ରାଜ୍ୟସ୍ତରୀୟ ଡ. ସଚ୍ଚି ରାଉତରାୟ ଜୟନ୍ତୀ ସମାରୋହ

ଖୋର୍ଦ୍ଧା , (ଯୁଗାଦ୍ଦ ନ୍ୟୁଜ) : ଓଡଶା ସାହିତ୍ୟ ଏକାଡେମୀ ଓ ଖୋର୍ଦ୍ଧା ସାହିତ୍ୟ ସଂସଦ ମିଳିତ ଆନୁକୂଲ୍ୟରେ ଡ. ସଚ୍ଚି ରାଉତରାୟଙ୍କ ୧୦୩ତମ ଜୟନ୍ତୀ ଅବସରରେ ଏକ ସାରସ୍ୱତ ସଭା ଖୋର୍ଦ୍ଧା ସାହିତ୍ୟ ସଂସଦ ସଭାପତି ପ୍ରାଧ୍ୟାପକ ଗୋପାଲକୃଷ୍ଣ ଦାସଙ୍କ ପୌରହିତ୍ୟରେ ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦର ସମ୍ପାଦକ ଡକ୍ଟର ଧୀରେନ୍ଦ୍ର ନନ୍ଦ ସ୍ୱାଗତ ଭାଷଣ ଦେବା ପରେ ମୁଖ୍ୟ ଅତିଥି ବିଶିଷ୍ଟ କବି ଡକ୍ଟର ଫନି ମହାନ୍ତି କହିଲେ ସଚ୍ଚି ରାଉତରାୟ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ଏବଂ ସମାଲୋଚକ ହୋଇଥିବା ବେଳେ ତାଙ୍କର ଳେଖନୀ ମୁନରେ ଓଡିଆ ସାହିତ୍ୟରେ ଏକ ବୈପ୍ଲବିକ ପରିବର୍ତନ ଆଣିବାରେ ସକ୍ଷମ ହୋଇଥିଲେ । ଓଡିଆ କାବ୍ୟ ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନର ଜଣେ ଅନ୍ୟତମ ପ୍ରବକ୍ତା ଭାବରେ ସେ ସ୍ୱୀକୃତି ଲାଭ କରିଛନ୍ତି । ଓଡିଆ ଜାତିରେ ସେ ଜଣେ ମହାନ୍ ସାରସ୍ୱତ ସାଧକ ଭାବରେ ତାଙ୍କର ଉଚ୍ଚକୋଟିରସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ, ପଦ୍ମଶ୍ରୀ ଉପାଧି, ଜ୍ଞାନପୀଠ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋ, ଆନ୍ଧ୍ର ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡିଲିଟ୍ଉପାଧି ପାଇଥିବା ଓଡିଶାର ଏକ ବିରଳ ବ୍ୟକ୍ତିତ୍ୱଙ୍କର ଖୋର୍ଦ୍ଧା ଠାରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ସ୍ଥାପନା କରିବା ପାଇଁ ଦୃଢ଼ ଦାବି କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକା ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର ଯୋଗଦେଇ କହିଲେ ସଚ୍ଚି ରାଉତରାୟ ଏମିତି ଜଣେ କବି ଓ କଥାକାର ଯାହା ବର୍ଣ୍ଣନା କରିବା କଷ୍ଟକର । ତାଙ୍କର ନିରନ୍ତର କବିତା ହିଁ ତାଙ୍କୁ ଅମର କରି ରଖିଛି । ସମ୍ମାନିତ ଅତିଥି ଭାବେ ଡ. ଶଶାଙ୍କ ଶେଖର ରଥ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରି କହିଲେ ସେ ଥିଲେ ଆଧୁନିକ ଓଡିଆ ସାହିତ୍ୟରେ ନବ ଦିଗନ୍ତର ଉନ୍ମୋଚକ । ଅନ୍ୟତମ ସମ୍ମାନିତ ଅତିଥି ଓଡିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ଅଧିକାରୀ ସଂଜୟ ଛୁଆଳସିଂହ କହିଲେ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ସେ ଥିଲେ ଅନନ୍ୟ ସ୍ରଷ୍ଟା । ସେହିଭଳି ଅନନ୍ୟ ସାହିତ୍ୟ ସାଧକ ମାନଙ୍କର ଜୟନ୍ତୀ ଉତ୍ସବ ପାଳନ କରିବା ପାଇଁ ଓଡିଶା ସାହିତ୍ୟ ଏକାଡେମୀ ସବୁବେଳେ ପ୍ରସ୍ତୁତ । ସାହିତ୍ୟ ସଂସଦର ସଂଗଠନ ସଂପାଦକ ବିଭୂ ପ୍ରସାଦ ହରିଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହସଂପାଦକ ଡ. କୈଳାଶ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଡ. ନିରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସଂସଦର ଉପସଭାପତି ଡା. ଯୋଗେଶ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଏବଂ କବିତା ପଟ୍ଟନାୟକ, ସମରଜିତ ପଟ୍ଟନାୟକ ଓ ପ୍ରଫୁଲ ସାମନ୍ତରାୟଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଐତିହାସିକ ପ୍ରଫେସର ନାରାୟଣ ରାଓ, ଶିକ୍ଷାବିତ୍ ଡ. ବୃନ୍ଦାବନ ପଣ୍ଡା, ସାହିତ୍ୟିକ ବଂଶୀଧର ରାଉତ, ବୈକୁଣ୍ଠ ରାଜଗୁରୁ, ଭୀମସେନ ପ୍ରଧାନ, ନାରାୟଣ ଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ସାହିତ୍ୟିକ, କବି, ଲେଖକ, ଆଇନିଜୀବି, ସମାଜସେବୀ ତଥା ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ