ରାଜଧାନୀ ବଦଳାଇଥିବା ରାଷ୍ଟ୍ର
ଇତିହାସ ପୃଷ୍ଠାକୁ ଲେଉଟାଇଲେ ଜଣାପଡ଼େ ଯେ, ଭାରତର ପ୍ରଥମ ରାଜଧାନୀ କଲିକତା ଥିଲା । ୧୯୩୧ ଫେବୃଆରୀ ୧୩ରେ ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇ ରାଜଧାନୀ ଭାବେ ଘୋଷିତ ହେଲା । ଏପରି ପରିବର୍ତ୍ତନ କରାଯିବାର କାରଣ ହେଉଛି, ଭୌଗୋଳିକ ଦୃଷ୍ଟିରୁ ଦିଲ୍ଲୀ ଦେଶର ମଧ୍ୟଭାଗରେ ରହୁଛି । ସେବେଠାରୁ ନେଇ ଆଜି ପର୍ଯ୍ୟନ୍ତ ଭାରତର ରାଜଧାନୀ ଦିଲ୍ଲୀ ହୋଇ ରହିଛି । ତେବେ ମୁସ୍ଲିମ୍ ଦେଶ ଇଣ୍ଡୋନେସିଆ ମଧ୍ୟ ଏହାକୁ ଅନୁକରଣ କରିଛି । ମାତ୍ର ସେଠାକାର ପରିସ୍ଥିତି ସାମାନ୍ୟ ଭିନ୍ନ । ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା, କିନ୍ତୁ ଏହି ସହର ଧୀରେ ଧୀରେ ପାଣିରେ ବୁଡ଼ିବାରେ ଲାଗିଛି । ଏହି କାରଣରୁ ଏଠାରେ ଯାତାୟାତ କରିବା କଷ୍ଟକର ହେବାରେ ଲାଗିଛି । ଏସବୁ ସମସ୍ୟାକୁ ଦେଖି ଇଣ୍ଡୋନେସିଆ ବୋର୍ନିୟୋ ଦ୍ୱୀପକୁ ଦେଶର ନୂଆ ରାଜଧାନୀ ଭାବେ ଅବସ୍ଥାପିତ କରିବାକୁ ସ୍ଥିର କରାଯାଇଛି । ବିଶ୍ୱରେ ଏଭଳି କିଛି ଦେଶ ରହିଛି ଯାହା ନିଜର ରାଜଧାନୀ ପରିବର୍ତ୍ତନ କରିଛି ।
କାଜାଖସ୍ତାନ: ୧୯୯୧ରେ କାଜାଖସ୍ତାନ ଯେତେବେଳେ ସୋଭିଏତ୍ ସଂଘ ଠାରୁ ସ୍ୱାଧୀନ ହେଲା ସେତେବେଳେ ଏହାର ରାଜଧାନୀ ଅଲମାତୀ ସହର ଥିଲା । କିନ୍ତୁ ଏହି ସହରକୁ ନେଇ ଅନେକ ଅସୁବିଧା ଥିଲା । ସହରର ପରିସୀମା ବିସ୍ତୀର୍ଣ୍ଣ ନଥିବାବେଳେ ଏହା ମଧ୍ୟ ଭୂକମ୍ପ ପ୍ରଭାବିତ ଅଞ୍ଚଳ । ଏଥିସହ ଚୀନ୍ ସୀମାର ଖୁବ୍ ନିକଟତର ଥିଲା । ତେଣୁ ପରବର୍ତ୍ତୀ ସମୟରେ ସରକାର ୧୯୯୭ରେ ଅସ୍ତାନା (ପୂର୍ବରୁ ଅକମୋଲା)କୁ ଦେଶର ନୂଆ ରାଜଧାନୀ କରାଯିବା ସହ ଏହାର ନାଁ ନୁର୍ ସୁଲତାନ୍ ରଖାଗଲା ।
ନାଇଜେରିଆ: ୧୯୧୪ରେ ଲାଗୋସ୍ ନାଇଜେରିଆର ରାଜଧାନୀ ଥିଲା । ୧୯୬୦ ଅକ୍ଟୋବର ୧ରେ ଇଂରେଜଙ୍କ ଠାରୁ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଏହା ରାଜଧାନୀ ଥିଲା । ପରବର୍ତ୍ତୀ ସମୟରେ ୧୯୭୬ରେ ନାଇଜେରିଆର ରାଷ୍ଟ୍ରାଧ୍ୟକ୍ଷ ଜେନେରାଲ୍ ମୁର୍ତଲା ମୋହମ୍ମଦ ଘୋଷଣା କଲେ ଯେ, ରାଜଧାନୀ ଭାବେ ଅବୁଜାକୁ ଗ୍ରହଣ କରାଯିବ । ତେଣୁ ୧୯୯୧ ଡିସେମ୍ବର ୧୨ରେ ବିଧିବଦ୍ଧ ଭାବେ ଅବୁଜାକୁ ନାଇଜେରିଆର ରାଜଧାନୀ ଘୋଷଣା କରାଗଲା ।
ମିଆଁମାର: ପ୍ରଥମେ ବର୍ମା ନାମରେ ଜଣାଶୁଣା ମିଆଁମାରର ରାଜଧାନୀ ହେଉଛି ନୈପୀଦା । ଏହା ପୂର୍ବରୁ ୧୯୪୮ ମସିହାରୁ ଆରମ୍ଭ କରି ୨୦୦୫ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ରଙ୍ଗୁନ୍ ଦେଶର ରାଜଧାନୀ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଦେଶର ସୈନ୍ୟ ଶାସକମାନେ ଏହାର ରାଜଧାନୀ ବଦଳାଇ ନୈପୀଦା କରିଦେଲେ । ମାତ୍ର ରାଜଧାନୀ ବଦଳାଇବାର କାରଣ କାହାକୁ ଜଣାନାହିଁ ।
ବଲିଭିୟା: ସାମ୍ବିଧାନିକ ଦୃଷ୍ଟିରୁ ବଲିଭିୟାର ରାଜଧାନୀ ସୁକ୍ରୋ, କିନ୍ତୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଲା ପାଜ୍ରେ ରହିଥିଲା । ୧୮୯୯ ପର୍ଯ୍ୟନ୍ତ ସଂସଦ ଠାରୁ ଆରମ୍ଭ କରି ସବୁକିଛି ସୁକ୍ରେରେ ହିଁ ଥିଲା । କିନ୍ତୁ ଗୃହଯୁଦ୍ଧ ପରେ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଲା ପାଜ୍କୁ ସ୍ଥାନାନ୍ତରିତ କରିନିଆଗଲା ସତ, କିନ୍ତୁ ସୁପ୍ରିମ୍କୋର୍ଟ ଏବେ ବି ସୁକ୍ରେରେ ରହିଯାଇଛି ।
ବ୍ରାଜିଲ୍: ପାଖାପାଖି ୨୦୦ ବର୍ଷ ପର୍ଯ୍ୟନ୍ତ ରିଓ ଡି’ ଜେନେରୋ ବ୍ରାଜିଲ୍ର ରାଜଧାନୀ ଥିଲା, ମାତ୍ର ୧୯୬୦ ମସିହାରେ ବ୍ରାଜିଲିୟାକୁ ଦେଶର ନୂଆ ରାଜଧାନୀ କରାଗଲା । ଏହା ପଛର କାରଣ ଥିଲା ଯେ, ରିଓ ଡି’ ଜେନରୋ ଜନବହୁଳ ସହର, ଏହାଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଯଥେଷ୍ଟ ଦୂର ଥିଲା । ଏହାବ୍ୟତୀତ ଟ୍ରାଫିକ୍ ସମସ୍ୟା ମଧ୍ୟ ଅଧିକ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିଲା ।