ପେଟ୍ରୋଲ ପମ୍ପରେ ତେଲ କମକୁ କେନ୍ଦ୍ର କରି ହାତାହାତି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ନିକଟ ସାରୁ ଛକ ନିକଟରେ ଥିବା ଠାରେ ଥିବା ଏକ ଇଏସଏସଏଆର କମ୍ପାନୀର ପେଟ୍ରୋଲ ପମ୍ପରେ ମଙ୍ଗଳବାର ପୂର୍ବାହ୍ନରେ ତେଲ ମାପ କମକୁ ନେଇ ଉତେଜନା ପ୍ରକାଶ ପାଇଛି । ପରେ ପେଟ୍ରୋଲ ମାଲିକ ଓ ଗ୍ରାହକଙ୍କ ମଧ୍ୟରେ ଉଚ୍ଚବାଚ ସହ ହାତାହାତି ଓ ଦୀର୍ଘ ସମୟ ଧରି ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉକ୍ତ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଘଟ ହେବା ପରେ ବହୁ ଲୋକ ଦୀର୍ଘ ଦିନ ଧରି ପେଟ୍ରୋଲ ପମ୍ପ ଦ୍ୱାରା ଠକାମୀର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଅଭିଯୋଗକାରୀ ଓ ପେଟ୍ରୋଲ ପମ୍ପ ମାଲିକ ଏଥି ନେଇ ମଙ୍ଗଳବାର ସଂଧ୍ୟାରେ ହିଞ୍ଜିଳି ଥାନାରେ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ ହୋଇଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ସାରୁ ଗ୍ରାମର ଉଦୟନାଥ ସ୍ୱାଇଁଙ୍କ ୨ପୁଅ ରୁନା ସ୍ୱାଇଁ ଓ କୁନା ସ୍ୱାଇଁ ସାରୁ ଛକରେ ଥିବା ଇଏସଏସଏଆର କମ୍ପାନୀର ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବା ପାଇଁ ଆସିଥିଲେ । ଉକ୍ତ ପେଟ୍ରୋଲ ପମ୍ପରେ ମାପକୁ ନେଇ ସେମାନେ ସନ୍ଦେହ ପ୍ରକାଶ କରିଥିଲେ । ପରେ ଏକ ବୋତଲରେ ପେଟ୍ରୋଲ ମାପ କରି ଏକ ଲିଟର ମାପ ବେଳେ ୫୦ମି.ଗ୍ରା କମ ଥିବା ସେମାନେ ଅଭିଯୋଗ କରିଥିଲେ । ଏହାର ଭିଡ଼ିଓ କରିବାରୁ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ କାଇଥିଲା । ପରେ ତେଲ ମାପ କମ ଅଭିଯୋଗକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀ ସହ ମାଲିକ ସୁମିତ ପାଣିଗ୍ରାହି ସେମାନଙ୍କୁ ଆକ୍ରମଣ କରିବା ସହ ମାରଣାତ୍ମକ ଧମକ ଦେଇଥିବା ନେଇ ରୁନା ଓ କୁନାଙ୍କ ବାପା ଉଦୟନାଥ ଥାନାରେ ଅଭିଯୋଗ କରିଛନ୍ତି । ଏଥିନେଇ ଥାନାରେ ୬୦୩/୨୧ରେ ମାମଲା ରୁଜୁ ହୋଇଛି । ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପ ମାଲିକ ସୁମିତ ପାଣିଗ୍ରାହି ଥାନାରେ ଅଭିଯୋଗ କରିଛନ୍ତି ଯେ, ରୁନା ,କୁନାଙ୍କ ସହ ପ୍ରାୟ ୧୦ରୁ ୧୫ଜଣ ନୂଆଁ ସାରୁ ଗ୍ରାମର ଆସି ତାଙ୍କର ସୁନା ଚେନ ଓ ୪ହଜାର ଟଙ୍କା ଛଡ଼ାଇ ନେଇ ଯାଇଛନ୍ତି । ପେଟ୍ରୋଲ ପମ୍ପକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥିନେଇ ଥାନାରେ ନଂ ୬୦୨/୨୧ରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ । ତେବେ ପେଟ୍ରୋଲ ପମ୍ପରେ ଏହି ଘଟଣାକୁ ନେଇ ହୋଇଥିବା ଭିଡ଼ିଓ ଅଞ୍ଚଳର ବିଭିନ୍ନ ସୋସିଆଲ ମିଡ଼ିଆରେ ପ୍ରସାର ପରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ ପେଟ୍ରୋଲ କମ ନେଇ ହୋଇଥିବା ଅଭିଯୋଗ ଭିଡ଼ିଓକୁ ଉପରିସ୍ଥ ଅଧିକାରୀଙ୍କୁ ପଠାଯାଇଛି ବୋଲି ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ କହିଛନ୍ତି । ପେଟ୍ରୋଲ କମର ଭିଡ଼ିଓ ଭାଇରାଲ ପରେ ଅଞ୍ଚଳର ସମସ୍ତ ପେଟ୍ରୋଲ ପମ୍ପରେ ମାପର ବୈଧତାକୁ ନେଇ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।


