ରାଜ୍ୟରେ ତୃତୀୟଲିଙ୍ଗି ୱେଲଫେୟାର ବୋର୍ଡ଼ ଗଠନ କରାଯାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାର୍ଚ୍ଚ ୩୧ ତାରିଖ ଆନ୍ତର୍ଜାତୀୟ ତୃତୀୟଲିଙ୍ଗି ଦିବସ । ଏହି ଦିବସ ସାରା ବିଶ୍ୱରେ ପାଳନ ହେଉଥିବା ବେଳେ ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲା ବା ରାଜ୍ୟରେ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ ଭାରତର ହାତଗଣତି କେତୋଟି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜ୍ୟରେ ତୃତୀୟଲିଙ୍ଗି ୱେଲଫେୟାର ବୋର୍ଡ଼ ଗଠନ କରାଯାଇ ନାହିଁ । ଓଡ଼ିଶାରେ ମଧ୍ୟ କିନ୍ନରମାନଙ୍କ ପାଇଁ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇ ନାହିଁ । ତୃତୀୟଲିଙ୍ଗିମାନଙ୍କ ପାଇଁ ପୂର୍ବ ସରକାର ଏକ ରାଜ୍ୟସ୍ତରୀୟ ପ୍ରତିନିଧି କମିଟି ଗଠନ କରିଥିଲେ । କିନ୍ତୁ ଏହି କମିଟିରେ କିନ୍ନରମାନଙ୍କ ପାଇଁ କିଛିମାତ୍ରାରେ କାମ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା କୌଣସି କାର୍ଯ୍ୟ ହୋଇପାରିଲା ନାହିଁ । ତେଣୁ ଓଡ଼ିଶାରେ ତୃତୀୟଲିଙ୍ଗି ୱେଲଫେୟାର ବୋର୍ଡ଼ ଗଠନ କରିବା ପାଇଁ କମିଟିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରତାପ କୁମାର ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଏକ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।ଶ୍ରୀଯୁକ୍ତ ସାହୁ ଦର୍ଶାଇଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟ କିନ୍ନରମାନଙ୍କୁ ତୃତୀୟଲିଙ୍ଗୀର ମାନ୍ୟତା ଦେବା, ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ପାଖାପାଖି ୨୦ ହଜାରରୁ ଉର୍ଦ୍ଧ୍ୱ କିନ୍ନର ଥିବାବେଳେ ସେମାନଙ୍କ ପାଇଁ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇପାରି ନାହିଁ । ବରଂ ସେମାନେ ଅନେକ ସମୟରେ ଟାହି ଟାପରାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏହି କିନ୍ନରମାନେ ଏବେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସମାଜରୁ ବାହାରି ଆସି ରେଲ୍‌ୱେ ଷ୍ଟେସନ, ଫୁଟ୍‌ପାଥରେ ରହୁଛନ୍ତି । ଅନେକ ସମୟରେ ସେମାନେ ଅସାମାଜିକ ଲୋକମାନଙ୍କର ମଧ୍ୟ ଶିକାର ହେଉଛନ୍ତି । ସେମାନଙ୍କ ପାଇଁ ଆଖି ଦୃଶିଆ ସୁବିଧା ସୁଯୋଗ ନଥିବାରୁ ସେମାନେ ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରୁ ନାହାଁନ୍ତି । କେନ୍ଦ୍ର ସରକାର ଅମ୍ବ୍ରେଲା ଯୋଜନା ମାଧ୍ୟମରେ କିନ୍ନରମାନଙ୍କ ଉତ୍ଥାନ ପାଇଁ ହାତ ବଢାଇଥିବା ବେଳେ ପୂର୍ବ ସରକାର ତାହା ଠିକ ଭାବରେ ପରିଚାଳନା କରିପାରିଲେ ନାହିଁ । ତେଣୁ କିନ୍ନର ୱେଲଫେୟାର ବୋର୍ଡ଼ ଗଠନ କରିବା, ଓଡ଼ିଶାରେ ଥିବା କିନ୍ନରମାନେ ଭୂମିହୀନ ହୋଇଥିବାରୁ ସେମାନଙ୍କୁ ସ୍ଥାୟୀ ଜମିପଟ୍ଟା ଯୋଗାଇଦେବା, ସମସ୍ତ କିନ୍ନରମାନଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ୍ କରିବା ଓ ଭତ୍ତା ପ୍ରଦାନ କରିବା, କିନ୍ନରମାନଙ୍କ ପାଇଁ ପ୍ରତ୍ୟେକ ରାଜନୈତିକ କ୍ଷେତ୍ରରେ / ସରକାରୀ ଓ ବେସରକାରୀ ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ଏବଂ କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ପରିଶ୍ରାଗାର ନିର୍ମାଣ କରିବା, ପ୍ରତ୍ୟେକ ସରକାରୀ ଓ ବେସରକାରୀ ବସ୍‌ଗୁଡ଼ିକରେ ସିଟ୍ ସଂରକ୍ଷଣ କରିବା ଆଦି ୫ ଦଫା ଦାବିକୁ ରାଜ୍ୟ ସରକା ପୂରଣ କଲେ ଓଡ଼ିଶାରେ ଥିବା କିନ୍ନରସମାଜ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ଶ୍ରୀଯୁକ୍ତ ସାହୁ ସରକାରଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ