ରାଜ୍ୟ ସରକାର ଜାଣିଶୁଣି ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି: ବିଜେପି

ଭୁବନେଶ୍ୱର: ପିଆଜ ଦର ହୁ ହୁ ହାଇ ବଢୁଥିବା ବେଳେ ରାଜ୍ୟ ସରକାର କେବଳ ଗଣମାଧ୍ୟମରେ ବୟାନ ଦେବାରେ ସୀମିତ ଅଛନ୍ତି । କିଭଳି ସାଧାରଣ ଖାଉଟିକୁ ଶସ୍ତାରେ ପିଆଜ ମିଳିବ ସେଥିପାଇଁ ଆଦୌ ଯତ୍ନବାନ ନାହାନ୍ତି । କେନ୍ଦ୍ର ସରକାର ଶସ୍ତାରେ ରାଜ୍ୟମାନଙ୍କୁ ପିଆଜ ଦେବା ପାଇଁ ଘୋଷଣା କରିଥଲାବେଳେ ରାଜ୍ୟ ସରକାର ଏହାର ଲାଭ ନେଉନାହାନ୍ତି । ଯୋଗାଣ ସଚିବ ଦିଲ୍ଲୀ ଯାଇ ପିଆଜର ମାନକ ଦେଖି ଆସିଲା ପରେ ପିଆଜ କେନ୍ଦ୍ର ସରକାରଙ୍କ ପାଖରୁ ଅଣାଯିବ ବୋଲି କହୁଛନ୍ତି । ଏପରି ସ୍ଥିତିରେ ଓଡିଶାରେ ପିଆଜ ଦର ଦିନକୁ ଦିନ ବଢିବାରେ ଲାଗିଛି । ଏପରି ପରିସ୍ଥିତିରେ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବୟାନ କଳାବଜାରିଙ୍କୁ ପ୍ରୋତ୍ସାହନ ଦେବା ଭଳି । ଆସନ୍ତା ଦୀପାବଳି ପର୍ଯ୍ୟନ୍ତ ଦର ଉଚ୍ଚା ରହିବ ବୋଲି ମନ୍ତ୍ରୀ ନିଜେ କହିବା ସିଧାସଳଖ ଭାବେ ଅସାଧୁ ବେପାରି ଓ କଳାବଜାରି କରି ଷ୍ଟକ ରଖୁଥିବା ବେପାରୀ ମାନଙ୍କୁ ସୁହାଇଛି ବୋଲି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ ଅଭିଯୋଗ କରିଛନ୍ତି ।ଶ୍ରୀ ସାମଲ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅନୁଦାନରେ ଏକ ପ୍ରାଇସ ଷ୍ଟାବିଲିଟ ଫଣ୍ଡ ଅଛି ଯାହାର ଲାଭ ସମସ୍ତ ରାଜ୍ୟ ନେଇପାରିବେ । ହେଲେ ରାଜ୍ୟ ସରକାର ଏବେ ସୁଦ୍ଧା ସେହି ଫଣ୍ଡର ଲାଭ ନେଉନାହାନ୍ତି । ସେହି ଫଣ୍ଡରୁ ରାଜ୍ୟ ସରକାର ନିଜେ ପିଆଜ କିଣି ଶସ୍ତାରେ ଯୋଗାଇ ପାରନ୍ତେ । ହେଲେ ରାଜ୍ୟ ସରକାର ତାହା କରୁନାହାନ୍ତି । ସେହିପରି କେନ୍ଦ୍ର ସରକାର ଯେବେଠୁ ଘୋଷଣା କଲେଣି ସମସ୍ତ ରାଜ୍ୟକୁ ପିଆଜ ଦେବେ ବୋଲି ଯଦି ଓଡିଶା ସରକାର ସେବେଠାରୁ କେନ୍ଦ୍ରକୁ ମାଗି ଥାଆନ୍ତେ ତା’ହେଲେ ଏବେ ଓଡିଶାରେ ପିଆଜ ଦର ନିୟନ୍ତ୍ରଣରେ ଥାଆନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ