ରକ୍ତଦାନ କରି ମହିଳାଙ୍କ ଜୀବନ ରକ୍ଷା କଲେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଦସ୍ୟ ବୀରେନ୍ଦ୍ର
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ କିଛି ଦିନ ଧରି ରକ୍ତଦାନ ଶିବିର ଆୟୋଜିତ ହୋଇନଥିବାରୁ ଭଞ୍ଜନଗର ରକ୍ତଭଣ୍ଡାରରେ ରକ୍ତର ସଙ୍କଟ ଦେଖାଦେଇଛି I ଏଠାରେ ରୋଗୀଙ୍କୁ ପୂର୍ବରୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଥିବା ବେଳେ ବର୍ତ୍ତମାନ ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ରୋଗୀଙ୍କୁ ରକ୍ତ ଦେବାକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ରକ୍ତ ମଗାଯାଉଛି I ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ମହିଳାଙ୍କୁ ରକ୍ତଦାନ କରି ତାଙ୍କର ଜୀବନ ବଞ୍ଚାଇଛନ୍ତି ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦର ସଦସ୍ୟ ବୀରେନ୍ଦ୍ର ନାୟକ ଓରଫ ଲିଟୁ I ସୂଚନା ପ୍ରକାରେ ବାଉଁଶଲୁଣ୍ଡିର ସୁଶାନ୍ତ ମହାରଣାଙ୍କ ସ୍ତ୍ରୀ ଚାନ୍ଦିନୀ ମହାରଣା (୨୮) ଙ୍କ ଋତୁସ୍ରାବ ଜନିତ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ତାକୁ ବି ପଜିଟିଭ ରକ୍ତର ଆବଶ୍ୟକ ରହିଥିଲା I କିନ୍ତୁ ଭଞ୍ଜନଗର ରକ୍ତଭଣ୍ଡାରରେ ବି ପଜିଟିଭ୍ ରକ୍ତ ନଥିବାରୁ ଚାନ୍ଦିନୀଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ I ଏହି ଖବର ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦର ସଭାପତି ପଞ୍ଚାନନ ନାୟକଙ୍କ ନିକଟରେ ପହଞ୍ଚିବା ପରେ ସେ ତାଙ୍କ ସାଥୀ ବୀରେନ୍ଦ୍ରଙ୍କୁ ଖବର ଦେଇଥିଲେ I ବୀରେନ୍ଦ୍ରଙ୍କର ବି ପଜିଟିଭ୍ ରକ୍ତ ହୋଇ ଥିବାରୁ ସେ ସଙ୍ଗେ ସଙ୍ଗେ ଭଞ୍ଜନଗର ରକ୍ତଭଣ୍ଡାରକୁ ଯାଇ ଚାନ୍ଦିନୀଙ୍କ ପାଇଁ ନିଜ ରକ୍ତଦାନ କରିଥିଲେ I ବୀରେନ୍ଦ୍ରଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ଚାନ୍ଦିନୀଙ୍କ ପରିବାର ଏବଂ ଅଞ୍ଚଳବାସୀ ବୀରେନ୍ଦ୍ରଙ୍କୁ ସାଧୁବାଦ ଜଣାଇଛନ୍ତି I