ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ନେଇ ଜନ ଅସନ୍ତୋଷ କାର୍ଯ୍ୟାନୁଷ୍ଠାନ ଦାବି ନେଇ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ କଙ୍କୋରଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିକାରୀଙ୍କ ୧୫ ଦିନ ଧରି ଅନୁପସ୍ଥିତ ନେଇ ଶନିବାର ଦିନ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ଉକ୍ତ କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ସ୍ଥାନୀୟ ତହସିଲଦାର ଡ଼ା ଶ୍ରୀନିବାସ ବେହେରାଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କଙ୍କୋରଡା ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ଅଧିନରେ ବ୍ଳକର କଙ୍କୋରଡା ସମେତ କଉଡିଆ , ଡେଙ୍ଗାଡି ଓ ଦୟାନିଧିପୁର ପଞ୍ଚାୟତର ପ୍ରାୟତଃ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ସେମାନଙ୍କ ଜମିଜମା ପଟ୍ଟା ଠାରୁ ଆରମ୍ଭ କରି ଘରବାରୀ ଓ ମ୍ଯୁଟେସନ ପଟ୍ଟା , ଗୋଲ୍ଡେନ ଲେଣ୍ଡ ଟଙ୍କା ପାଇଁ ଆବେଦନ, ପ୍ରମାଣପତ୍ର ନିମନ୍ତେ ଏହି କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ ରହିଥାନ୍ତି । କିନ୍ତୁ ଏଠାରେ କାର୍ଯ୍ୟରତ ରାଜସ୍ୱ ନୀରିକ୍ଷକ ଲୋକନାଥ ମଲ୍ଲିକ ଦୀର୍ଘ ୧୫ ଦିନ ଧରି କାର୍ଯ୍ୟାଳୟକୁ ଆସୁନାହାନ୍ତି । ଏଠାକାର ପିଅନ କାର୍ଯ୍ୟାଳୟ ଖୋଲି ବସିଥିବା ବେଳେ ସରକାରୀ ବାବୁଙ୍କ ଦେଖା ମିଳୁନଥିବାରୁ ଏଠାକାର ଲୋକେ ବିଭିନ୍ନ ସମସ୍ୟା ନେଇ ଅଫିସ ଆସି ବାବୁଙ୍କୁ ଦିନ ସାରା ଅପେକ୍ଷା କରିଥାନ୍ତି । ଶେଷରେ ୧୫ ଦିନ ଧରି ନିରାଶ ହୋଇ ଫେରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଯାହାକୁ ନେଇ ଆଜି ୬୧ ନଂ ଜୋନ୍ ଜିଲ୍ଲା ପରିଷଦ ଅମିନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜନସାଧାରଣ ମାନେ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ନ ମିଳିବାରୁ ବାଧ୍ୟ ହୋଇ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଡ଼ା ଶ୍ରୀ ବେହେରାଙ୍କ ସହ ଆଲୋଚନା କରିଥିଲେ । ଉକ୍ତ ଆର୍ ଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରି ଫେରିଥିବା ଜଣାପଡିଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସମେତ ଶଙ୍କର ସ୍ୱାଇଁ , ବିଜୟ ଭୂୟାଁ , ହୃଦୟନନ୍ଦ ଭୂୟାଁ , ମୁନା ପ୍ରଧାନ , ମିଟୁ ପ୍ରଧାନ , ଶିବରାମ ପ୍ରଧାନ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।


