ଯୋଡାରେ ମାତୃ-ପିତୃ ପୂଜନ ଦିବସ ପାଳିତ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): ଯୋଗ ବେଦାନ୍ତ ସେବା ସମିତି ଯୋଡା ଶାଖା ପକ୍ଷରୁ ଯୋଡା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ଗ୍ରାମାଚଂଳରେ ଶୁକ୍ରବାର ମାତୃ-ପିତୃ ପୂଜନ ଦିବସ ପାଳନ କରାଯାଇଛି । ଫେବୃଆରୀ ୧୪ ତାରିଖରେ ପ୍ରତିବର୍ଷ ପରି ଭାଲେନ୍ଟାଇନ୍ ଡେ ଦିବସ ପରିବର୍ତେ ମାତୃ-ପିତୃ ପୂଜନ ଦିବସ ସମଗ୍ର ଦେଶରେ ପାଳନ କରାଯାଉଅଛି । ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ କରି ପଥଭ୍ରଷ୍ଟ ହେଉଥିବା ଯୁବପିଢି ଙ୍କ ମଧ୍ୟରେ ଉତମ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ସନ୍ଥ ଶ୍ରୀ ଆଶାରାମ୍ ବାପୁଙ୍କ ପ୍ରେରଣାରେ ୨୦୦୬ ମସିହାରୁ ଫେବୃଆରୀ ୧୪ କୁ ଏହି ମାତୃ-ପିତୃ ପୂଜନ ଦିବସ ପାଳନ କରାଯାଉଅଛି । ଏହି ଅବସରରେ ଜୁରୁଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ଯୋଡା ସହରର ଆଜାଦବସ୍ତିଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ଯୋଡା ଶାଖାର ସଭାପତି ପ୍ରକାଶ କୁମାର ମହାପାତ୍ର , ବିଦ୍ୟାଳୟର ଶିକ୍ଷା କମିଟି ଅଧ୍ୟକ୍ଷ, ପ୍ରଧାନ ଆଚାର୍ଯ୍ୟ ଓ ବିଦ୍ୟା ମନ୍ଦିରର ଆଚାର୍ଯ୍ୟା ଆଚାର୍ଯ୍ୟ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବ ପ୍ରଥମେ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରମାନେ ନିଜ ନିଜର ମା ବାପା ଙ୍କୁ ଉଚ୍ଚ ଆସନରେ ବସାଇ ସେମାନଙ୍କର ପାଦ ଧୋଇ ଚନ୍ଦନ ଲଗାଇଥିଲେ । ଏହା ପରେ ମସ୍ତକରେ ପୁଷ୍ପମାଲ୍ୟ ଅର୍ପଣ କରି ଧୂପଦିପରେ ଆଳତୀ କରି ମା ବାପାଙ୍କ ସାତଥର ପରିକ୍ରମା କରି ଦଣ୍ଡବତ ପ୍ରଣାମ କରିଥିଲେ । ମା ବାପା ମାନେ ମଧ୍ୟ ସେମାନଙ୍କ ସନ୍ତାନ ମାନଙ୍କ ମସ୍ତକରେ ହାତ ରଖି ଆର୍ଶୀବାଦ କରିଥିଲେ । ଏହି ସମୟରେ ସମସ୍ତଙ୍କ ଆଖିରେ ଭକ୍ତିର ଅଶ୍ରୁ ଝରିପଡୁଥିବା ଦୃଶ୍ୟମାନ ହୋଇଥିଲା । । ଗତ ଜାନୁଆରୀ ମାସ ଠାରୁ ଯୋଡା ସହରରେ ଥିବା ପ୍ରାୟ ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଯାଇଛି ଏବଂ ଫେବୃଆରୀ ମାସ ମଧ୍ୟରେ ଯୋଡା ବ୍ଲକର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ସମିତି ପକ୍ଷରୁ ଶାଖା ସଭାପତି ପ୍ରକାଶ କୁମାର ମହାପାତ୍ର ସୂଚନା ଦେଇଥିଲେ ।


