ରାଜ୍ୟ ସ୍କାଉଟ୍ ଗାଇଡ଼୍ ସଂଗଠନ ଦ୍ୱାରା ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ଆନୁକୂଲ୍ୟରେ ଆଜି ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗାନ୍ଧି ଏବଂ ଶାସ୍ତ୍ରୀଙ୍କର ଜୟନ୍ତୀ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଅଛି । ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ୩୧୦ଜଣ ସ୍କାଉଟ ଏବଂ ଗାଇଡ୍ ଯୋଗଦେଇଥିଲେ । ପ୍ରଥମେ ସର୍ବଧର୍ମ ପ୍ରାର୍ଥନା, ଗାନ୍ଧିଜୀଙ୍କର ପ୍ରିୟ ଗୀତ ରାମଧୂନ ଏବଂ ବୈଷ୍ଣବ ଜନତୋ ଗୀତ ଗାଇ ଏହି ଜୟନ୍ତିକୁ ପାଳନ କରିଥିଲେ । ଏହି ଅବସରରେ ସ୍କାଉଟ ଗାଇଡ୍ ମାନଙ୍କ ମଧ୍ୟରେ ଗାନ୍ଧି ଓ ଶାସ୍ତ୍ରୀଙ୍କ ବେଶରେ ସଜ୍ଜିତ ହୋଇ ଏକ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ସହ ଫଳକ ପ୍ରଦାନ କରାଯାଇଥିଲା । ଶେଷରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏତଦ୍ବ୍ୟତୀତ ସ୍କାଉଟ ଏବଂ ଗାଇଡ୍ ମାନେ ଖଦୀ ବୋର୍ଡ ପରିସରରେ ପାଳିତ ହେଉଥିବା ଗାନ୍ଧିଜୀଙ୍କ ଜୟନ୍ତୀରେ ଯୋଗଦେଇଥିଲେ । ଏହି ଅବସରରେ ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଗାନ୍ଧିଜୀଙ୍କର ବିଭିନ୍ନ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ପ୍ରତ୍ୟେକ ସ୍କାଉଟସ୍ ଏବଂ ଗାଇଡସ୍ ଗାନ୍ଧୀଙ୍କର ନୀତି ଆଦର୍ଶକୁ ମାନି ଚଳିଲେ ଜୀବନରେ ବହୁ ଉନ୍ନତି ଲାଭ କରିପାରିବେ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମାନ୍ୟବର ବିଧାୟକ ଭଣ୍ଡାରିପୋଖରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ମାନ୍ୟବର ବିଧାୟକ ଭୁବନେଶ୍ୱର (ମଧ୍ୟ) ତଥା ଉପସଭାପତି, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ଉପରେ ବିଭିନ୍ନ ନିତି ଓ ଆଦର୍ଶ ବିଷୟରେ ନିଜ ବକ୍ତବ୍ୟରେ କହିଥିଲେ ।