ରାଜ୍ୟପାଳଙ୍କ ସହିତ ଗ୍ଲୋବାଲ ପିସ୍ ଫାଉଣ୍ଡେସନର ଅଧ୍ୟକ୍ଷଙ୍କ ବିଶ୍ୱଶାନ୍ତି ପାଇଁ ଆଲୋଚନା
ଭୁବନେଶ୍ୱର- : ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ମାଟିରୁ ସୃଷ୍ଟି ହୋଇଥିବା ଗ୍ଲେବାଲ ପିସ୍ ଫାଉଣ୍ଡେସନ ବିଗତ ଦୁଇବର୍ଷ ଧରି ଜନ ସଚେତନତା କାର୍ଯ୍ୟକ୍ରମ ପୃଥିବୀର ବିଭିନ୍ନ ଦେଶରେ ଚଳାଇ ଆସିଛି । ସନ୍ତ୍ରାସବାଦର ଭୟ, ପରମାଣୁ ଯୁଦ୍ଧର ଆଶଙ୍କା, ବିଶ୍ୱ ପରିବେଶ ପ୍ରଦୂଷଣ, ଜନ ବିଷ୍ଫୋରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର, ଦେଶ ଦେଶ ମଧ୍ୟରେ ସୀମା ବିବାଦ, ମାନବାଧିକାର ଉଲଂଘନ, ବିଶ୍ୱ ଜଳ ସଙ୍କଟ ସହିତ ତୈଳ ସଙ୍କଟ, ବିଶ୍ୱ ଶରଣାର୍ଥୀ ସମସ୍ୟା, ବିଶ୍ୱ ଉତ୍ତାପିକରଣ ଜନିତ ସମସ୍ୟା, ବିଶ୍ୱ ବାଣିଜ୍ୟ ଯୁଦ୍ଧରୁ ବିଶ୍ୱଯୁଦ୍ଧର ଆଶଙ୍କା, ଜାତି, ଧର୍ମ, ଭାଷା, ରାଜନୈତିକ ଦଳ ଭିତ୍ତିରେ ବିଶ୍ୱ ଜନସାଧାରଣ ହଜାର ହଜାର ଭାଗରେ ବିଭକ୍ତିକରଣ, ଧନୀ-ଗରୀବଙ୍କ ମଧ୍ୟରେ ବିଭେଦ, ବିଶ୍ୱରେ ବଢି ଚାଲିଥିବା ପ୍ରାକୃତିକ ବିପର୍ଯ୍ୟୟ ଆଦି ଅନେକ ବିଶ୍ୱସ୍ତରୀୟ ସମସ୍ୟା ବିଶ୍ୱ ଅଶାନ୍ତିର କାରଣ ହୋଇଥିବାରୁ ଏହି ସମସ୍ୟାଗୁଡ଼ିକର ନିରାକରଣ ପାଇଁ ସମଗ୍ର ପୃଥିବୀରେ ଏକ ଦକ୍ଷ, କ୍ଷମତାଶାଳୀ ମୁରବୀ ସରକାର (ବିଶ୍ୱ ସରକାର) ଗଠନ ହେବା ନିହାତି ଆବଶ୍ୟକ ବୋଲି ଅନୁଭବ କରି ଗ୍ଲୋବାଲ ପିସ୍ ଫାଉଣ୍ଡେସନ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ଜନସଚେତନତା ଓ ରାଜନୈତିକ ସଚେତନତା କାର୍ଯ୍ୟ କରି ଆସୁଛି ।
ଏ ସମସ୍ତ ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ନିରାକରଣରେ ସହଯୋଗ ପାଇଁ ଗ୍ଲୋବାଲ ପିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ଡ଼ାକ୍ତର ରାଜକିଶୋର ପଣ୍ଡା ଓଡ଼ିଶାର ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ୍ କରି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ତାଙ୍କର ପରାମର୍ଶ ଓ ସହଯୋଗ କାମନା କରିଥିଲେ । ଡ଼ାକ୍ତର ପଣ୍ଡାଙ୍କ ଏଭଳି ଉଦ୍ୟମକୁ ରାଜ୍ୟପାଳ ମହୋଦୟ ପ୍ରଶଂସା କରିବା ସହିିତ ସମର୍ଥନ ମଧ୍ୟ କରିଥିଲେ । ଏଭଳି ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଯୁବଶକ୍ତିକୁ ବିନିଯୋଗ କରିବା ପାଇଁ ରାଜ୍ୟପାଳ ପରାମର୍ଶ ମଧ୍ୟ ଦେଇଥିଲେ । ଡ଼ାକ୍ତର ପଣ୍ଡାଙ୍କ ସହିତ ଗ୍ଲୋବାଲ ପିସ୍ ଫାଉଣ୍ଡେସନର ବ୍ରାଣ୍ଡ ଆମ୍ବାସାଡ଼ର ସାଇରାମ ଗାନ୍ଧୀ (ସିଲ୍ଭର ଗାନ୍ଧୀ) ଓ ସଦସ୍ୟ ଲଲାଟ କେଶରୀ ସିଂ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ ।


