ରାଜପଥ ପାଲଟିଛି ମରଣଯନ୍ତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ଦୁର୍ଘଟଣା ହ୍ରାସ କରିବା ପାଇଁ ସଡକ ପରିବହନ ବିଭାଗ ପକ୍ଷରୁ ଯଥା ସମ୍ଭବ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡିକୁ ବ୍ଲାକ ସ୍ପଟ ଭାବେ ଚିହ୍ନଟ କରି ସୁରକ୍ଷା ଓ ସତର୍କତା ଅବଲମ୍ବନ କରିବା ପାଇଁ ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ ପକ୍ଷରୁ ଜନ ସଚେତନତା ମଧ୍ୟ କରାଯାଇଛି।ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳର କିଛି ଦୁର୍ଘଟଣା ପ୍ରବଣ ସ୍ଥାନ ଏବେ ବିପଦକୁ ହାତ ଠାରି ଆମନ୍ତ୍ରଣ କରୁଥିବା ଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇଛି।ହିଞ୍ଜିଳି ସହର ଉପକଣ୍ଠ ତଥା ୫୯ ନଂ ଜାତୀୟ ରାଜପଥ ସଂଲଗ୍ନ ହିଞ୍ଜିଳି ଥାନାର ଖଣ୍ଡରା ଛକ ଅଞ୍ଚଳରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।ଶେରଗଡ଼ ତହସିଲ ଅଞ୍ଚଳର ସନ୍ତୋଷପୁର ବାଲି ସୈରାତରୁ ଟନ ଟନ ଓଜନର ଓଦା ବାଲି ବୋଝେଇ ମାଳମାଳ ଟ୍ରକ ଗୁଡ଼ିକ ବହୁ ସମୟ ଧରି ପାର୍କିଂ ଫଳରେ ଗମନାଗମନରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି।ପୂର୍ତ୍ତ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ଥିବା ଉକ୍ତ ପିଚୁ ରାସ୍ତାରେ ଦୈନିକ ମାଳମାଳ ବାଲି ବୋଝେଇ ଟ୍ରକ ଗୁଡିକର ଯାତାୟତ ଫଳରେ ଏଭଳି ବିଷମ ପରିସ୍ଥିତି ଦେଖାଦେଇଛି।ହିଞ୍ଜିଳି ଥାନାର ତହଁର ଗ୍ରାମ ଠାରୁ ପୂର୍ତ୍ତ ବିଭାଗର ଚାନ୍ଦୁଲି ଓ ଖଣ୍ଡରା ରାସ୍ତାର ୫୯ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଖଣ୍ଡରା ଛକର ଉଭୟ ପାର୍ଶ୍ୱରେ ଦୈନିକ ମାଳମାଳ ଟ୍ରକଦୀର୍ଘ ସମୟ ଧରି ଅଟକି ରହୁଥିବା ଅଭିଯୋଗ ହୋଇଛି।ଟନ ଟନ ଓଜନ ବାଲି ବୋଝେଇ ସହ ଟ୍ରକ ଗୁଡିକର ଦୃତ ଗତିରେ ଗାଡି ଚାଳନା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଶୁଣିବାକୁ ମିଳିଛି। ଚାଲି ଚାଲି ହେଉ କିମ୍ବା ସାଇକେଲ ଓ ବାଇକ ଚଳାଇ ଯା ଆସ କରିବା ପାଇଁ ସମ୍ପୃକ୍ତ ପିଚୁ ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଛି।ଏତଦ୍ ବ୍ୟତୀତ ଗତ କିଛି ଦିନ ଧରି ୫୯ ନଂ ଜାତୀୟ ରାଜପଥ ସଂଲଗ୍ନ ଖଣ୍ଡରା ଛକ ନିକଟରେ ବାଲି ବୋଝେଇ ଟ୍ରକ ଗୁଡିକରୁ କୌଣସି ଏକ ସଂସ୍ଥା ଅର୍ଥ ଆଦାୟ କରୁଥିବା ଜଣାପଡିଛି।ବହୁ ସମୟ ଧରି ବାଲି ଟ୍ରକ ଗୁଡିକର ବେଆଇନ ପାର୍କିଂ ଓ ଓଭର ଲୋଡିଂ ଯୋଗୁଁ ରାଜପଥ ଅଞ୍ଚଳର ସମ୍ପୃକ୍ତ ସ୍ଥାନ ଏବେ ସାଧାରଣ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି।ଗୋଟିଏ ପଟେ ଜାତୀୟ ରାଜପଥ ଦେଇ ଶହ ଶହ ଗାଡି ମୋଟର ଚଳାଚଳ ଛାତ୍ର ଛାତ୍ରୀଙ୍କୁ ଅଣ ନିଃଶ୍ୱାସୀ କରୁଥିବା ବେଳେ ଅନ୍ୟ ପଟେ ଖଣ୍ଡରା ଛକରେ ସୃଷ୍ଟି ହୋଇଥିବା ମନୁଷ୍ୟକୃତ ଖାଲ ଖମାଣ ଓ କାଦୁଅ ଭର୍ତ୍ତି ରାସ୍ତା ସାଧାରଣରେ ସମସ୍ୟା ସୃଷ୍ଟି କରିବା ସହ ବିପଦକୁ ସାମନା କରିବା ଭଳି ପରିସ୍ଥିତି ଦେଖା ଦେଇଛି ବୋଲି ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଉକ୍ତ ସ୍ଥାନ ଏବେ ମୁଖ୍ୟତଃ ଛାତ୍ର ଛାତ୍ରୀଙ୍କ ଜୀବନ ଓ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ଓ ତତଜନିତ ଦୁର୍ଘଟଣା କିମ୍ବା ଅଘଟଣ ପ୍ରତି ଧ୍ୟାନ ଦେବା ପାଇଁଜନ ସାଧାରଣ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରକାଶ ଥାଉକି, ସୋମବାର ଅପରାହ୍ନରେ ଏକ ମୋପେଡ ସହ ବାଲିଟ୍ରକର ଧକ୍କା ଘଟିଥିଲା । ମୋପେଡ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା । ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।


