ଆଇଆଇଟି, ହାଇଦ୍ରାବାଦର ଫେକ ରିପୋର୍ଟ ଦେଇଛନ୍ତି ସରକାର, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏସ୍ପିଙ୍କ ବିରୁଦ୍ଧରେ ମାମଲା ହେଉ – କଂଗ୍ରେସ
ଭୁବନେଶ୍ୱର, (ୱାଇଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲା, ଖରସ୍ରୋତା ନଦୀ ଉପରେ ନିର୍ମାଣ କରାଯାଉଥିବା ମେଗା ପାଇପ ୱାଟର ସପ୍ଲାଏ ପ୍ରୋଜେକ୍ଟ ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବଡ଼ ଖୁଲାସା କରାଯାଇଛି । ଶନିବାର ଦିନ ପ୍ରଦେଶ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳପକ୍ଷରୁ ଅଭିଯୋଗ ହୋଇଛି ଯେ ରାଜ୍ୟ ସରକାରଙ୍କର ପକ୍ଷରୁ ଦିଆଯାଇଥିବା ପରିବେଶ ସାମାଜକି ପ୍ରଭାବ ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ଏବଂ ଭିତିହୀନ । ଯେହେତୁ ପ୍ରକଳ୍ପଟି ଭିତର କନିକା ଇକୋ ସେନ୍ସିଟିଭ ଜୋନ ମଧ୍ୟରେ ଆସୁଛି ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଇକୋ ସେନ୍ସିଟିଭ୍ ଜୋନ କମିଟିର ସହମତି ଏବଂ ସ୍ୱୀକୃତି ନେବା ଜରୁରୀ । ଏ ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ୧୬ ଜୁନ ୨୦୧୫ ମସିହାରେ ଏକ ଗେଜେଟ ନୋଟିଫିକସେନ ବା ବିଜ୍ଞପ୍ତି ଜାରିକରିଥିଲେ । ମାତ୍ର ରାଜ୍ୟ ସରକାର ଭଦ୍ରକ ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଭିତରକନିକା ସଂପର୍କରେ କୌଣସି ଏନ୍ଭାରନ୍ମେଟ ଇମ୍ପାକ୍ଟ ଏସେସ୍ମେଂଟ ଷ୍ଟଡି କରିନାହାଁନ୍ତି ବୋଲି କଂଗ୍ରେସ ମିଡ଼ିଆ କନଭେନର ସତ୍ୟ ପ୍ରକାଶ ଅଭିଯୋଗ କରିଛନ୍ତି । କେନ୍ଦ୍ରପଡ଼ା ଓ ସମଗ୍ର ରାଜ୍ୟବାସୀଙ୍କୁ ଭୂଆଁ ବୁଲେଇବା ପାଇଁ ଆଇଆଇଟି, ହାଇଦ୍ରାବାଦ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ମିଛି କହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ରାଜ୍ୟ ସରକାର ଯେଉଁ ଇ.ଏସ୍. ଆଇ ଏ ରିପୋର୍ଟକୁ ଦେଖାଉଛନ୍ତି ତାହା ଆଇଟି, ହାଇଦ୍ରାବାଦର ଫେକ ରିପୋର୍ଟ । ଭିତରକନିକା ଏକ ଇକୋ- ସେନସିଟିଭ ଜୋନ ହୋଇଥିବା ବେଳେ ସରକାର କାହିଁକି ଦେଶର ଏକ ବିଶ୍ୱସନୀୟ ସଂସ୍ଥା ଠାରୁ ଏନ୍ଭାଇରନମେଂଟ ଇମ୍ପାକ୍ଟ ଏସେସମେଂଟ ରିପୋର୍ଟ ପ୍ରସ୍ତୁତ କଲେନାହିଁ । ଆଇଆଇଟି ହାଇଦ୍ରାବାଦର ଯେଉଁ ରିପୋର୍ଟ ଦେଖାଉଛନ୍ତି ତାହା ଭଦ୍ରକ ମେଗା ପାଇଁ ପାଇପ ପାନୀୟ ଜଳ ପ୍ରକଳ୍ପର ଫିଜିବିଲଟି ରିପୋର୍ଟ ସେଥିରେ ଭିତରକନିକା ଜାତୀୟ ଉଦ୍ୟାନ ସପଂର୍କିତ କୌଣସି ତଥ୍ୟ ଉଲ୍ଲେଖ ନାହିଁ ଯଦି ଅଛି ସରକାର ଦେଖେଇ ଦିଅନ୍ତୁ କେଉଁଠି ଓ କ’ଣ ଉଲ୍ଲେଖ ଅଛି? ସରକାର ଆଇଟି ହାଇଦ୍ରାବାଦକୁ ପରିବେଶ ପ୍ରଭାବ ସଂକ୍ରାନ୍ତୀୟ ସର୍ତ ପାଇଁ କେବେ ନିଯୁକ୍ତି ଦେଲେ? ଏଥିପାଇଁ କେତେ ଟଙ୍କା ସରକାର ଆଇଆଇଟିକୁ ଦେଇଛନ୍ତି? ସର୍ଭେ ରିପୋର୍ଟର ଟର୍ମ ଅଫ ରେଫେରେନ୍ସି କପି କାହଁକି ସୂଚନା ଅଧିକାରରେ ଦେଇନାହାଁନ୍ତି ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି ।
କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ମନୋରଞ୍ଜନ ଦାଶ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟ ପରିବେଶ ଜଙ୍ଗଲ ବିଭାଗମନ୍ତ୍ରୀ ବିକ୍ରମ ଆରୁଖ କାହିଁକି ନୀରବ? ଏ ଘଟଣାର କେନ୍ଦ୍ରୀୟ ଆଇନର ଉଲଂଘନନ ହୋଇଛି ତେଣୁ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହ ଅଭିଯୁକ୍ତ ଠିକାଦାର ଓ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ଦାଶ ଦାବି କରିଛନ୍ତି ।


