ଯୌତୁକ ପାଇଁ ବୋହୁ ଙ୍କୁ ନିର୍ଯ୍ୟାତନା ଓ ଆକ୍ରମଣ ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ ଜଣେ ବୋହୁ ଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ଯୌତୁକନିର୍ଯାତନା ଦେବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରବିବାର ସନ୍ଧ୍ୟାରେ ଏତଲାକୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ନାଁ ରେ ଥାନା ମାମଲା ନଂ.୩୭୬/୨୨ ଦଫା – ୪୯୮(କ)/୨୯୪/୩୨୩/୩୪୧/୩୭୯/୩୪ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି। ଏତଲା ପ୍ରକାରେ ସୋରଡ଼ା ଥାନା ବଡ଼ ବଦାଙ୍ଗି ଗ୍ରାମର ବନିତା ଗୌଡ଼ ଗତ ୨୦୧୬ ରେ କଲ୍ୟାଣପୁର ଗ୍ରାମର ସୁଜିତ ଗୌଡ଼ଙ୍କୁ ବିବାହ କରିଥିଲେ। ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ଯୌତୁକ ସ୍ବରୂପ ସମସ୍ତ ଆସବାବ ପତ୍ର ଦିଆଯାଇଥିଲା। ବିବାହର ୫ ମାସ ପରେ ବନିତା ବାପ ଘରକୁ ଯାଇଥିଲେ। ୨୦୧୭ ମସିହାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଝିଅକୁ ୧ ବର୍ଷ ହେବାପରେ ସେ ନିଜ ଶାଶୁ ଘରକୁ ଆସିଥିଲେ। ଶାଶୁ ଘରେ ଝିଅର ଜନ୍ମଦିନ ପାଳନ ର କିଛିଦିନ ପାରେ ଶାଶୁଘର ଲୋକଙ୍କ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହି ନପାରି ବନିତା ପୁଣି ଥରେ ବାପ ଘରକୁ ଚାଲିଯାଇଥିଲେ। ବନିତା ଙ୍କ ସ୍ୱାମୀ କାମ ପାଇଁ ଦୁବାଇ ଚାଲିଯାଇଥିଲେ। ଦୁବାଇ ରେ ଅଢ଼େଇ ବର୍ଷ ରହିବା ମଧ୍ୟରେ ସ୍ୱାମୀ ଦିନେ ମଧ୍ୟ ସ୍ତ୍ରୀ ଙ୍କୁ ଫୋନ କରିନଥିଲେ। କିମ୍ବା ସ୍ତ୍ରୀ ଙ୍କ ଭରଣ ପୋଷଣ ପାଇଁ ଟଙ୍କା ପଠାଇନଥିଲେ। ଗତ ସାବିତ୍ରୀ ଅମାବାସ୍ୟା ପରେ ବନିତା ଝିଅକୁ ଧରି ଶାଶୁଘରକୁ ଆସିଥିଲେ। ଶାଶୁ ଓ ନଣନ୍ଦ ବନିତା ଙ୍କୁ ଏକୁଟିଆ ଘରେ ଛାଡ଼ିଦେଇ ତାଙ୍କର ଗାଁ ଭିତରେ ଥିବା ଅନ୍ୟ ଏକ ଘରକୁ ଚାଲିଯାଇଥିଲେ। ଏପରିକି ବନିତା ରହୁଥିବା ଘରର ବିଜୁଳି ସଂଯୋଗ ମଧ୍ୟ ବିଛିନ୍ନ କରିଦେଇଥିଲେ। ବନିତା ଛୁଆ କୁ ଧରି ଅନ୍ଧାରରେ ବଡ଼ କଷ୍ଟରେ ଚଳୁଥିଲେ। ଘରର ଧୂଆଁନଳା ଘୋଡଣୀ ଭାଙ୍ଗିଯାଇଥିବା ଯୋଗୁଁ ବନିତା ତାଙ୍କ ବାପାଙ୍କୁ ଡାକି ମରାମତି କରିବା ସମୟରେ ଶାଶୁ ନଣନ୍ଦ ମିଶି ବନିତା ଓ ତାଙ୍କ କୁନି ଝିଅକୁ ମାଡ଼ ମାରିଥିବା ନେଇ ଥାନାରେ ଏତଲା ଦେଇଥିଲେ। ସେ ଏବେ ନିଜ ଝିଅକୁ ଧରି ନିଜ ସ୍ୱାମୀଙ୍କ ନିକଟରେ ରହିବା ପାଇଁ ଚାଁହୁଥିବା ପୋଲିସ କୁ କହିଛନ୍ତି।