ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର : ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମୀକ୍ଷା କରିଛନ୍ତି । ରଥଯାତ୍ରା କିଭଳି ସୁଚାରୂ ରୂପେ ସମ୍ପାଦିତ ହେବ ସେନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ନବୀନ କହିଛନ୍ତିଯେ, ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଅନୁମତି ଦେଇଥିବାରୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସେହିପରି କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛି । ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତି କରିଛନ୍ତି । ଠିକ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କର ସବୁ ରୀତିନୀତି ଠିକ ଭାବେ ଚାଲିଛି । ସେଥିପାଇଁ ମୁଁ ସେବାୟତ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି । ବର୍ତମାନ କୋଭିଡ଼-୧୯ ଯୋଗୁଁ ସାରା ବିଶ୍ୱ ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତିକରୁଛି । ଏହି ପରିସ୍ଥିତିରେ ମହାପ୍ରଭୂଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ । କୋଭିଡ଼ ପରିସ୍ଥିତିରେ ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ବେ । ମୋର ଆଶା ଓ ବିଶ୍ୱାସ, ରଥଯାତ୍ରା ପରିଚାଳନାରେ ଭାଗ ନେଇଥିବା ସମସ୍ତେ କୋଭିଡ଼ ଗାଇଡ଼ଲାଇନସକୁ ନିଷ୍ଠାର ସହ ପାଳନ କରିବେ। ପରମ୍ପରା ସହିତ ଜନସ୍ୱାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେଇ ଆମକୁ ରଥଯାତ୍ରା ପାଳନ କରିବାକୁ ହେବ । ସାରା ବିଶ୍ୱର ନଜର ଏବେ ଆମ ଉପରେ ରହିବ । ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡ଼ଲାଇନସକୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ, ତା’ର ନିଦର୍ଶନ ଆମକୁ ସାରା ବିଶ୍ୱକୁ ଦେଖାଇବାକୁ ହେବ । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ୩ ଜଣ ମନ୍ତ୍ରୀଙ୍କୁ ପୁରୀରେ କ୍ୟାମ୍ପ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଛନ୍ତି । ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସେମାନେ ପୁରୀରେ ରହି ରଥଯାତ୍ରା କାର୍ଯ୍ୟ ତଦାରଖ କରିବେ । ପୁରୀର ଜନସାଧାରଣଙ୍କୁ ମୋର ବିଶେଷ ଅନୁରୋଧ, ଆପଣମାନେ କୋଭିଡ଼ ଗାଇଡ଼ଲାଇନ୍ସକୁ ପାଳନ କରନ୍ତୁ। ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ । ସବୁରି ଉପରେ ହିଁ ମହାପ୍ରଭୂଙ୍କ ଇଚ୍ଛା । ତାଙ୍କର ଇଚ୍ଛା ପାଳନ କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ । ରଥଯାତ୍ରା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।