ରାଜଧାନୀ ‘ଦିଲ୍ଲୀ’ ସର୍ବାଧିକ ପ୍ରଦୂଷିତ

ନୂଆଦିଲ୍ଲୀ (ଏଜେନ୍ସି): ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର । ସେହିପରି ଯଦି ବିଶ୍ୱର ସର୍ବାଧିକ ପ୍ରଦୂଷଣଯୁକ୍ତ ରାଜଧାନୀ ତାଲିକା ଦେଖାଯାଏ ତେବେ ଏଥିରେ ସର୍ବାଗ୍ରେ ରାଜଧାନୀ ଦିଲ୍ଲୀ ରହିଛି । ଆମେରିକା ସ୍ଥିତ ଗ୍ରୀନପିସ୍୍ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହି ସୂଚନା ମିଳିଛି । ଏଥିରେ ପ୍ରଦୂଷିତ ରାଜଧାନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ବାଂଲାଦେଶ ରାଜଧାନୀ ଢ଼ାକା ଥିବାବେଳେ ତୃତୀୟ ସ୍ଥାନରେ ରହିଛି ଆଫଗାନୀସ୍ତାନ ରାଜଧାନୀ କାବୁଲ । ସେହିପରି ପୃଥିବୀର ୬୮ ପ୍ରଦୂଷିତ ସହର ମଧ୍ୟରେ ଭାରତର ଅଧିକ ସହର ରହିଛନ୍ତି । ପ୍ରଥମ ୬ଟି ସହର ମଧ୍ୟରେ ଭାରତର ୫ଟି ଏବଂ ପାକିସ୍ତାନର ଗୋଟିଏ ସହର ରହିଛି । ପ୍ରଦୂଷିତ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଗାଜିଆବାଦ୍, ତୃତୀୟ ସ୍ଥାନରେ ପାକିସ୍ତାନର ଫୈଜଲାବାଦ୍, ଚତୁର୍ଥରେ ଫରିଦାବାଦ୍, ପଞ୍ଚମରେ ରାଜସ୍ଥାନର ଭିୱାଡି ଏବଂ ଷଷ୍ଠରେ ନୋଏଡା ରହିଛି ।
ଜାକର୍ତ୍ତାଠାରେ ମଙ୍ଗଳବାର ସକାଳେ ପ୍ରଦାନ କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ହେତୁ ସାରା ବିଶ୍ୱର ପ୍ରାୟ ୭ ନିୟୁତ ଲୋକଙ୍କର ପ୍ରାଣହାନି ଘଟୁଛି । ଦକ୍ଷିଣ ଏସିଆର ସ୍ଥିତି ସବୁଠାରୁ ସଂକଟଜନକ ଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶ ଯେ, ଗତବର୍ଷର ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ୨୦ଟି ପ୍ରଦୂଷଣ ସହର ମଧ୍ୟରୁ ୧୮ଟି ଭାରତରେ ଓ ଗୋଟିଏ ଲେଖାଏଁ ବଙ୍ଗଳାଦେଶ ଓ ପାକିସ୍ତାନର ରହିଥିଲା । ଏହି ତାଲିକାରେ ଏକାଦଶ ସ୍ଥାନରେ ଥିଲା ଭାରତର ରାଜଧାନୀ ନୂଆଦିଲ୍ଲୀ । ଅପରପକ୍ଷରେ ପୂର୍ବରୁ ସର୍ବାଧିକ ପ୍ରଦୂଷିତ ସହର ଭାବେ ବିବେଚିତ ହେଉଥିବା ଚୀନ୍ର ରାଜଧାନୀ ବେଜିଂ ଗତବର୍ଷ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିଲା, ଫଳରେ ତାହା ଏବେ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହରର ତାଲିକାରେ ୧୨୨ତମ ସ୍ଥାନରେ ରହିଛି ।
ବାୟୁ ପ୍ରଦୂଷଣ ସ୍ତର ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଜାତିସଂଘ ବିଶେଷଜ୍ଞ ଡେଭିଡ୍ ବଏଡ୍ ଏନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଡେଭିଡ୍ କହିଛନ୍ତି, ବାୟୁ ପ୍ରଦୂଷଣ ଏକ ନୀରବ ହତ୍ୟାକାରୀ ଯାହାର ପ୍ରଭାବରେ ପ୍ରତିବର୍ଷ ୬ଲକ୍ଷ ଶିଶୁଙ୍କ ସମେତ ୭ଠ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି । ତାଙ୍କ ଅନୁସାରେ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ ୬ଠଠ କୋଟିରୁ ଊଦ୍ଧ୍ୱର୍ ଲୋକ ପ୍ରଶ୍ୱାସକ୍ରିୟାରେ ପ୍ରଦୂଷିତ ବାୟୁ ଗ୍ରହଣ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । କେବଳ ସେତିକି ନୁହେଁ ସେମାନଙ୍କ ମଧ୍ୟରୁ ନଶ୍ୱାସରେ ପ୍ରଦୂଷିତ ବାୟୁ ଗ୍ରହଣ କରୁଥିବା ଶିଶୁଙ୍କ ସଂଖ୍ୟା ୨ଠଠ କୋଟି ରହିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ