ରାଜ୍ୟ ସରକାରଙ୍କ ଅଜବ ନୀତି, ୨୦ବର୍ଷ ହେବ ଗୋତି ଶ୍ରମିକ ଭଳି ଖଟୁଛନ୍ତି ୪ହଜାରରୁ ଅଧିକ ପଞ୍ଚାୟତ କର୍ମଚାରୀ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତି ଯୋଗୁ ଅନେକ ବ୍ୟକ୍ତି ଚାକିରୀରେ ଥାଇ ସୁଦ୍ଧା ମାନ୍ୟତା ନପାଇ ଆର୍ଥିକ ଅନଟନ ମଧ୍ୟରେ କାଳାତିପାତ କରୁଛନ୍ତି । ତନ୍ମଧ୍ୟରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା କର୍ମଚାରୀ ଅନ୍ୟତମ । ଓଡିଶାରେ ଏଭଳି ୪ହଜାରରୁ ଅଧିକ କର୍ମଚାରୀ ଥିବାବେଳେ ସେମାନେ ଏବେ ବହୁ ଦୁଃଖକଷ୍ଟେ ସମୟ ବିତାଉଛନ୍ତି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ପ୍ରାୟ ୧୯୪ଜଣ କର୍ମଚାରୀ ଥିବାବେଳେ ଭଣ୍ଡାରିପୋଖରୀ ବ୍ଲକର ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଜଣ ପଞ୍ଚାୟତ କର୍ମଚାରୀ ଦୀର୍ଘ ୨୦/୨୫ବର୍ଷ ହେବ ଏକପ୍ରକାର ଗୋତି ଶ୍ରମିକ ଭଳି କାର୍ଯ୍ୟ କରୁଥିଲେ ସୁଦ୍ଧା ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ତ ଦୂରର କଥା ଚାକିରୀ ମାନ୍ୟତା ମଧ୍ୟ ମିଳିପାରିନାହିଁ । ଏକ ପ୍ରକାର ସେମାନେ ପଞ୍ଚାୟତର ଅସ୍ଥାୟୀ ପିଅନ ଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ମଧ୍ୟ କରିଥାଆନ୍ତି । ରାସନ ଚାଉଳ ବଣ୍ଟନ ଠାରୁ ଆରମ୍ଭ କରି ଭତ୍ତା ବାଣ୍ଟିବା , ଆବାସ ଯୋଜନା କାଗଜପତ୍ର କାମ କରିବା ସହିତ ଗ୍ରାମସଭା ଓ ପଲ୍ଲୀସଭା ବୈଠକ ପାଇଁ ସମସ୍ତ ସହଯୋଗ କରିଥାଆନ୍ତି । ସକାଳ ୧୦ରୁ ସନ୍ଧ୍ୟା ଯାଏଁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ରହି ସରପଞ୍ଚଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯାଏଁ ସମସ୍ତଙ୍କର ସବୁ କାର୍ଯ୍ୟ କରୁଥିଲେ ସୁଦ୍ଧା ଏମାନଙ୍କୁ ସରକାରୀ ମାନ୍ୟତା ନମିଳିବା ପରିତାପର ବିଷୟ ପାଲଟିଛି । ଗୁରୁତ୍ୱପୂର୍ଣ୍ଣ କଥାହେଲା ଗ୍ରାମପଞ୍ଚାୟତ ଆଇନ ଅନୁସାରେ ସରପଞ୍ଚ , ସମ୍ପାଦକ ଓ ପିଅନ ଏହି ତିନିଗୋଟି ପଦବୀ ପଞ୍ଚାୟତ କାର୍ଯ୍ୟ ତୁଲାଇବା ପାଇଁ ଉଦ୍ଦିଷ୍ଟ ଥିବାବେଳେ ତାହା ଏବେବି ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ । ସରପଞ୍ଚଙ୍କୁ ଛାଡିଦେଲେ ସମ୍ପାଦକ ମାନଙ୍କୁ ଗ୍ରାମ ପଞ୍ଚାୟତ ଆଇନ ଧାରା ୨୧୨ଅନୁଯାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ମାନ୍ୟତା ମିଳିଥିବାବେଳେ ଧାରା ୨୧୯ ଅନୁଯାୟୀ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ଏବେ ବି ସୁଦ୍ଧା ପିଅନ ମାନ୍ୟତା ମିଳିପାରିନାହିଁ । କେବଳ ଜିଲ୍ଲା ଗ୍ରାମପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ପଞ୍ଚାୟତରେ କାର୍ଯ୍ୟ କରିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ପଞ୍ଚାୟତ ଆୟ ଅନୁଯାୟୀ ଏହି କର୍ମଚାରୀ ମାନଙ୍କୁ ସ୍ଥଳ ବିଶେଷରେ ମାସିକ ୩୦୦ରୁ୧୨୦୦ଟଙ୍କା ଯାଏଁ ପାରିଶ୍ରମିକ ଦିଆଯାଉଛି । ସାଂପ୍ରତିକ ସମୟରେ ଏତକ ପାରିଶ୍ରମିକ ପାଉଥିବା ଜଣେ ବ୍ୟକ୍ତି କେଉଁଭଳି ପରିବାର ପ୍ରତିପୋଷଣ କରିବ ତାହା କହିବା ମୁସ୍କିଲ । ଏହି ଅସ୍ଥାୟୀ ପଞ୍ଚାୟତ କର୍ମଚାରୀ ମାନେ ବହୁବାର ଆନ୍ଦୋଳନ, ଧାରଣା ଦେଇ ନିଜ ଚାକିରୀ ସ୍ଥାୟୀ କରିବାକୁ ଦାବି କରିଥିଲେ ସୁଦ୍ଧା ସରକାର ଏହା ଉପରେ କୌଣସି ଦୃଷ୍ଟି ଦେଉନାହାଁନ୍ତି । ଅନେକ ପଞ୍ଚାୟତ କର୍ମଚାରୀ ଏବେ ବୟସର ଅପରାହ୍ନରେ ପହଞ୍ଚିଥିଲେ ସୁଦ୍ଧା ସେମାନଙ୍କୁ ସରକାରୀ ମାନ୍ୟତା ନମିଳିବା ବଡ ଦୁଃଖର ବିଷୟ ବୋଲି ଭଣ୍ଡାରିପୋଖରୀ କର୍ମଚାରୀ ସଂଘର ସଭାପତି ମାଧବାନନ୍ଦ ଦ୍ୱିବେଦୀ କହିଛନ୍ତି । ଆଗାମୀ ଦିନରେ ସରକାର ଏହା ଉପରେ କୌଣସି ଦୃଷ୍ଟିନଦେଲେ ଧିରେଧିରେ ପଞ୍ଚାୟତ କାର୍ଯ୍ୟରେ ବହୁ ଅବ୍ୟବସ୍ଥା ସୃଷ୍ଟିହେବ ବୋଲି ଜଣାପଡିଛି ।


