ରଜତ ଜୟନ୍ତୀ ଉତ୍ସବ ପାଳନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଗୁରୁବାର ପ୍ରଥମ ଦିବସରେ ଅଭିଭାବିକାମାନଙ୍କ ଦ୍ୱାରା ଏକ କଳସ ଯାତ୍ରା ଏବଂ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ୟୋତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ସାଢେ ୩ଟାରେ ଅଭିଭାବକମାନଙ୍କ ଦ୍ୱାରା ଏକ କଳସ ଯାତ୍ରା ସ୍ଥାନୀୟ ଗୌରୀଶଙ୍କର ମନ୍ଦିରରୁ ବାହାରି ନଗର ପରିକ୍ରମା କରିବା ସହିତ ବିଦ୍ୟାଳୟ ପୂର୍ବ ଛାତ୍ରଛାତ୍ରମାନଙ୍କ ଦ୍ୱାରା ଏକ ଜ୍ୟୋତି ଶୋଭାଯାତ୍ରା ସ୍ଥାନୀୟ ଶ୍ରୀ ଶ୍ରୀ ରାବଣାମ୍ମା ମନ୍ଦିରରୁ ବାହାରି ସହର ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚିଥିଲା । ପ୍ରାୟ ପାଞ୍ଚଶହ ଜଣ ଅଭିଭାବିକା ଦ୍ୱାରା ଏହି କଳସ ଶୋଭାଯାତ୍ରା କରାଯାଇଥିଲା ଶିଶୁ ମାନଙ୍କ ଝାଙ୍କି ପ୍ରଦର୍ଶନ ଓ ଘୋଷ ସଞ୍ଚଳନ କରାଯାଇଥିବା ବେଳେ ଏନସିସି ଓ ସ୍କାଉଟ ଶିଶୁ ମାନେ ଶୃଙ୍ଖଳା ପରିଚାଳନା କରିଥିଲେ । ଶେଷରେ ଶିଶୁ ମନ୍ଦିର ପରିସରରେ ଗାୟତ୍ରୀ ପରିବାରର ଗୋକୁଳ ଚନ୍ଦ୍ର ନାହାକ ଦ୍ୱାରା ଦ୍ୱୀପ ଯଜ୍ଞ କରାଯାଇଥିଲ।। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଜନୀକାନ୍ତ ପଟ୍ଟନାୟକ, ସଂପାଦକ ଟି.ଭେଙ୍କେଟ କ୍ରିଷ୍ଣେୟା, ଉପସଭାପତି ତଥା ଆଇନଜୀବୀ ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ.ରାବଣା ରାଓ, ସଦସ୍ୟା ବିଜୟଲକ୍ଷ୍ମୀ ରଥ ଓ ସଂଯୁକ୍ତା ଦାଶ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ,ସହ ପ୍ରଧାନଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ, ଆଚାର୍ଯ୍ୟ ପ୍ରତିନିଧି ମନୋରଞ୍ଜନ ଦାଶ ପ୍ରମୁଖ ସଂପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ସେହିପରି ବିଦ୍ୟାଳୟ ପରିସରରେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖରେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ସନ୍ଧ୍ୟା ୭ଟାରେ ଅଙ୍କୁରାରୋପଣ ହୋଇଥିଲା । ୧୪ ତାରିଖ କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୫ ତାରିଖରେ ଅନୁଷ୍ଠାନର ବାର୍ଷିକୋତ୍ସବ ଅନୁଷ୍ଠିତ ହେବ ।