ରାଜ୍ୟସ୍ତରୀୟ ‘ନବମାତୃକା ପୂଜା’ କରୋନା କଟକଣା ପାଇଁ ସ୍ଥଗିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ପବିତ୍ର ନବରାତ୍ରୀ ଅବସରରେ ଭୁବନେଶ୍ୱରର ଶହିଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅଭ୍ୟର୍ଥନା କମିଟି’, ‘ଯୁଗଶ୍ରୀ ଯୁଗନାରୀ’ ମାସିକ ମହିଳା ପତ୍ରିକା, ‘ବାଲେଶ୍ୱରୀ କଳାକେନ୍ଦ୍ର’ ଓ ‘ଆର୍ଯ୍ୟସମାଜ’ର ସହଭାଗିତାରେ ୨୦୧୩ ମସିହା ଠାରୁ ପ୍ରତିବର୍ଷ ‘ନବମାତୃକା ପୂଜା’ ଅନୁଷ୍ଠିତ ହୋଇଆସୁଛି । ଯୁଗେ ଯୁଗେ ଭାରତବର୍ଷରେ ମାତୃଜାତିକୁ ଉଚ୍ଚସ୍ଥାନ ଦିଆଯାଇଛି । ମାଆମାନଙ୍କ ବିନା ଏ ମାନବ ସମାଜର ଅସ୍ତିତ୍ୱ ନାହିଁ । କାରଣ ସେମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆଜିର ସମାଜରେ ସେହି ଦେବୀତୁଲ୍ୟ ମା’ମାନେ ଘରେ ଓ ବାହାରେ ଅବହେଳିତ ହେଉଥିବାର ଦେଖାଯାଉଛି । ମା’ମାନଙ୍କ ପ୍ରତି ଆମ୍ଭମାନଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବା ତଥା ସେମାନଙ୍କୁ ସମ୍ମାନ ଜଣାଇବା ଆମର ଧର୍ମ । ଏଥିପାଇଁ ପାଳନ ହୋଇଆସୁଛିି ‘ନବମାତୃକା’ ପୂଜା । କଳା, ସାହିତ୍ୟ, ସଂସ୍କୃତି, ଜାତି ଓ ପରମ୍ପରାର ଉର୍ଦ୍ଧ୍ୱର୍ରେ ରହି ମାତୃଜାତିକୁ ସମ୍ମାନ ଜଣାଇବା ପାଇଁ ପ୍ରତ୍ୟେକବର୍ଷ ୯ଜଣ ମା’ଙ୍କୁ ସମାଜର ପ୍ରତୀକ ସ୍ୱରୂପ ଅଭିନନ୍ଦିତ କରାଯାଇ ଆସୁଥିଲା । ବିଗତ ୭ବର୍ଷ ମଧ୍ୟରେ ୬୩ ଜଣ ମାଆଙ୍କୁ ପୂଜା କରାଯାଇଅଛି । ମାତ୍ର, ଚଳିତବର୍ଷ ‘କରୋନା’ ମହାମାରୀ ହେତୁ ବିଶ୍ୱରେ କୋଟି କୋଟି ଲୋକ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ବହୁ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ମହାମାରୀ ମୁକାବିଲାରେ ନିୟୋଜିତ କରୋନା ଯୋଦ୍ଧାମାନେ ଏପର୍ଯ୍ୟନ୍ତ ନିଜର ଲଢ଼ାଇ ଜାରି ରଖିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଯୋଦ୍ଧା ଦିବଂଗତ ହୋଇଛନ୍ତି । ସେମାନଙ୍କୁ ‘ନବମାତୃକା ପୂଜା କମିଟି’ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ପରିବାରକୁ ତଥା ‘କରୋନା’ ମହାମାରୀରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ‘ନବମାତୃକା ପୂଜା କମିଟି’ପକ୍ଷରୁ ଗଭୀର ସମବେଦନା ଜଣାଉଛି । ସେହି କାରଣରୁ ପୂଜ୍ୟ ପୂଜାର ନିଦର୍ଶନ ସ୍ୱରୂପ ‘ନବମାତୃକା’ ପୂଜାକୁ ଚଳିତ ବର୍ଷ କରୋନା କଟକଣା ପାଇଁ ସ୍ଥଗିତ ରଖାଯିବାକୁ କମିଟିର ସଭାପତି ଡ.ସାତକଡ଼ି ହୋତା, ଆବାହିକା ଡ. ଶକୁନ୍ତଳା ବଳିଆରସିଂହ, ‘ଆର୍ଯ୍ୟସମାଜ’ର ପ୍ରତିଷ୍ଠାତା ଇଂ. ପ୍ରିୟବ୍ରତ ଦାସ, ଶ୍ରୀମତୀ ଶନ୍ନୋ ଦେବୀ, ଶ୍ରୀମତୀ ମମତା ମହାପାତ୍ର, ସମ୍ପାଦିକା ‘ଯୁଗଶ୍ରୀ ଯୁଗନାରୀ’, ଶିଳ୍ପୀ କେଶୁ ଦାସ, କାର୍ଯ୍ୟକାରୀ ନିର୍ଦ୍ଦେଶକ, ବାଲେଶ୍ୱରୀ କଳାକେନ୍ଦ୍ର ଓ କମିିଟିର ସଦସ୍ୟ ଶ୍ରୀମତୀ ଶାଶ୍ୱତୀ ବଳ, ଡ. ସଂଘମିତ୍ରା ମିଶ୍ର, ଶ୍ରୀମତୀ ସୀତା ସାହୁ, ଡ.ପ୍ରଭାବତୀ ପଣ୍ଡା, ଅଧ୍ୟାପକ ବିଶ୍ୱରଞ୍ଜନ, କର୍ଣ୍ଣେଲ ଶରତ କୁମାର ମହାପାତ୍ର, ଶ୍ରୀଯୁକ୍ତ ଚିତରଞ୍ଜନ ବର୍ମା, ଶ୍ରୀମତୀ ଆଶାଲତା ଦାଶ, ସୁଶ୍ରୀ ଗୀତାଞ୍ଜଳି ସିଂହ ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିଛନ୍ତ ଏବଂ ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବାକୁ ସ୍ଥିର ହୋଇଛି ।


