ରଥଯାତ୍ରା ସିଧା ପ୍ରସାରଣ ବିଡିଂ ନିଷ୍ପତ୍ତିକୁ ବିରୋଧ
ପୁରୀ(ଜୁଗାବ୍ଦ ନ୍ୟୁଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ବିଡିଂ ହେବା ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ସାମଜବାଦୀ ପାର୍ଟି ରାଜ୍ୟ ଉପସଭାପତି ରବି ବେହେରା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାସ ଏହାକୁ ଦୃଢ ବିରୋଧ କରିଛନ୍ତି । ଏଥିସହ ଉକ୍ତ ଘଟଣାରେ ଆଇନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରି ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାକୁ ବନ୍ଦ କରନ୍ତୁ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେମାନେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ହଜାର ହଜାର ଏକର ଜମିକୁ ଜମିମାଫିଆ ଜବରଦଖଲ କରି ରଖିଛନ୍ତି । ହେଲେ ସେମାନଙ୍କଠାରୁ ଜମି ଉଦ୍ଧାର କରିବାରେ ପ୍ରଶାସନ ବିଫଳ ହୋଇଥିଲା ବେଳେ ଥଯାତ୍ରା ପ୍ରସାରଣ କ୍ଷେତ୍ରରେ ଟେଣ୍ଡର ଡାକିବା ପାଇଁ ଯେଉଁ ମସୁଧା କରିଛି ତାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଅଘାତ୍ ଦେଇଛି । ତେଣୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ ଯେଉଁ ବ୍ୟବସାୟିକରଣ କରିବା ପାଇଁ ଉଦ୍ୟମ କରୁଛନ୍ତି ସେଥିରୁ ମୁଖ୍ୟ ପ୍ରଶାସକ ନିବୃତ୍ତ ରୁହନ୍ତୁ । ନଚେତ୍ ଆଗାମୀ ଦିନରେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଛି । ସେହିପରି ସଚେତନ ନାଗରିକ ମଞ୍ଚ ମଧ୍ୟ ମୁଖ୍ୟ ପ୍ରଶାସକଙ୍କୁ ଅବଗତ କରିଛନ୍ତି । ଉକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ସୂଚନାଥାଉକି, ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ନୋଟିସ୍ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀଙ୍କୁ ହୋଇଥିଲା । ସେଥିରେ ଉଲେଖ ରହିଥିଲା ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ କରିବାକୁ ଯେ କୌଣସି ଗୋଟିଏ ଚ୍ୟାନେଲକୁ ଅନୁମତି ମିଳିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଡିଂ ମଗାଯାଇଛି । ସ୍ନାନଯାତ୍ରା ଠାରୁ ଆରମ୍ଭ କରି ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସବୁର ସିଧାପ୍ରସାରଣ ପାଇଁ ହେବ ବିଡିଂ । ଏଥିପାଇଁ ଆସନ୍ତା ୧୦ ତାରିଖ ସୁଦ୍ଧା ଆବେଦନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଲ୍ଲେଖ କରିଛି । ଯେଉଁ ସଂସ୍ଥା ଅଧିକ ଟଙ୍କା ଦେବ ତାକୁ ରଥଯାତ୍ରାର ସିଧାପ୍ରସାରଣର ଅଧିକାର ମିଳିବ । ଏନେଇ ନୋଟିସ୍ରେ ବିଭିନ୍ନ ସର୍ତ୍ତାବଳୀ ରଖାଯାଇଛି । ପୂର୍ବରୁ ବିଭିନ୍ନ ଚ୍ୟାନେଲ ରଥଯାତ୍ରାର ସିଧାପ୍ରସାରଣ କରୁଥିବା ବେଳେ ହଠାତ୍ ପ୍ରଶାସନର ଏଭଳି ନିଷ୍ପତ୍ତି ନେଇ ଅନେକ ପ୍ରଶ୍ନ ଉଠୁଛି । ତେବେ ଉକ୍ତ ଘଟଣା ପ୍ରଘଟ ହେଲା ପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ତୀବ୍ର ପ୍ରତିକିୟା ପ୍ରକାଶ ପାଉଛି । ରଥଯାତ୍ରାର ସିଧାପ୍ରସାରଣକୁ ବ୍ୟବସାୟୀକରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ଏଭଳି ତରବରିଆ ନିଷ୍ପତ୍ତି ନେଇ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଶ୍ରୀମନ୍ଦିର ପରିଚାଳନା କମିଟି ବା ଛତିଶାନିଯୋଗ ସହିତ ଆଲୋଚନା ନକରି ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସ୍ଥାନୀୟ ଜନପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟଙ୍କ ସମେତ ସେବାୟତ, ବୁଦ୍ଧିଜୀବୀ ଓ ସ୍ୱେଚ୍ଛସେବୀ ଅନୁଷ୍ଠାନ ତୀବ୍ର ନିନ୍ଦା କରିଛନ୍ତି । ଏସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ରଥଯାତ୍ରା ସମୟରେ ସମସ୍ତ ଚ୍ୟାନେଲ ଅଧିକ ସଂଖ୍ୟାରେ ବ୍ୟବସାୟିକ ଅର୍ଥ ରୋଜଗାର କରୁଛନ୍ତି । ତେଣୁ ସେମାନେ ସେହି ଅର୍ଥରୁ କିଛି ମହାପ୍ରଭୁଙ୍କୁ ଦାନ କରନ୍ତୁ । ଅନ୍ୟପକ୍ଷରେ ଆସନ୍ତାକାଲି ୪ଟାରେ ବିଡିଂ ହେବ । ତେଣୁ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।