ରାଜ୍ୟରେ କୋଭିଡ୍ ମୃତ୍ୟୁକୁ ନେଇ ବାଚାଳାମି କରୁଛନ୍ତି ରାଜ୍ୟ ସରକାର:ବିଜେପି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଜୁଲାଇ ମାସର ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବଳକା କୋଭିଡ୍ ମୃତ୍ୟୁର ଘୋଷଣା ଆରମ୍ଭ କଲେ । ଦୈନିକ ୩୦ ରୁ ୪୦ ଭିତରେ ସୀମିତ ରହୁଥିବା କୋଭିଡ୍ ମୃତ୍ୟୁ ସଂଖ୍ୟା ହଠାତ୍ ବୃଦ୍ଧି ପାଇ ୬୦ ପାର୍ କରିଥିଲା । ସରକାରଙ୍କ ଯୁକ୍ତି ଥିଲା ଯେ ବିଭିନ୍ନ କାରଣ ପାଇଁ ଅଡିଟ୍ ହୋଇପାରି ନ ଥିବା କୋଭିଡ୍ ମୃତ୍ୟୁଏବେ ଘୋଷଣା କରାଯିବ । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଯେତିକି କରୋନା ମୃତ୍ୟୁ ଘୋଷଣା ବାକି ରହିଯାଇଛି, ତାହା ଜୁଲାଇ ଶେଷ ଆଡ଼କୁ ସରିଯିବ ।କିନ୍ତୁ ଅଗଷ୍ଟ ମାସ ଶେଷ ହୋଇଯାଇଛି, ହେଲେ ବଳକା କୋଭିଡ୍ ମୃତ୍ୟୁ ପୂର୍ବଭଳି ଜାରି ରହିଛି । ଅନ୍ୟପକ୍ଷରେ ରାଜ୍ୟରେ କୋଭିଡ୍ ମୃତ୍ୟୁ ଇତି ମଧ୍ୟରେ ୮ ହଜାର ୯୨ରେ ପହଂଚିଛି । କୋଭିଡରେ ୮ହଜାର ମୃତ୍ୟୁ ହୋଇଥିବା ରାଜ୍ୟମାନଙ୍କ ଭିତରେ ଓଡ଼ିଶା ୧୬ ନମ୍ବର ସ୍ଥାନରେ ରହିଛି । କେବଳ କରୋନାର ଦ୍ୱିତୀୟ ଲହରରେ ଏବେ ସୁଦ୍ଧା ରାଜ୍ୟରେ ୬୨୬୯ରୁ ଉର୍ଦ୍ଧ୍ୱ ଲୋକଙ୍କ କରୋନାରେ ମୃତ୍ୟୁ ହେଲାଣି । ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ସରକାରୀ ଭାବେ ୧୮୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ରାଜ୍ୟ ସରକାର ଡ଼ାଟା ମେନିପୁଲେସନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ତଥ୍ୟ ଅନୁଯାୟୀ, ୨୦୧୯ରେ ଓଡିଶା ସରକାର ୩,୪୨,୯୪୭ ମୃତ୍ୟୁ ପଞ୍ଜିକରଣ କରିଥିବାବେଳେ ୨୦୨୦ ରେ ଏହା ୩, ୬୨, ୯୮୨ ଥିଲା । ୨୦୨୦ ରେ ୨୦,୦୦୦ ରୁ ଅଧିକ ମୃତ୍ୟୁ ହୁଏତ କୋଭିଡ଼ -୧୯ ଦ୍ୱାରା ହୋଇଛି , କିନ୍ତୁ ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ଏହା ସହ ମେଳ ଖାଉନି । ୨୦୨୦ ମସିହାରେ ରାଜ୍ୟ ସରକାର କେବଳ ୧୮୭୬ କୋଭିଡ଼ ମୃତ୍ୟୁ ଘୋଷଣା କରିଥିବାବେଳେ ୨୦୨୧ ମସିହାରେ ଏପର୍ଯ୍ୟନ୍ତ ୬୨୬୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ରିପୋର୍ଟ ହୋଇଥିବା ମୃତ୍ୟୁ ସଂଖ୍ୟା ସମାନ ସମୟ ପାଇଁ ସରକାରୀ କୋଭିଡ୍ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ଗୁଣ ଥିଲା । ସେହି ଚାରି ମାସରେ ସାରା ରାଜ୍ୟରେ ୧,୫୦,୦୦୦ ମୃତ୍ୟୁ ପଞ୍ଜିକୃତ ହୋଇଥିବାବେଳେ କେବଳ ୧,୩୫୬ କୋଭିଡ଼ ମୃତ୍ୟୁକୁ ସରକାର ସ୍ୱୀକାର କରିଛନ୍ତି । ଗତକାଲି (୧୧ ସେପ୍ଟେମ୍ବର୨୦୨୧) ସୁଦ୍ଧା ଓଡିଶାରେ ୧୦,୧୫, ୭୧୩ କୋଭିଡ ସଂକ୍ରମଣ ମାମଲା ନିଶ୍ଚିତ ହୋଇଛି ଯାହା ଭାରତର ମୋଟ ମାମଲାର ୩.୦୫% ଥିଲା । ତେବେ, ୪.୨ କୋଟି ଜନସଂଖ୍ୟା ପାଇଁ ମହାମାରୀ ଆରମ୍ଭରୁ ସରକାରୀ ମୃତ୍ୟୁ ସଂଖ୍ୟା ହେଉଛି ୮,୧୪୫ ଯାହା ଭାରତର ମୋଟ ମୃତ୍ୟୁ ସଂଖ୍ୟାର ୧.୮୩%, ଓଡ଼ିଶା ସରକାର କ’ଣ ଏମିତି ପଦକ୍ଷେପ ନେଲେ ଯେ ସବୁ ପରେ ବି ପାଖାପାଖି ବର୍ଷେ ହେଲା ପ୍ରତିଦିନ ମୃତ୍ୟୁ ସଂଖ୍ୟା ୧୨-୧୭ ରହୁ ଥିଲା ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ କୋଭିଡ ମୃତ୍ୟୁକୁ ନେଇ ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ) ଶୁଣାଣି ବେଳେ ମାନ୍ୟବର ଓଡିଶା ହାଇକୋର୍ଟ ଏକ ସରକାରୀ ସତ୍ୟପାଠରେ ଅନେକ ଅସଙ୍ଗତି ଦର୍ଶାଇଥିଲେ । ରାଜ୍ୟର ମୋଟ ୨,୮୪୯ ଆଇସିୟୁ ଶଯ୍ୟା ମଧ୍ୟରୁ କଟକ ଏବଂ ଖୋର୍ଦ୍ଧା ଦୁଇଟି ଜିଲ୍ଲାରେ ୧,୩୭୮ଟି ଆଇସିୟୁ ରହିଛି । ରାୟଗଡା, ମାଲକାନଗିରି ଏବଂ ମୟୂରଭଞ୍ଜ ଭଳି ଜିଲ୍ଲାରେ କେବଳ ୧୦ ଟି ଆଇସିୟୁ ଶଯ୍ୟା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଓଡ଼ିଶାରେ ଦୁର୍ବଳ ସ୍ୱାସ୍ଥ୍ୟ ଭିର୍ତିଭୂମି ଥିବାରୁ ଓଡିଶାବାସୀ ଉନ୍ନତ ମାନର ଚିକିତ୍ସାରୁ ବଂଚିତ ରହୁଛନ୍ତି ।୨୧ ବର୍ଷର ଲମ୍ବା ଶାସନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ନିଜ ଉଦ୍ୟମରେ ଗୋଟିଏ ମେଡିକାଲ କଲେଜ ନିର୍ମାଣ ହୋଇନାହିଁ । ବର୍ତର୍ମାନ କେନ୍ଦ୍ର ସରକାରଙ୍କ ୯୨୦କୋଟି ଟଙ୍କା ସହାୟତାରେ ବାଲେଶ୍ୱର, ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ପୁରୀ, ଯାଜପୁର ଏବଂ କଳାହାଣ୍ଡି ଜିଲ୍ଲାରେ ୭ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତିିଭୂମିକୁ ସଦୃଢ଼ କରିବାର ସଫେଇ ଦେଇ ଏହି କ୍ଷେତ୍ରରେ ୮ ହଜାର କୋଟି ନିବେଶ ହେଉଛି ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଏହି ୮୫୦୦ କୋଟି ଟଙ୍କା କିପରି ବିନିଯୋଗ କରିବେ ତାହା ଏବେ ସନ୍ଦେହରେ । ୮୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କର କୌଣସି ଯୋଜନା ଅଛି ନାହିଁ ?ସିଏଜି ୨୦୧୯-୨୦ ରିପୋର୍ଟ ଅନୁସାରେ, କୋଣାର୍କରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ମଞ୍ଜୁର ହୋଇଥିବା ୫.୯୬ କୋଟି ଟଙ୍କା ମୂଲ୍ୟର ଅପବ୍ୟବହାର କରାଯାଇଛି । ଅନୁରୂପ ଭାବରେ ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍ ଲିମିଟେଡ୍ (ଓଏସଏମସିଏଲ) ଦ୍ୱାରା ଔଷଧ ଏବଂ ଚିକିତ୍ସା ଉପକରଣ ଅଧିଗ୍ରହଣରେ ୪.୧୮ କୋଟି ଟଙ୍କାର ଅପବ୍ୟବହାର ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଆଜି ସାରା ଦେଶ ଓ ରାଜ୍ୟ ମାନେ ତୃତୀୟ ଲହର ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ ଏହି ଲହର ଆମର ଶିଶୁ ମାନଙ୍କୁ ବିଶେଷ ପ୍ରଭାବିତ କରିପାରେ । ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସ୍ଥାୟୀ ଶଯ୍ୟା ସଂଖ୍ୟା ବାସ୍ତବିକ କେତେ ବଢିଛି ? ଆଦିବାସୀ ଅଧ୍ୟଷିତ ଜିଲ୍ଲା ମାନଙ୍କରେ ଆଇସିୟୁ ଶଯ୍ୟା କେତେ ବଢିଛି ? କେତୋଟି ସଦର ମହକୁମାରେ ଜଞଚଉଜ ପରୀକ୍ଷାଗାର କିମ୍ବା ନମୁନା ସଂଗ୍ରହ ବ୍ୟବସ୍ଥା ହୋଇ ସାରିଛି?କେତୋଟି ଡାକ୍ତରଖାନାରେ ନିଜସ୍ୱ ଅକ୍ସିଜେନ ପ୍ଳାଂଟର ବ୍ୟବସ୍ଥା ହୋଇ ସାରିଲାଣି ? ଭୁବନେଶ୍ୱର ଛାଡ଼ି ରାଜ୍ୟରେ ଅନ୍ୟ ଜାଗାରେ ଔଷଧ ରଖିବାର ବ୍ୟବସ୍ଥା ହୋଇଛି କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।କମ୍ୟୁନିଟି ହେଲଥ୍ ସେଂଟର(ଗ୍ରାମୀଣ)ରେ ୩୭୭ ଶିଶୁ ବିଶେଷଜ୍ଞ ପଦବୀ ସଂଖ୍ୟା ଥିବା ସମୟରେ ମାତ୍ର ୫୫ଜଣ ନିଯୁକ୍ତ ହୋଇଛନ୍ତି, ଏବେ ବି ୩୨୨ଟି ପଦବୀ ଖାଲି ପଡିଛି । କମ୍ୟୁନିଟି ହେଲଥ୍ ସେଂଟର(ଆଦିବାସୀ ଅଂଚଳରେ) ଶିଶୁ ବିଶେଷଜ୍ଞ ପଦବୀ ସଂଖ୍ୟା ୧୩୪ ଥିବାବେଳେ ମାତ୍ର ୧୭ ଜଣ ନିଯୁକ୍ତ ହୋଇଛନ୍ତି । ଏବେ ବି ୧୧୭ ଟି ପଦବୀ ଖାଲି ପଡିଛି । ଏହି ପଦବୀ ଗୁଡିକ କେବେ ରାଜ୍ୟ ସରକାର ପୂରମ କରିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଏବଂ ସମବାୟ ପ୍ରକୋଷ୍ଠ ସଂଯୋଜକ ପବିତ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ