ୍ରୁବଚରଣ ନିଜର ଏହି ଉତାପ ନିୟନ୍ତ୍ରଣ ନର୍ସରୀରେ କମ ପରିଶ୍ରମରେ ମାତ୍ର ୨୫ ରୁ ୩୦ ଦିନ ମଧ୍ୟରେ ଉତମ ମାନର ଚାରା ଉତ୍ପାଦନ କରି ପାରୁଛନ୍ତି । ରାଜ୍ୟ ବାହରୁ ଏହି ପ୍ରଣାଳୀ ଶିଖିିବା ପରେ ଏହି ହାଇଟେକ ନର୍ସରୀ ତାଙ୍କୁ ଏକ ସରଳ ରୋଜଗାରର ପନ୍ଥା ଦେଇଥିବା ସହ ସ୍ଥାନୀୟ ଅଂଚଳର ଚାଷୀ ମାନଙ୍କ ପାଇଁ ବେଶ ସହାୟକ ହୋଇ ପାରିଛି । ମାଟି କିଆରି ଚାରା ଅଧିକ ବ୍ୟୟ ବହୁଳ ହେଉଥିବା ସହ ସଠିକ୍ ସମୟରେ ମାଟିର ପାଗ ଅନୁଯାୟୀ ଉତ୍ପାଦନ ହୋଇ ପାରୁ ନ ଥିବା କାରଣରୁ ସାଧାରଣତଃ ଚାଷୀମାନେ ବହୁ କ୍ଷତି ସହିଥାନ୍ତି । ମାତ୍ର ଧ୍ରୁବଚରଣଙ୍କ ହାଇଟେକ ନର୍ସରୀରୁ ସଠିକ ସମୟରେ ଆବଶ୍ୟକ ଅନୁଯାୟୀ ଚାରା ପାଇ ପାରୁଥିବାରୁ ଏବେ ବ୍ଲକର ବହୁ ଚାଷୀ ନିଜେ ଚାରା ଉତ୍ପାଦନ ନ କରି ଏହି ଠାରୁ ଚାରା ନେଉଥିବା ପ୍ରକାଶ କରିଛନ୍ତି । ଏଥି ସହିତ ଏହି ଚାରାରୁ ଭଲ ଚାଷ ହେଉଥିବା କାରଣରୁ ଏହି ନର୍ସରୀରୁ ଦୁରଦୁରାନ୍ତରୁ ଚାଷୀମାନେ ଚାରା ପାଇଁ ଆସୁଥିବା ଦେଖାଯାଉଛି । ତେବେ ଯୁବ ଚାଷୀ ଧ୍ରୁବଚରଣ ଏବଂ ତାଙ୍କ ପରିବାରଙ୍କ ଏହି ହାଇଟେକ ନର୍ସରୀ ଅନ୍ୟ ଚାଷୀ ମାନଙ୍କ ପାଇଁ ଏକ ପ୍ରେରଣା ହୋଇଥିବା ବେଳେ ଏବେ ଦୁରଦୁରାନ୍ତରୁ ବହୁ ଚାଷୀ ଏହି ଅତ୍ୟାଧୁନିକ ପ୍ରଣାଳୀ ଚାରା ଉତ୍ପାଦନର କ୍ଷେତ୍ର ଜ୍ଞାନ ଗ୍ରହଣ କରିବା ପାଇଁ ଏଠାକୁ ଆସୁଥିବା ନଜର ଆସିଛି । ଏହି ହାଇଟେକ ନର୍ସରୀରେ ଏକାଥରକେ ୮୦ ହଜାର ଚାରା ଉତ୍ପାଦନ ହୋଇପାରିବ ବୋଲି କହନ୍ତି ଧ୍ରୁବଚରଣ । ଏହି ହାଇଟେକ ନର୍ସରୀ କରିବା ପାଇଁ ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବ୍ରାହ୍ମଣୀପାଳ ସ୍ଥିତ ସେଂଟ୍ରାଲ ବ୍ୟାଙ୍କରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲୋନ କରିଥିବା ବେଳେ ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ସିନି ଏନଜିଓ ଅବଶିଷ୍ଟ ଅର୍ଥ ସହାୟତା ଦେଇଥିବା କହିଛନ୍ତି ଧ୍ରୁବଚରଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ