ଯେଉଁ ସମୁଦ୍ରରେ ମଣିଷ ବୁଡ଼େ ନାହିଁ
ଦୁନିଆରେ ଏମିତି ଅନେକ କିଛି ଘଟଣା ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞ । ଏମିତି ଘଟଣା ରହିଛି ଏକ ସମୁଦ୍ରକୁ ନେଇ, ଯେଉଁଠାରେ ବିନା ଲାଇଫ୍ ଜ୍ୟାକେଟ୍ରେ ପହଁରିପାରିବେ । ଜାଣି ଆଶ୍ଚର୍ଯ୍ୟ ହେବେ, ସମୁଦ୍ରରେ କୌଣସି ବ୍ୟକ୍ତି ବୁଡ଼ି ନ ଥାନ୍ତି । ପିଲାଠୁ ବୁଢ଼ା ଯେ କେହି ବି ଏହା ଭିତରେ ଆରାମରେ ପହଁରିପାରିବେ । ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ଏହା ସତ । ବିଶ୍ୱସ୍ତରରେ ଏହି ସମୁଦ୍ର “ଡେଡ୍ ସି’ ନାମରେ ପରିଚିତ । ଏହା ଜୋର୍ଡାନ୍ ଏବଂ ଇସ୍ରାଏଲ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ । ସମୁଦ୍ରକୁ “ସଲ୍ଟ ସି’ ବୋଲି ମଧ୍ୟ କୁହାଯାଏ । କାରଣ ପାଣିରେ ଲୁଣର ମାତ୍ରାରେ ପ୍ରଚୁର । ଏଣୁ କୌଣସି ବ୍ୟକ୍ତି ଚାହିଁଲେ ବୁଡ଼ିପାରିବ ନାହିଁ । “ଡେଡ୍ ସି’ ନାମରେ ପରିଚିତ ଏହି ସମୁଦ୍ରର ପାଣି ଅତ୍ୟନ୍ତ ଖାର । ଏହି କାରଣରୁ ଆଖପାଖରେ କିମ୍ବା ସମୁଦ୍ର ଭିତରେ କୌଣସି ବୃକ୍ଷ କି ଗୁଳ୍ମ ବଞ୍ଚିପାରନ୍ତି ନାହିଁ । ଏହା ଦୁନିଆର ସବୁଠୁ ଅଧିକ ଖାର ପାଣିର ହ୍ରଦ ବୋଲି ମଧ୍ୟ କୁହାଯାଏ । ଏହି ପାଣିରେ ମିନରାଲ୍ସ ପ୍ରଚୁର ଥାଏ । ଏଣୁ ପାଣିରେ ସ୍ନାନ କଲେ ଚର୍ମଜନିତ ସମସ୍ୟାରୁ ଆରୋଗ୍ୟ ମିଳିଥାଏ । ଅସ୍ଥି ଯନ୍ତ୍ରଣା ହେଉଥିଲେ ଉପଶମ ମିଳିଥାଏ । ସମୁଦ୍ରରେ ପ୍ରଚୁର ପରିମାଣରେ ଲବଣ ଥିବାରୁ ମଣିଷ କେବଳ ପହଁରିଥାଏ, ବୁଡ଼ି ନ ଥାଏ । ଏଠାରେ ଅଧିକାଂଶ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥାଏ । ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥିବାରୁ ପାଣିରେ ସେମାନେ ଘଣ୍ଟା ଘଣ୍ଟା ବିତାଇଥାନ୍ତି ।


