ରାଜସ୍ୱ ଗ୍ରାମର ମାନ୍ୟତା ଦାବୀ : ଭୋଟ ବର୍ଜନ ନିଷ୍ପତ୍ତି

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ) :-କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧିନ ସିରିମସ୍କା ଟିଟ୍ରିପଡା ବାସୀ ଚଳିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଏନେଇ ଟିଟ୍ରିପଡା ବାସୀ ଥୁଆମୂଳ ରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଡାବାସୀଙ୍କ ଦସ୍ତଖତ ସହ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।ଉକ୍ତ ଅଭିଯୋଗ ପତ୍ରରେ ସେମାନେ ୫ ଗୋଟି ଦାବୀ ଉପସ୍ଥାପନ କରିଛନ୍ତି।ରାଜସ୍ୱ ଗ୍ରାମର ମାନ୍ୟତା, ବସୁଧା ଯୋଜନା ମାଧ୍ୟମରେ ପାନୀୟଜଳ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର,ଏକ ନୂତନ ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ଖୋଲିବା ଏହି ୫ ଗୋଟି ପ୍ରମୁଖ ଦାବୀ ଗୁଡିକ ରହିଛି । ସିନ୍ଧିପଦର ଗ୍ରାମ ପଞ୍ଚାୟତର ୪ ନମ୍ବର ଓ୍ବାର୍ଡ ଭବେ ପରିଗଣିତ ଟିଟ୍ରିପଡାର ମୁଖ୍ୟ ରାଜସ୍ୱ ଗ୍ରାମ ହେଉଛି ସିରିମସ୍କା ଗ୍ରାମ।ଥିବା ପ୍ରାୟ ୪୫୦ ଜନସଂଖ୍ୟା ବିଶିଷ୍ଟ ଏହି ଉପଗ୍ରାମରେ ୨୨୨ ଉପଯୁକ୍ତ ଭୋଟର ରହିଥିବା ଏହି ଗାଁକୁ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡୁଛି।ଏହା ଏକ ଓ୍ବାର୍ଡ ହୋଇଥିଲେ ମଧ୍ୟ ଯେଉଁଭଳି ସରକାରୀ ସୁବିଧା ତଥା ସରକାରଙ୍କ ଯୋଜନାର ସୁଯୋଗ ମିଳିବା କଥା ସେଭଳି କିଛି ସୁବିଧା ମିଳୁନଥିବାରୁ କ୍ଷୁବ୍ଧ ଟିଟ୍ରିପଡା ବାସୀ ଆଜି ଭୋଟ ବର୍ଜନର ନିଷ୍ପତ୍ତି ନେଇଛନ୍ତି ବୋଲି ଟିଟ୍ରିପଡା ବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ୨୦୧୪ ମସିହାର ନିର୍ବାଚନରେ କଳାହାଣ୍ଡି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ କଳାହାଣ୍ଡି ରାଜ ପରିବାରର ଯୁବନେତା ଅର୍କ କେଶରୀ ଦେଓ।ତାଙ୍କ ସାଂସଦ ସମୟରେ ସେ ସିନ୍ଧିପଦର ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମ ପଞ୍ଚାୟତ ପାଇଁ ବାଛି ନେଇଥିଲେ। ସାଂସଦଙ୍କ ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ଏହି ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ କୋଟି କୋଟି ଟଙ୍କା ଆସିଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସମସ୍ତ ପରିବାରକୁ ପକ୍କା ଘର, ପାନୀୟଜଳ,ବିଜୁଳି,ବ୍ୟାଙ୍କ ସେବା ଓ ମୋବାଇଲ ଇଣ୍ଟରନେଟର ଏହି ଭଳି ବିଭିନ୍ନ ସୁବିଧା ଉପଲବ୍ଧ ହେବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଆଜିବି ଅନେକ ଗାଁକୁ ପକ୍କା ରାସ୍ତା ନାହିଁ।ଶିକ୍ଷା , ସ୍ୱାସ୍ଥ୍ୟ ଆଜିବି ଅବହେଳିତ।ଏଭଳି ଅନେକ ସମସ୍ୟା ଆଜିବି ସମସ୍ୟା ହୋଇ ରହିଯାଇଛି।ସମାଧାନ ଦୂରକୁ ଦୂର ଦୂରେଇ ଯାଇଛି।ନିକଟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତୀରାଜ ନିର୍ବାଚନକୁ ଏହି ଗ୍ରାମ ପଞ୍ଚାୟତର ବାର୍ଷୀକୋଣା ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଗତ ଦୁଇଟି ନିର୍ବାଚନକୁ ମଧ୍ୟ ଭୋଟ୍ ନ ଦେବାକୁ ନିଷ୍ପତ୍ତି ନେଇଥିଲେ।କାରଣ ସେଠିକାର ମୁଖ୍ୟ ସମସ୍ୟା ହେଲା ଗାଁ ଠୁ ଗ୍ରାମ ପଞ୍ଚାୟତକୁ ରାସ୍ତା।ପୁଣି ଏହି ନିର୍ବାଚନ ପାଇଁ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି ଏହି ଗ୍ରାମ ପଞ୍ଚାୟତ ଅଧିନ ସିରିମସ୍କା ଗ୍ରାମର ଉପଗ୍ରାମ ଭାବେ ପରିଗଣିତ ଟିଟ୍ରିପଡା ଗାଁର ଭୋଟର ଭାଇଭଉଣୀ।ଏହି ଗାଁରେ ଆବଶ୍ୟକ ଅନୁସାରେ ଶିଶୁ ଓ ଛୁଆ ଥିଲେ ମଧ୍ୟ ଅଙ୍ଗନବାଡି କି ପ୍ରାଥମିକ ବିଦ୍ୟାଳୟ ନାହିଁ ।ଏଠିକାର ଏହି କୋମଳମତୀ ଶିଶୁ ମାନଙ୍କୁ ଯିବାକୁ ପଡିଥାଏ ଦେଢ଼ କିଲୋମିଟର ମୁଖ୍ୟ ରାଜସ୍ବ ଗ୍ରାମ ସିରିମସ୍କାକୁ । ଗାଁରେ ପ୍ରାୟ ୭୦ ପରିବାର ବସବାସ କରୁଛନ୍ତି । ଆବଶ୍ୟକୀୟ ଭୋଟର ଥାଇ ମଧ୍ୟ ଏହି ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ଏଯାଏଁ ମିଳି ପାରିନାହିଁ । ସେହିପରି ପାନୀୟଜଳ ବ୍ୟବସ୍ଥା ନଥିବା ଏହି ଗାଁ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇ ରହିଯାଇଛି।କେବଳ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଦ୍ୱାରା ଭଲ ରାସ୍ତା ଖଣ୍ଡେ ସଂଯୋଗ ହୋଇପାରିଛି ଏହି ଗାଁକୁ । ଏସବୁ ସମସ୍ୟା ର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ