ରାଜ୍ୟ ସ୍କାଉଟ ଓ ଗାଇଡ୍ ସଂଗଠନ ଦ୍ୱାରା ଅନ୍ତର୍ଜାତୀୟ ନିଶାନିବାରଣ ଦିବସ ପାଳିତ
ପ୍ରତିବର୍ଷ ଜୁନ୍ ମାସ ୨୬ ତାରିଖ ଦିନଟି ଅନ୍ତର୍ଜାତୀୟ ନିଶାନିବାରଣ ଦିବସ ରୂପେ ପାଳିତ ହେଉଛି । ବେଆଇନ୍ ନିଶାଦ୍ରବ୍ୟ ସେବନ ଓ କାରବାର ଦ୍ୱାରା ପ୍ରତିବର୍ଷ ବିପୁଳ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରୁଛନ୍ତି । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ଉଦ୍ୟମରେ ଏକ ସଚେତନତା ଶୋଭାଯାତ୍ରାରେ ୨୦୦ରୁ ଊଦ୍ଧ୍ୱର୍ ସ୍କାଉଟ ଏବଂ ଗାଇଡ୍ ମହାନଗର ନିଗମ କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି ଶୋଭାଯାତ୍ରାକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଭୁବନେଶ୍ୱର ମଧ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା ମହାନଗର ନିଗମ ଆୟୁକ୍ତଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନିଶା ସେବନର ଅପକାରିତା ଏବଂ ନିଶାଦ୍ରବ୍ୟର ଅବୈଧ କାରବାର ବିରୁଦ୍ଧରେ ସଚେତନାମୂଳକ ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ସ୍କାଉଟ ଓ ଗାଇଡ୍ମାନେ ଜନସଚେତନତା ସୃଷ୍ଟି କରିବାର ପ୍ରୟାସ କରିଥିଲେ । ରାଜ୍ୟ ସଂଗଠନର ସମସ୍ତ ଅଧିକାରୀ ତଥା ମହାନଗର ନିଗମର ବହୁ ପଦାଧିକାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ ।