ରଣପୁର ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ରଣପୁର (ଯୁଗାବ୍ଦ ନ୍ୟୁଜ୍) : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ତରଫରୁ ସୋମବାର ରଣପୁର ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସାରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ରଥ କାଠ ସନ୍ଧାନ, ପରିମଳ ବ୍ୟବସ୍ଥା, ପାନୀୟ ଜଳର ବ୍ୟବସ୍ଥା, ରଥଖଳା ପରିଷ୍କାର, ଶାନ୍ତି ଶୃଙ୍ଖଳା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ରଥ ନିର୍ମାଣ ପାଇଁ ରଥ ଖଳାରେ ଥିବା ଦୋକାନ ବଜାରକୁ ଉଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରାର ସୁପରିଚାଳନା ପାଇଁ ଏକ ସୁରକ୍ଷା କମିଟି ସହ ଏକ ପ୍ରଚାର ପ୍ରସାର କମିଟି ଗଠନ କରାଯାଇଛି । ଏହି ବୈଠକରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ତହସିଲଦାର ସୁଶାନ୍ତ କୁମାର ପତି, ଥାନାଧିକାରୀ ବୈଦ୍ୟନାଥ ଭୋଇ, ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ଶତପଥି, ଏବିଡିଓ ରତନ ଲାଲ ଲୋହରା, ଏନ୍ଏସି ଅଧ୍ୟକ୍ଷା ସବିତା ଦାସ, ସମନ୍ୱୟ ଶିଶୁ ବିକାଶ ଅଧିକାରିଣୀ ବ୍ରହ୍ମୋତ୍ରୀ ମିଶ୍ର, ଅଗ୍ନିଶମ ବିଭାଗ ଅଧିକାରୀ ସରୋଜ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଆସନ୍ତା ମଙ୍ଗଳବାରଠାରୁ ମହାରଣାମାନେ ଓ ବନ କର୍ମଚାରୀ ମିଳିତ ଭାବେ ସଂରକ୍ଷିତ ଜଙ୍ଗଲକୁ ଯାଇ ଧଅରା କାଠ ଖୋଜିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଥାନାଧିକାରୀ ବୈଦ୍ୟନାଥ ଭୋଇ ରଥ ଯାତ୍ରା ପାଇଁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସର ବ୍ୟବସ୍ଥା କରିବା ସହ ରଥ ଯାତ୍ରା ସମୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ମତ ପ୍ରକାଶ କରିଥିଲେ । ଏନଏସି ଅଧ୍ୟକ୍ଷା ରଥଯାତ୍ରା ସମୟରେ ବଡ଼ଦାଣ୍ଡ କିପରି ପରିଷ୍କାର ପରିଚ୍ଛନ ରହିବ ସେ ଉପରେ ଦୃଷ୍ଟି ଦେବେ ବୋଲି କହିଥିଲେ । ବୈଠକରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିଲେ । ତହସିଲଦାର ସୁଶାନ୍ତ କୁମାର ପତି ଓ ମନ୍ଦିର ପରିଚାଳନା କମିଟି ମ୍ୟାନେଜର ରମେଶ ଚନ୍ଦ୍ର ପ୍ରଧାନ ବୈଠକ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ବିଶିଷ୍ଟ ବ୍ୟକ୍ତି, ସେବାୟତ, ମହାରଣାମାନେ ଯୋଗ ଦେଇଥିଲେ ।