ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଏସଇବିସି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ପ୍ରସଙ୍ଗରେ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଉପରେ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏସଇବିସି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ରକୁ ରାଜ୍ୟ ପ୍ରସ୍ତାବ ଦେଇପାରିବ । ଯଦି ସମ୍ଭବ କେନ୍ଦ୍ର ସରକାର ବିଚାର କରି ବାଟ ବାହାର କରିପାରିବେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଚାର କରିବେ । ତେବେ ଓଡ଼ିଶାରେ କାହିଁକି ମଣ୍ଡଳ କମିଶନ ଲାଗୁ ହେଲାନାହିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ମଣ୍ଡଳ କମିଶନରେ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସରକାର ଲାଗୁ କରିନାହାନ୍ତି । ୨୦୧୯ ଜୁଲାଇରେ ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଧର୍ମେନ୍ଦ୍ର କହିଛନ୍ତି । ସେହିପରି ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଚାକିରି କ୍ଷେତ୍ରରେ ଏସଇବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି କିନ୍ତୁ ଲାଗୁ ହୋଇନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ପ୍ରକାଶ ଯେ, ସାଧାରଣ ଜନଗଣନା ସହ ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଗଣନା ଏକାସହ କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏଥିପାଇଁ ଜନଗଣନା ଫର୍ମାଟରେ ଏକ ସ୍ୱତନ୍ତ୍ର କଲମ ରଖାଯାଉ କିମ୍ବା ଏକା ସାଙ୍ଗେ ସାମାଜିକ ଓ ଆର୍ଥିକ ଭାବେ ପଛୁଆବର୍ଗଙ୍କ ଗଣନା ପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ୍ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବାକୁ ରାଜ୍ୟ କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି।


