ଯୁବ ସମାଜସେବୀଙ୍କୁ ଗିରଫ କଲା ପୋଲିସ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଅଞ୍ଚଳର ଯୁବ ସମାଜସେବୀ ସ୍ମୃତି ରଞ୍ଜନ ସ୍ୱାଇଁ(ଲାଲା)ଙ୍କୁ ପୋଲିସ ଶନିବାର ସନ୍ଧ୍ୟାରେ ଗିରଫ କରି ଭଦ୍ରକ ଟାଉନ୍ ଥାନାରେ ଅଟକ ରଖିଥିବାର ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥ ନିର୍ମାଣ ଚାଲୁଥିବା ବେଳେ ଟିଲୋ ବଡସାହି ଠାରେ ଏକ ଅଣ୍ଡର ବାଇପାସ୍ ନିର୍ମାଣ ନେଇ ଶ୍ରୀ ସ୍ୱାଇଁ ଗ୍ରାମର କେତେକ ଲୋକଙ୍କ ଅଭିଯୋଗ ମୂଳେ ଜିଲ୍ଲାପାଳ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବୀ କରିଆସୁଥିଲେ । ସେତେବେଳେ କାର୍ଯ୍ୟରତ ଠିକାଦାରଙ୍କୁ ମଧ୍ୟ ଉକ୍ତ ସମସ୍ୟା ସଂପର୍କରେ ଅବଗତ କରାଯାଇଥିଲା । କିନ୍ତୁ ଚତୁର ଠିକାଦାର ଉକ୍ତ ଗ୍ରାମର କିଛି ଲୋକଙ୍କୁ ହାତ କରି ଅଣ୍ଡର ବାଇପାସ୍ ନିର୍ମାଣ ନକରିବାକୁ ମସୁଧା ଜାରି ରଖିଥିଲେ । ଫଳରେ ଦୀର୍ଘ ୬ ମାସ ହେବ କାର୍ଯ୍ୟ କରୁନଥିବା ଠିକାଦାର ଗତ କିଛି ଦିନ ହେବ ଲୋକଙ୍କ ବଳ ପାଇ କାର୍ଯ୍ୟ ଚାଲୁ କରିଛନ୍ତି । ଉକ୍ତ ଅଣ୍ଡର ବାଇପାସ୍ ନିର୍ମାଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା । ଫଳରେ ଗତ ମେ ୩ ତାରିଖରେ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ନେଇ ଏକ ଅଭିଯୋଗ ଥାନାରେ କରାଯାଇଥିଲା । ଦୀର୍ଘ ୨୦ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନଥିଲା । ଶନିବାର ଶ୍ରୀ ସ୍ୱାଇଁ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ବରପଦା ଠାରେ ପୋଲିସ ତାଙ୍କୁ ଗିରଫ କରି ଭଦ୍ରକ ଟାଉନ୍ ଥାନାକୁ ନେଇ ଯାଇଥିବା ଜଣାଯାଇଛି । ରବିବାର ଏସ୍‌.ଡି.ପି.ଓ ବନ୍ତ ଥାନାକୁ ଆସି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି । ପ୍ରକାଶ ଥାଉକି, ଶ୍ରୀ ସ୍ୱାଇଁ ବନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ଗତ କିଛି ଦିନ ତଳେ ବନ୍ତ ବଜାରରେ ମାସ୍କ ପିନ୍ଧି ନଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସର ମାଡ ମାରିବା ନେଇ ସେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବନ୍ତ ଥାନାର ଜଣେ କନେଷ୍ଟବଳଙ୍କୁ ଜିଲା ଆରକ୍ଷୀ ଅଧିକ୍ଷକ ନିଲମ୍ବିତ କରିଛନ୍ତି । ସେହିପରି ଲକ୍ ଡାଉନ୍ ସମୟରେ ବନ୍ତ ଥାନାର କିଛି ଅସାଧୁ କର୍ମଚାରୀ ବ୍ୟବସାୟୀ, ବାଲିଗାଡି ଓ ଜେସିବି ମାଲିକଙ୍କ ଠାରୁ ଅଧିକ ପରିମାଣରେ ଜୋରିମାନା ଆଦାୟ କରିବା ସହ ସେମାନଙ୍କ ଠାରୁ ଭିତରିଆ ଉତ୍କୋଚ ନେଉଥିବାର ଭିଡିଓ ଶ୍ରୀ ସ୍ୱାଇଁ ଭାଇରାଲ କରିଥିଲେ । ଫଳରେ ସେ ବନ୍ତ ପୋଲିସର ଆକ୍ରୋଶର ଶୀକାର ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ