ରାଜ୍ୟର ୫୦ ହଜାର ସରକାରୀ ସ୍କୁଲରେ ପାଣି, ବିଜୁଳି, ଶୌଚାଳୟ, ଇଂଟରନେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ ଶିକ୍ଷା ବ୍ୟବସ୍ଥା, ଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ପଦକ୍ଷେପ ଏବଂ ନୂଆ ଜାତୀୟ ନୀତି-୨୦୨୦ର କାର୍ଯ୍ୟକାରିତା ନେଇ ଶନିବାର ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ମାନଙ୍କ ସହ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକ କରିଛନ୍ତି । ବୈଠକ ଫଳପ୍ରଦ ହୋଇଥିବା ନେଇ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ ସୂଚନା ଦେଇଥିବା ବେଳେ ଆଗାମୀ ୨ ବର୍ଷ ମଧ୍ୟରେ ରାଜ୍ୟର ୫୦ ହଜାର ବିଦ୍ୟାଳୟରେ ରାଜ୍ୟର ୫୦ ହଜାର ସରକାରୀ ବିଦ୍ୟାଳୟରେ ପାଣି, ବିଜୁଳି, ଶୌଚାଳୟ, ଇଂଟରନେଟ୍ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଓଡିଶାରେ ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଆୟୋଜିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷା ଭିତିଭୂମିର ବିକାଶ ପାଇଁ ରୁସାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିବା ସହ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ । ଏହାସହ ଓଡ଼ିଶାରେ ଅନଲାଇନ ଶିକ୍ଷାକୁ ମଜବୁତ୍ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଏବଂ ଜାତୀୟ ଶିକ୍ଷା ନୀତି -୨୦୨୦ ଉପରେ ବିସ୍ତୁତ ଭାବେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀ, ୧୮ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ଓ କଲେଜର କର୍ମଚାରୀଙ୍କ ଟିକାକରଣକୁ ଶତପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଆସନ୍ତା ସେପ୍ଟେମ୍ବରରେ ଏକ ଅଭିଯାନ ଆରମ୍ଭ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ସମଗ୍ର ଶିକ୍ଷା ଅଧୀନରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଓଡ଼ିଶାର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରାଯିବା ସହ ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଉପରେ ସମୀକ୍ଷାକରାଯାଇଥିଲା । ବିଦ୍ୟାଳୟ ସ୍ତରରେ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶକୁ ଏକାଠି କରି ପ୍ରଥମ ପର୍ଯ୍ୟାୟରେ ୧୫୦ ସ୍କୁଲକୁ ନେଇ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିବା ଉପରେ ଆଲୋଚନା କରାଯାଇଛି ।ଆଗାମୀ ୨ ବର୍ଷ ମଧ୍ୟରେ ୫୦ ହଜାର ସରକାରୀ ବିଦ୍ୟାଳୟରେ ମୋଦି ସରକାରଙ୍କର ସ୍ୱଜଲଧାରା ଯୋଜନାରେ ପାନୀୟ ଜଳ, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଭାରତ ନେଟ୍ ଯୋଜନାରେ ଇଂଟରନେଟ୍ ସଂଯୋଗ ଓ ଆନୁଷଙ୍ଗିକ ସୁବିଧା ଉପରେ ଗୁରୁତ୍ୱ ଦିଆଯିବ ।ଶିକ୍ଷାର ବିକାଶ କରିବା ଉଭୟ ଭାରତ ଓ ରାଜ୍ୟ ସରକାରଙ୍କର ମିଳିତ ଦାୟିତ୍ୱ । କେନ୍ଦ୍ର ଓ ରାଜ୍ୟ ସମନ୍ୱୟରେ ନୂଆ ଶିକ୍ଷା ନୀତିରେ ବିଶେଷ ଭାବରେ ଗରିବ ଘରର ପିଲା ତଥା ସ୍କୁଲ ମାଡ଼ୁ ନଥିବା ପିଲାଙ୍କ ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ସ୍ୱରୋଜଗାରର ବାଟ ଦେଖାଇବା ଆମର ଲକ୍ଷ୍ୟ ଏବଂ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ