ରାଜେନ୍ଦ୍ରପୁର ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଓଡିଶା ସରକାରଙ୍କ ମୋ ସ୍କୁଲ ପରିଚାଳନା ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ଅଧୀନରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି।ବିଦ୍ୟାଳୟକୁ ୩ଲକ୍ଷ ଟଙ୍କାର ଚେକ ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ଗୁଡିଙ୍କୁ ୨୫ହଜାର ଟଙ୍କାର ଚେକ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି।ଉକ୍ତ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ, ସୁନ୍ଦର ପରିବେଶ,ଉତ୍କୃଷ୍ଟ ବଗିଚା,ଶୌଚାଳୟ,ବିଭିନ୍ନ ସହ ପାଠ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛି।ଉକ୍ତ ପୁରସ୍କାର ଗ୍ରହଣ ପରେ ବିଦ୍ୟାଳୟ ପକ୍ଷରୁ ରାଜ୍ୟ ସରକାର,ଜିଲ୍ଲା ଶିକ୍ଷାଧିକାରୀ,ଗୋଷ୍ଠୀ ଶିକ୍ଷାଧିକାରୀ, ବିଦ୍ୟାଳୟ ପରିଚାଳନା କମିଟି, ମୋ ସ୍କୁଲ ଆଲୁମିନ କମିଟି, ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଧାନଶିକ୍ଷକ ଶ୍ରୀ ଗୁଡି କୃତଜ୍ଞତା ଜଣାଇଛନ୍ତି।