ରାକ୍ଷୀରେ ରାକ୍ଷୀ

ଓଡ଼ିଶାର ଲୋକ ସଂସ୍କୃତି ତଥା ଜଗନ୍ନାଥ ସଂସ୍କୃତିର ଏକ ନିଚ୍ଛକ ନିଦର୍ଶନ ରୂପେ ଅଗଣିତ ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କର ପର୍ବ ଭାବେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣିମା । ଏହା ପଛରେ ଏକ ପୋ÷ରାଣିକ କିମ୍ବଦନ୍ତୀ ରହିଛି-ଏହିଦିନ ପ୍ରଭୁ ଜଗନ୍ନାଥଙ୍କ ଅଗ୍ରଜ ବଳଭଦ୍ରଙ୍କର ଜନ୍ମ ଦିବସ । ଶ୍ରାବଣ ମାହାତ୍ମ୍ୟ, ଶିବଙ୍କର ଜଳଲାଗି ଭଳି ଶ୍ରାବଣ ପୂର୍ଣ୍ଣମୀରେ ପାଳିତ ହୁଏ ରାକ୍ଷୀ ପୂର୍ଣ୍ଣମୀ । ପ୍ରଭୁ ବଳରାମଙ୍କ ହସ୍ତରେ ଥିବା ଲଙ୍ଗଳ, ଯାହା କୃଷି କାର୍ଯ୍ୟରେ ବ୍ୟବହୃତ ହୋଇଥାଏ, ତାହା ଯୁଗଦ୍ରଷ୍ଟା ଭଗବାନ ବଳଦେବଙ୍କର ଆୟୂଧ ରୂପେ ପୁରାଣରେ ବର୍ଣ୍ଣିତ ଅଛି । ପ୍ରଭୁ ବଳଭଦ୍ର, ମାତା ଦେବକୀଙ୍କ ସପ୍ତମ ଗର୍ଭରୁ ଉଭେଇ ଯାଇଥିଲେ ଏବଂ ଏହି ଗର୍ଭକୁ ଦେବର୍ଷି ନାରଦ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିଥିଲେ । କାରଣ, ଦେବତାମାନଙ୍କ କଥା ଅନୁସାରେ କଂସ ଭୟରେ ବସୁଦେବଙ୍କର ପତ୍ନୀ ରୋହିଣୀଙ୍କୁ ଗାଈ ରୂପରେ ଗୋପପୁରର ନନ୍ଦ ରାଜାଙ୍କ ଉଆସରେ ଛାଡ଼ିଥିଲେ । ସେହିଠାରେ ଜନ୍ମ ନିଅନ୍ତି ଧବଳ ରୂପ ଧାରୀ ଦେବ ସଂକର୍ଷଣ, ଯାହାକୁ ବଳରାମ ବା ବଳଭଦ୍ର କୁହାଯାଏ । ତାଙ୍କର ଆୟୂଧ ରୂପେ ଲଙ୍ଗଳକୁ ଧାରଣ କରନ୍ତି । କୃଷ୍ଣ ପୁତ୍ର ଦୁର୍ଯ୍ୟୋଧନଙ୍କର କନ୍ୟାଙ୍କୁ ଅପହରଣ କରିବା ବେଳେ ମହାକୋପୀ ତଥା ପ୍ରବଳ ପରାକ୍ରମୀ ବଳରାମ ନିଜର ଆୟୂଧ ଲଙ୍ଗଳରେ ନାଶ କରିବା ପାଇଁ ଧମକ ଦେଇଥିଲେ । ତାହା ବ୍ୟତୀତ ପ୍ରଦ୍ୟୁମ୍ନ ଜନ୍ମର କିଛି ଦିନ ପରେ ସମ୍ବରାସୁର ଦ୍ୱାରା ଅପହୃତ ହୋଇଥିବାରୁ କ୍ରୋଧିତ ବଳଭଦ୍ର ଯମୁନା ନଦୀକୁ ଲଙ୍ଗଳ ଗାରରେ ତାଡ଼ି ଶୁଖାଇବା ଉଦ୍ଦେଶ୍ୟରେ ବଳ ପ୍ରୟୋଗ କରନ୍ତେ, କୃଷ୍ଣଙ୍କ ସାନ୍ତ୍ୱନାରେ ଶାନ୍ତ ହୋଇଥିଲେ, ଯାହା ଆଜି ବି ଦିଲ୍ଲୀ ଠାରେ ବଳରାମଙ୍କର ଲଙ୍ଗଳ ଗାର ଟାଣିଥିବାର ନମୂନା କିମ୍ବଦନ୍ତୀ ଥିବାର ବହୁ କାବ୍ୟରେ ବର୍ଣ୍ଣିତ ଅଛି । ସେହି ବଳରାମ, ରୋହିଣୀ ନାମକ ଗାଈ ଠାରୁ ଜନ୍ମ ହୋଇଥିବାରୁ ଆମର ବିଶ୍ୱାସ ଏବଂ ଭାରତୀୟ ଲୋକ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ଏହି ଦିନଟିକୁ ବଳଭଦ୍ରଙ୍କର ଜନ୍ମ ଦିବସ ରୂପେ ପାଳନ କରା ଯାଉଛି । ଏହି ଦିନ ସମସ୍ତ କୃଷିକାରୀ ଗୋରୁଗାଈଙ୍କୁ ହଳଦୀ ଜଳରେ ସ୍ନାନ କରାଇ ତୈଳ ମର୍ଦ୍ଦନ କରିଥାନ୍ତି । ମସ୍ତକରେ ସିନ୍ଦୂର, ଚନ୍ଦନ, ପୁଷ୍ପ, ମୁକୁଟ ଓ ରାକ୍ଷୀ ଆଦିରେ ଭୂଷିତ କରାଇ ବିଧିବଦ୍ଧ ଗୋ ପୂଜନ କରିଥାନ୍ତି ଏବଂ ଗୋରୁଗାଈଙ୍କ ପାଇଁ ଡାଲି, ପିଠା, ଗୁଡ଼, ଅରୁଆ ଚାଉଳ, କଦଳୀ ଓ କ୍ଷୀର ଦେଇଥାନ୍ତି । ଏହିଦିନଟି ଅତୀବ ସ୍ମରଣୀୟ ଦିବସ ରୂପେ ପ୍ରତ୍ୟେକ ପରିବାର ଛଡ଼ା ଦେଶ ବିଦେଶରେ ଥିବା ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ଭାଇ ଭଉଣୀ ସମ୍ପର୍କର ଏକ ସେତୁବନ୍ଧ ପଡ଼େ, ଯାହା କ୍ଷୟ ବା ଧ୍ୱଂସ ହେବାର କୋ÷ଣସି ବି ଭୟ ନଥାଏ । ଯାହାକୁ ଆମେ ରାକ୍ଷୀର ଦିନ ବୋଲି କହିଥାଉ । ପ୍ରତ୍ୟେକ ଭଉଣୀର ତା’ ଭାଇ ପାଖରେ କିଛି ନି କିଛି ଅଭିମାନ, ଅଭିଳାଷ ଓ ସଦିଚ୍ଛା ପ୍ରକାଶ କରିବାର ଅବସର ଥାଏ । ତା’ ଛଡା ଭଉଣୀମାନେ ଭାଇ ଠାରୁ ସବୁ ସମୟରେ ତାଙ୍କର ମାନ ସମ୍ମାନ ତଥା ଜୀବନ ରକ୍ଷାର ପ୍ରତିଶୃତି ନେଇଥାନ୍ତି । ରାକ୍ଷୀର ଡୋର ପ୍ଲାଷ୍ଟିକ ସୂତା ବା ରେଶମର ଡୋର ନୁହେଁ, ଏହା ହେଉଛି ପ୍ରତ୍ୟେକ ଭଉଣୀର ଭାଇ ପାଖରେ ଅନାବିଳ ପ୍ରେମ, ଅଭିମାନ ଓ ଅଳି ଅର୍ଦ୍ଦଳି । ଏହାର ଏକ ପୋ÷ରାଣିକ ନିଦର୍ଶନ ହେଉଛି, ଦ୍ୱାପର ଯୁଗରେ କୃଷ୍ଣାବତାରରେ ପାଞ୍ଚାଳୀ ଓ ଭଗବାନଙ୍କ ଭାଇ ଭଉଣୀର ଅନାବିଳ ସମ୍ପର୍କ ଏବଂ ଭକ୍ତିପୂତ ଆବେଗ ଭରା ସନ୍ଦେଶ । ସମଗ୍ର ଧରାବାସୀଙ୍କ ହୃଦୟରେ ଭାଇ ଭଉଣୀର ସମ୍ପର୍କର କୋ÷ଣସି ବି ସଂଜ୍ଞା ନିରୂପଣ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ବୁଝି ହେଉଛି । କାରଣ, ଏହି ସମ୍ପର୍କ ଅତ୍ୟନ୍ତ ବ୍ୟାପକ ।
ଥରେ କୃଷ୍ଣଙ୍କର କାନି ଅଙ୍ଗୁଷ୍ଠି କଟିଯାଇ ରକ୍ତସ୍ରାବ ହେଉଥିଲା, ଏହି ସମୟରେ ଦ୍ରୋ÷ପଦୀ ନିଜ ଅଂଚଳକୁ ଚିରି କୃଷ୍ଣଙ୍କ ଅଙ୍ଗୁଷ୍ଠିରେ ବାନ୍ଧି ଦେଇ ଭଉଣୀ ପଣିଆର ନିଦର୍ଶନ ଦେଖାଇଥିଲେ । ସେତେବେଳେ କୃଷ୍ଣ ପାଞ୍ଚାଳିଙ୍କ ଉପରେ ଖୁସି ହୋଇ କହିଥିଲେ-ଏହା ବଦଳରେ ତୋତେ କୋଟି ବସ୍ତ୍ର ମିଳିବ । ଯଦି ତୁମେ ମୋତେ ସେହି ପବିତ୍ର ଭାବନାରେ ସ୍ମରଣ କରିବ, ତୁମକୁ ନିଶ୍ଚୟ ପ୍ରାପ୍ତ ହେବ । ଦ୍ରୋ÷ପଦୀଙ୍କ ବସ୍ତ୍ର ହରଣ ସମୟରେ ସେ ନିର୍ବିଘ୍ନରେ କୃଷ୍ଣଙ୍କୁ ସ୍ମରଣ କରି କୋଟି ବସ୍ତ୍ର ପାଇ ଲଜ୍ଜାମୁକ୍ତ ହୋଇଥିଲେ ଏବଂ ଭାଇ ଭଳି କୃଷ୍ଣଙ୍କ ପ୍ରତ୍ୟେକ ଘାତ ପ୍ରତିଘାତରେ ଦ୍ରୋ÷ପଦୀଙ୍କ ସହାୟତା କରିଥିଲେ । ଗହ୍ମା ପୂର୍ଣ୍ଣମୀ ଦିନ ବ୍ରାହ୍ମଣମାନେ ନିଜର ଜଜମାନଙ୍କର ମଂଗଳ ମନାସିବା ସଂଗେ ସଂଗେ ପ୍ରତ୍ୟେକ ପୁରର ଶାନ୍ତି କାମନା ପୂର୍ବକ ରକ୍ଷର ସୂତ୍ର (ରାକ୍ଷୀ) ପ୍ରଦାନ କରନ୍ତି । ପ୍ରଥମେ ଘରେ ଥିବା ଇଷ୍ଟ ଦେବମାନଙ୍କୁ ରାକ୍ଷୀ ଅର୍ପଣ କରାଯିବା ପରେ ଉପବୀତ ଧାରଣ କରା ଯାଇଥାଏ । ଇତିହାସକୁ ଲକ୍ଷ୍ୟକଲେ ଜଣାଯାଏ, ସେତେବେଳେ ମଧ୍ୟ ରାକ୍ଷୀର ବ୍ୟବହାର ଓ ବଳଭଦ୍ର ପୂଜା କରା ଯାଉଥିଲା । ଦିଲ୍ଲୀର ମୋଗଲମାନେ ଅତ୍ୟନ୍ତ ଅତ୍ୟାଚାରୀ ଓ ପ୍ରଭାବଶାଳୀ ରାଜା ରୂପେ ଖ୍ୟାତି ଅର୍ଜନ କରିଥିଲେ । ଜୋର ଜବରଦସ୍ତ ରାଜପୁତ ନାରୀମାନଙ୍କୁ ଉପଭୋଗ ତଥା କେହି କେହି ବିବାହ ମଧ୍ୟ କରୁଥିଲେ । ସେମାନଙ୍କର ମୁଖ୍ୟତଃ ପ୍ରଜାପୀଡନ ଏବଂ ଧନରତ୍ନ ଲୁଣ୍ଠନର ଅଭ୍ୟାସ ଥିଲା । ସେଥିପାଇଁ ରାଜପୁତ ନାରୀମାନେ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଭାଇ ଭଉଣୀ ସମ୍ପର୍କ ସ୍ଥାପନ କରିବା ସହ ନିଜର ତଥା ରାଜ୍ୟର ସୁରକ୍ଷା ପାଇଁ ମୋଗଲମାନଙ୍କ ଠାରୁ ପ୍ରତିଶୃତି ନେଉଥିଲେ । ଯାହାର ଏକ ବିରାଟ ଉଦାହରଣ ସମ୍ରାଟ ଆକବର । ତାଙ୍କ ସମୟରେ ରାଜପୁତ ଓ ମୋଗଲମାନଙ୍କର ଖୁବ୍ ସୁସମ୍ପର୍କ ରହିଥିଲା ଏବଂ ହିନ୍ଦୁ-ମୁସଲମାନ ଭାଇଚାରା ସୃଷ୍ଟି ହୋଇଥିଲା । ସେହି ସମ୍ପର୍କ ଅଦ୍ୟାବଧି ଜୀବିତ ଥିବାର ପରିଲକ୍ଷିତ ହେଉଛି । ଏବେ ବିଦେଶରେ ଭାଇମାନଙ୍କ ପାଇଁ ସାରା ଭାରତ ଓ ଓଡ଼ିଶାର ନାରୀ ତଥା ଭଉଣୀମାନେ ଡାକ ଯୋଗେ ନିଜର ସମ୍ପର୍କ ଅତୁଟ ରଖିବା ପାଇଁ ଭାଇମାନଙ୍କ ନିକଟକୁ ରାକ୍ଷୀ ପଠାଉଛନ୍ତି ।
ରାକ୍ଷୀ-ରକ୍ଷାରୁ ରାକ୍ଷୀ । ଏହାକୁ ରକ୍ଷାର କବଚ ରୂପେ ମଧ୍ୟ ଅଭିହିତ କରା ଯାଇଥାଏ ।
‘ତ୍ୱଂ ବ୍ରହ୍ମା ବିଷ୍ଣୋ ରୁଦ୍ରୋଽସି ଦୁର୍ଗା ଲକ୍ଷ୍ମୀ ସ୍ୱରୂପକମ୍ ।
ପ୍ରାଣ ସଂରକ୍ଷଣାର୍ଥଂ ଭ୍ରାତୃତ୍ୱଂ ଭଗ୍ନୀଂ ନିବେଦୟେତ୍ । ।’

ହରେକୃଷ୍ଣ ପତି
–ସା./ପୋ.-ପଧାନପଡ଼ା, ଜି-ଭଦ୍ରକ, ପିନ୍-୭୫୬୧୧୪ ।
ମୋବାଇଲ ନଂ.-୭୫୦୪୪୨୪୬୦୧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ