ଯୁବ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ
ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳିକାଟୁ ରାଜସ୍ୱ ଗ୍ରାମ ଅଂଚଳରେ ବେଆଇନ ଭାବେ ଗଢି ଉଠିଥିବା ମାଟିପୋଡ଼ା ଇଟାଭାଟିର ଖବର ସଂଗ୍ରହ ପାଇଁ ଯାଇ ଫଟୋ ଉତୋଳନ କରୁଥିବା ସମୟରେ ଜୈନିକ ଯୁବ ସାମ୍ବାଦିକଙ୍କୁ ସଂପୃକ୍ତ ଅଂଚଳର ଇଟାଭାଟି ମାଲିକ ମାନଙ୍କ ସଙ୍ଘବଦ୍ଧ ଆକ୍ରମଣ କରିଥିବା ନେଇ ହିଂଜିଳି ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଚାଂଚଲ୍ୟକର ଘଟଣା ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳି ଥାନା କେ. ଖରିଡ଼ା ଗ୍ରାମରେ ଆଲୋଡନ ସୃଷ୍ଟି କରିଛି । ଆକ୍ରମଣର ଶିକାର ହୋଇଥିବା ଯୁବ ସାମ୍ବାଦିକ ଜଣକ ଦୈନିକ ଓଡ଼ିଆ ଖବର କାଗଜର ଯୁବ ସାମ୍ବାଦିକ ସୁନିଳ ପଟ୍ଟନାୟକ । ଏ ନେଇ ହିଂଜିଳି ଥାନାରେ ନଂ- ୧୦୭/୧୯ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ହିଂଜିଳିକାଟୁ ଅଂଚଳରେ ବେଆଇନ ଭାବେ ଗଢି ଉଠିଥିବା ବହୁ ମାଟିପୋଡ଼ା ଇଟାଭାଟି ରହିଥିବା ଯୋଗୁଁ ସ୍ଥାନୀୟ ଅଂଚଳ ପ୍ରଦୁଷିତ ହୋଇଉଠୁଛି । ଏ ନେଇ ଦୈନିକ ଓଡ଼ିଆ ଖବର କାଗଜର ସାମ୍ବାଦିକ ତଥା ହିଂଜିଳି ଥାନା କେ, ଖରିଡ଼ା ଗ୍ରାମର ସୁନିଳ ପଟ୍ଟନାୟକ ରବିବାର ଦିନ ଖବର ସଂଗ୍ରହ କରିବାକୁ ଯାଇ କେ. ଖରିଡ଼ା ଗ୍ରାମ ନିକଟସ୍ଥ କରେଇଶୁଣି ମନ୍ଦିର ନିକଟସ୍ଥ ଘୋଡ଼ାହାଡ଼ ନଦୀ ହିଡ଼ ଉପରେ ରହି ମାଟିପୋଡ଼ା ଇଟାଭାଟି ଗୁଡ଼ିକର ଫଟୋ ଉତୋଳନ କରିଥିଲେ । ଉକ୍ତ ଘଟଣା ଅଂଚଳର କିଛି ମାଟିପୋଡ଼ା ଇଟାଭାଟି ମାଲିକ ଜାଣି ପାରିଥିଲେ । ସୋମବାର ସକାଳ ପ୍ରାୟ ସାଢେ ୭ ଟାରେ ଯୁବ ସାମ୍ବାଦିକ ଜଣକ ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ସଂପୃକ୍ତ ଅଂଚଳର କିଛି ଇଟାଭାଟି ମାଲିକ, ଯୁବ ସମ୍ବାଦିକଙ୍କ ଘର ସମ୍ମୁଖକୁ ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିଲେ । ଗ୍ରାମର କିଛି ବ୍ୟକ୍ତି ଇଟାଭାଟି ମାଲିକ ମାନଙ୍କ କବଳରୁ, ଯୁବ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ସଂପୃକ୍ତ ସାମ୍ବାଦିକ ଜଣକ ହିଂଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।