ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ: ମୁକ୍ତି ମଣ୍ଡପ

ଭୁବନେଶ୍ୱର: ଯଦି ଅନିବାର୍ଯ୍ୟକାରଣ ବଶତଃ ରଥଯାତ୍ରା ବନ୍ଦ ହେଲା ତେବେ ଅସୁବିଧା କିଛି ନାହିଁ । କରୋନା ନେଇ ରଥଯାତ୍ରା ପ୍ରସଙ୍ଗରେ ମୁକ୍ତି ମଣ୍ଡପ ପକ୍ଷରୁ ଏହା କୁହାଯାଇଛି । ଏଥିସହ ଏକ ପ୍ରେସ ରିଲିଜ ଜରିଆରେ ରଥଯାତ୍ରା ପ୍ରସଙ୍ଗରେ ମୁକ୍ତି ମଣ୍ଡପ ପକ୍ଷରୁ ସୁଚିନ୍ତିତ ପରାମର୍ଶ ଦିଆଯାଇଛି ।
ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି ଯେ, ସୀମିତ ସେବକ ଓ ସ୍ୱଳ୍ପ ପୁଲିସଙ୍କୁ ନେଇ ରଥଯାତ୍ରା ହୋଇପାରିବ । ପୁରୀର ସବୁ ପ୍ରବେଶପଥକୁ ସିଲ କଲେ କରୋନାକୁ ଏଡ଼ାଇ ହେବ । ପୁଲିସ ଓ ସେବକଙ୍କ ଛଡ଼ା ଅନ୍ୟ କାହାରିକୁ ପ୍ରବେଶ କରାଇ ଦିଆଯିବନାହିଁ । ତେବେ ଯଦି ଅନିବାର୍ଯ୍ୟକାରଣ ବଶତଃ ରଥଯାତ୍ରା ବନ୍ଦ ହେଲା ତେବେ ଅସୁବିଧା କିଛି ନାହିଁ । ଆପତକାଳୀନ ବ୍ୟବସ୍ଥାନୁଯାୟୀ ସାମ୍ପ୍ରତିକ ଦୁଃସ୍ଥିତିରେ ହାନିକାରକ ନୁହେଁ । ଭକ୍ତ ଓ ସେବକ ସୁସ୍ଥ ରହିଲେ ମନ୍ଦିର ଓ ଦେବତା କାନ୍ତିଯୁକ୍ତ ହେବେ । ତେବେ ଏକ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସର୍ବଜନ ଗ୍ରାହ୍ୟ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଯେ, ଗତକାଲି କରୋନା କଟକଣା ଯୋଗୁଁ ଅକ୍ଷୟ ତୃତୀୟ ଅବସରରେ ବିଶ୍ବନିୟନ୍ତା ମହାପ୍ରଭୁ ଏଥର ଚାପଖେଳ ପାଇଁ ଶ୍ରୀମନ୍ଦିର ବାହାରକୁ ନଯାଇ ଶ୍ରୀମନ୍ଦିର ଭିତରେ ହିଁ ଚାପ ଖେଳିଛନ୍ତି। ଯେଉଁଠି ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗୁଥିଲା, ତାହା ବିନା ଭକ୍ତରେ ନିରାଡ଼ମ୍ବର ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କ ସହ ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ, ପଞ୍ଚ ମହାଦେବ ଶ୍ରୀଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ବଦଳରେ ଜଳକ୍ରୀଡ଼ା ମଣ୍ଡପ, ମାଜଣାମଣ୍ଡପଠାରେ ପ୍ରସ୍ତୁତ କୁଣ୍ଡରେ ସୁବାସିତ ଜଳରେ ଜଳସ୍ନାନ କରିବା ସହ ପ୍ରତୀକ ଡଙ୍ଗାରେ ଚାପ ଖେଳିଥିଲେ ।
ପରମ୍ପରା ମୁତାବକ, ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ମଦ‌ନମୋହନ, ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ ଓ ପଞ୍ଚ ମହାଦେବ ସ୍ୱତନ୍ତ୍ର ମଣି ବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ନନ୍ଦା ଓ ଭଦ୍ରା ଡଙ୍ଗାରେ ବସି ନୌବିହାର କରନ୍ତି। ଏହା ପୂର୍ବରୁ ମହାପ୍ରଭୁ ସୁବାସିତ ଜଳରେ ଆକଣ୍ଠ ଜଳସ୍ନାନ ସହ ମାଣ୍ଡୁଆ ଭୋଗ ଖାଇଥାନ୍ତି। ଶ୍ରୀମନ୍ଦିରରୁ ନରେନ୍ଦ୍ର ଯିବା ସମୟରେ ବଡ଼ଦାଣ୍ଡ ଚନ୍ଦନ, ତୁଳସୀ, କର୍ପୁର ଆଦି ବାସ୍ନାରେ ମହକି ଉଠେ। ହଜାର ହଜାର ଭକ୍ତ ଶ୍ରୀମନ୍ଦିରରୁ ଶୋଭାଯାତ୍ରା ସହକାରେ ମହାପ୍ରଭୁଙ୍କୁ ନରେନ୍ଦ୍ର ପର୍ୟ୍ୟନ୍ତ ନେଇଥାନ୍ତି। ଚାପ ଖେଳ ସମୟରେ ବି ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ଛିଡ଼ା ହେବାକୁ ଜାଗା ନଥାଏ। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଏହି ଜଳକ୍ରୀଡ଼ାକୁ ୨୧ ଦିନ ଧରି ଦେଖିଥାନ୍ତି। କିନ୍ତୁ କରୋନା ଭୂତାଣୁ ପାଇଁ ଚଳିତ ବର୍ଷ ଏ ସବୁକୁ ବନ୍ଦ କରି ଦିଆଯାଇଛି। ଆଡମ୍ବର ନୁହେଁ, ନିରାଡ଼ମ୍ବର ପରିବେଶରେ ଶ୍ରୀମନ୍ଦିର ଭିତରେ ହିଁ ଏହି କାର୍ୟ୍ୟ ସଂପାଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ