ରାଜ୍ୟସ୍ତରୀୟ ଜାତୀୟ ସଂହତି ଶିବିର
ଖୋର୍ଦ୍ଧା , (ଯୁଗାବ୍ଦ ନ୍ୟୁଜ) : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପୀଠ ନିକଟବର୍ତ୍ତୀ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଶିବିର ଗୁରୁବାର ଠାରୁ ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ଉପସ୍ଥିତି ତଥା ରାଜ୍ୟ ସଂସ୍ଥାର ସମସ୍ତ କର୍ମଚାରୀଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ୱ ସ୍କାଉଟସ୍ ଏବଂ ଗାଇଡସ୍ ଉକ୍ତ ଶିବିରରେ ଯୋଗଦାନ କରିଅଛନ୍ତି । ପୂର୍ବାହ୍ନ ୯ ଘଟିକା ସମୟରେ ଶିବିରାର୍ଥୀମାନଙ୍କର ନାମ ପଞ୍ଜୀକରଣ କାର୍ଯ୍ୟ ଆରମ୍ଭ ହୋଇ ସମସ୍ତଙ୍କୁ ଶିବିରରେ ଥଇଥାନ କରାଯାଇଥିଲା । ଆସନ୍ତା କାଲି ଆୟୋଜିତ ହେବାକୁ ଥିବା ଉଦ୍ଘାଟନୀ ସମାରୋହ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ସମସ୍ତ ସ୍କାଉଟ ଓ ଗାଇଡ୍ ବ୍ୟସ୍ତ ରହିଥିଲେ । ଶିବିର ସାଜସଜ୍ଜା, ଗେଟ୍ ନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ତାଲିମ କେନ୍ଦ୍ର ପରିସର ବେଶ୍ କୋଳାହଳ ପୂର୍ଣ୍ଣ ଥିଲା । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଆସନ୍ତାକାଲି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଶିବିର ଆସନ୍ତା ୧୬ ତାରିଖିରେ ସମାପନ ହେବ ।