ରାଜ୍ୟରେ ବର୍ଷା କାରଣରୁ ୧୯ ଲକ୍ଷ ଲୋକ ପ୍ରଭାବିତ : ତିନି ମୃତ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟରେ ଲଗାତାର ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବର୍ଷା କାରଣରୁ ରାଜ୍ୟର ୫୩ଟି ବ୍ଲକର ୨୭୮୯ ଗାଁ ତଥା ୧୪ଟି ପୌରାଂଚଳର ୧୯,୫୩,୬୪୭ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୬୫ ଟି ଘର ଭାଙ୍ଗିଛି ତଥା ୩୮୧୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଛିା ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏସଆରସି କାର୍ଯ୍ୟାଳୟ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ତିନି ଜଣଙ୍କର ଜୀବନ ଯାଇଥିବା ନେଇ ପ୍ରାଥମିକ ରିପୋର୍ଟ ହସ୍ତଗତ ହୋଇଛି । ଏଥି ମଧ୍ୟରୁ ଘର କାନ୍ଥ ଭୁଷୁଡିବା କାରଣରୁ କେନ୍ଦ୍ରାପଡାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଧା ଜିଲ୍ଲାରେ ଜଣେ ବୁଡି ମୃତ୍ୟୁବରଣ କରିଥ୍ିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଏ ନେଇ ସବିଶେଷ ଜାଂଚ କରା ଯାଉଥିବା ସୂଚନା ଦିଆ ଯାଇଛି ।ଏଥିରେ କଳାହାଣ୍ଡି ଜିଲ୍ଲାର ୨ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର ୩ଟି ବ୍ଲକ ଓ ଓ ଏକ ପୌର ସଂସ୍ଥା ପ୍ରଭାବିତ ହୋଇଛି । ସେହିପରି କୋରାପୁଟର ୫ଟି ବ୍ଲକ, କଟକର ୨ଟି ବ୍ଲକ, ୨ଟି ପୌରସଂସ୍ଥା , ଯାଜପୁର ଜିଲ୍ଲାର ୮ଟି ବ୍ଲକ, ପୁରୀ ଜିଲ୍ଲାର ୪ଟି ବ୍ଲକ ଓ ୪ ପୌର ସଂସ୍ଥା ପ୍ରଭାବିତ ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ ଓ ୨ଟି ପୌର ସଂସ୍ଥା, କେନ୍ଦ୍ରାପଡା ଜିଲ୍ଲାର ୫ଟି ବ୍ଲକ ଓ ୨ଟି ପୌର ସଂସ୍ଥା, ଢେଙ୍କାନାଳ ଜିଲ୍ଲାର ୩ଟି ବ୍ଲକ ଓ ୧ଟି ପୌର ସଂସ୍ଥା, ଖୋର୍ଧା ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୌର ସଂସ୍ଥା ଓ ଅନୁଗୁଳ ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହୋଇଛି ।


