ରଜପୁର ଗ୍ରାମବାସୀଙ୍କ ଲାଗି ବିକାଶ ସାତସପନ ମୌଳିକ ସୁବିଧା ଯୋଗାଇବା ଦାବି

ସୋରଡ଼ା (ଜୁଗାବ୍ଦ ନ୍ୟୁଜ୍‍): କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ କୋଟି କୋଟି ଟଙ୍କାର ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ପ୍ରଶାସନିକ ଅବହେଳା ତଥା କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ସରକାରୀ ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳୁଛି । ଯାହାର ଜ୍ୱଳନ୍ତ ଉଦାହରଣ ସୋରଡ଼ା ବ୍ଲକର ଅସୁରବନ୍ଧ ପଞ୍ଚାୟତର ରାଜପୁର ଗ୍ରାମକୁ ଦେଖିଲେ ଜଣାପଡ଼େ । ରାଜ୍ୟରେ ଆମ ଗାଁ ଆମ ବିକାଶ ନାଁରେ କୁଢ଼ କୁଢ଼ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପ୍ରକୃତରେ ରାଜପୁର ଗ୍ରାମବାସୀ ଏହିସବୁ ଯୋଜନାଠାରୁ ବହୁ ଦୂରରେ । ସବୁ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ବିକାଶ ତ ଏଠି ଦୂରର କଥା ଲୋକେ ଏଯାଏଁ ନିଜ ନେତାଙ୍କୁ ଦେଖିନଥିବା କହୁଛନ୍ତି । ସତେ ଯେମିତି ସୋରଡ଼ା ବ୍ଲକ୍‍ର ରାଜପୁର ଗ୍ରାମ ଆଜି ବି ବିକାଶଠୁ ବହୁ ଦୂରରେ । ରାଜପୁର ଗ୍ରାମ ଅସୁରବନ୍ଧ ପଞ୍ଚାୟତଠାରୁ ମାତ୍ର ୧୦ କିମି ଦୂର । ଏହି ଗ୍ରାମକୁ ଯିବାକୁ ହେଲେ ଏକ ଜଙ୍ଗଲ ମଧ୍ୟରେ ପାଦଚଲା ରାସ୍ତାରେ ଯିବାକୁ ପଡ଼େ । ଗ୍ରାମକୁ ଆଜିଯାଏ ଭଲରାସ୍ତାଟିଏ ନିର୍ମାଣ ହୋଇପାରିଲାନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନ, ବିଜୁ ପକ୍କା ରାସ୍ତା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।ଅଥଚ ରାଜପୁର ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରୁନି । ରାସ୍ତା ନଥିବାରୁ ଗ୍ରାମବାସୀ ହଇରାଣ ହରକତ ହେଉଛନ୍ତି । ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନାହିଁ । ଫଳରେ ରୋଗୀ ଓ ଗର୍ଭବତୀଙ୍କୁ ଖଟରେ ବୋଡି ଡାକ୍ତରଖାନା ନେବାକୁ ପଡ଼ୁଛି । ଅନେକ ସମୟରେ ଜଙ୍ଗଲ ରାସ୍ତାଦେଇ ଯିବାବେଳେ ବନ୍ୟଜନ୍ତୁଙ୍କ ଶିକାର ହୋଇ ପ୍ରାଣହାନୀ ମଧ୍ୟ ଘଟୁଛି । ଗ୍ରାମବାସୀ ବର୍ଷକୁ ଚାରିଥର ରାସ୍ତା କାମରେ ଲାଗି ନିଜ ପାଇଁ ନିଜେ ରାସ୍ତା ମରାମତି କରୁଥିବା ଜଣାପଡ଼ିଛି । ଅଥଚ ପ୍ରଶାସନ ନିଦାବିଷ୍ଣୁ ପାଲଟିଛି । ବାରମ୍ବାର ଗୁହାରି ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଅନ୍ୟପକ୍ଷରେ ଗ୍ରାମରେ ଗୋଟିଏ ସ୍କୁଲ ନାହିଁ କି ଅଙ୍ଗନବାଡି ଗୃହ ନାହିଁ । ଗୋଟିଏପଟେ ପିଲାମାନେ ଶିକ୍ଷାରୁ ବଞ୍ଚତ ହେଉଥିବାବେଳେ ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ର ନଥିବରୁ ଅପପୁଷ୍ଟର ଶିକାର ହେଉଛନ୍ତି । ପାଠଶାଠ ନପଢ଼ିବାରୁ ଗ୍ରାମରେ ଅନେକ ଅଶିକ୍ଷିତ । କାମଦାମ ନପାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଗ୍ରାମରେ ଥିବା ଗୋଟିଏ ନଳକୂପ ଖରାଦିନେ ଏଥିରୁ ପାଣି ବାହାରୁନାହିଁ । ଖରାଦିନେ ଗ୍ରାମରେ ପାଣି ସମସ୍ୟା ଉକ୍ରଟ ରୂପ ଧାରଣ କରୁଛି । ଗ୍ରାମରେ ବିଜୁଳି ନଥିବାରୁ ସଂଧ୍ୟା ହେଲେ ତାଟିକବାଟ ପଡ଼ିଯାଏ । ମୋବାଇଲ୍‍ ସେବା ମଧ୍ୟ ନାହିଁ । ତେଣୁ ଖବର ମିଳିଲେ ବା ପାଠଇବାକୁ ମାଇକ୍‍ ଯୋଗେ ଖବର ପଠାନ୍ତି । ସୌଭାଗ୍ୟ ଯୋଜନାରେ ଗ୍ରାମକୁ ଲାଇନ୍‍ ଦେବା ଲାଗି ଟେଣ୍ଡର ହୋଇଛି । ହେଲେ ଠିକାଦାରଙ୍କ ଦେଖାନାହିଁ ।
ଗ୍ରାମରେ ପାଖାପାଖି ୨୬ ପରିବାର ବସବାସ କରୁଛନ୍ତି । ଏଥିରୁ ୨୦ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ । ରାସନ କାର୍ଡ ମିଳିଛି ସତ କିନ୍ତୁ ଏହିସବୁ ସୁବିଧା ପାଇଁ ମୌଳିକ ସୁବିଧାର ଅଭାବ ରହିଛି । ସବୁ ବିକାଶ ଏଠି ସାତ ସପନ । ରାଜ୍ୟ ବ୍ୟାପୀ ବିକାଶର ନାରା । କିନ୍ତୁ ଏଠାରେ ନା ନେତା ନା ପ୍ରଶାସନିକ ଅଧିକାରୀ କାହାର ମଧ୍ୟ ଦେଖାନାହିଁ । ତେଣୁ ଭାଗ୍ୟକୁ ଆଦରି ଗ୍ରାମବାସୀ ପଡ଼ି ରହିଛନ୍ତି । ସରକାର ତଥା ପ୍ରଶାସନିକ ଅବହେଳାର ଶିକାର ହୋଇମଧ୍ୟ ଗ୍ରାମବାସୀ ନିଜ ସଂସ୍କୃତି ଓ ପରମ୍ପରାକୁ ନେଇ ବେଶ୍‍ ଖୁସି । ଏହିସବୁ ଅସୁବିଧାକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ