ରାଜ୍ଯ ସଭାପତି ମନମୋହନ ସାମଲଙ୍କ ବାଲେଶ୍ଵର ଗସ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ରାଜ୍ଯ ସଭାପତି ମନମୋହନ ସାମଲ ଆଜି ଦିନିକିଆ ଗସ୍ତରେ ବାଲେଶ୍ଵର ଆସି ଜିଲ୍ଲା ଓ ସଂସଦୀୟ କ୍ଷେତ୍ରର ସାଂଗଠନିକ ବୈଠକରେ ଯୋଗଦାନ କରିଛନ୍ତି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ସ୍ଥାନୀୟ ରୟାଲ କୁଇନ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଉକ୍ତ ବୈଠକରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ। ମଞ୍ଚ ଆହ୍ବାନ, ପ୍ରଦୀପ ପ୍ରଜ୍ବଳନ ଓ ସାମୁହିକ ଭାରତ ମାତା ବନ୍ଦନା ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ ହୋଇଥଲା। ପ୍ରାରମ୍ଭିକ ଭାଷଣରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଆହ୍ଵାନ ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚିରାଚରିତ ଢଙ୍ଗରେ ସମବେତ କାର୍ଯ୍ଯକର୍ତ୍ତାଙ୍କୁ ଏକତାର ମନ୍ତ୍ର ଦେଇଥିଲେ। ତତସହିତ ବର୍ତ୍ତମାନରେ ଚାଲୁଥିବା ଦଳୀୟ କାର୍ଯ୍ଯକ୍ରମ ବିଷୟରେ ସମୀକ୍ଷା କରିବା ସହିତ ଆଗାମୀ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ। ସମାରୋପ ସତ୍ରରେ ରାଜ୍ୟ ସଭାପତି ମନମୋହନ ସାମଲ ଦଳର ଆମୂଳଚୁଳ ସାଂଗଠନିକ ସ୍ଥିତି ବିଷୟରେ ସମୀକ୍ଷା କରିବା ସହିତ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ୨୦୨୪ ନିର୍ବାଚନ ଓଡ଼ିଶାର ଭାଗ୍ଯ ନିର୍ଧାରଣ କରିବ, ଲୋକେ ବିଜେଡ଼ିର କୁଶାସନରେ ଅତିଷ୍ଠ, ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସାଧାରଣ ଲୋକଙ୍କ ପାଖକୁ ଯିବାକୁ ହେବ, ସେମାନଙ୍କ ସୁଖ-ଦୁଃଖରେ ସାଥୀ ହେବାକୁ ପଡ଼ିବ। ୨୦୨୪ ବିଜେପିର ବୋଲି ସେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ। ମୋ ମାଟି – ମୋ ଦେଶ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଠାରୁ ସେବା ପକ୍ଷ ପାଳନ, ଗାନ୍ଧୀ ଜୟନ୍ତୀ ଇତ୍ୟାଦି ଆଗାମୀ କାର୍ଯ୍ଯକ୍ରମ ବିଷୟରେ ଯୋଜନା ପ୍ରସ୍ତୁତ କରିଥିଲେ। ଶେଷରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସମସ୍ତଙ୍କୁ ରାଷ୍ଟ୍ର ନିର୍ମାଣ ନିମନ୍ତେ କାର୍ଯ୍ୟ କରିବା, ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନାରେ ନିଃସ୍ଵାର୍ଥପର ଭାବେ ଯୋଗଦାନ କରିବା, ଲୋକଙ୍କ ପାଇଁ କାମ କରିବା ଇତ୍ୟାଦି ପାଞ୍ଚୋଟି ବିଷୟରେ ଶପଥପାଠ କରାଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ଵର ଚନ୍ଦ୍ର ବେହେରା ଓ ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଜିଲ୍ଲା ସମ୍ପାଦକ ଆଶିଷ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ, ସମବେତ ଜନ-ଗଣ-ମନ ଗାନ ଉପରାନ୍ତେ ସଭାପତି ସଭାକାର୍ଯ୍ୟର ସମାପ୍ତି ଘୋଷଣା କରିଥିଲେ। ବିଧାୟକ ସନାତନ ବିଜୁଳି, ପୁର୍ବତ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୁର୍ବତ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ସମ୍ପାଦକ ଶିପ୍ରା ବାଜପେୟୀ ଓ ଅଭିମନ୍ୟୁ ସେଠି, ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଷୁସମା ରାଣୀ ବିଶ୍ବାଳ, ବିଧାୟକ ପାର୍ଥୀ ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି ଓ ମାନସ ଦତ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି ଓ ପର୍ଶୁରାମ ବେହେରା ମଞ୍ଚାସୀନ ଥିଲେ