ରାଣିପଡା ଠାରେ ପଞ୍ଚୁଦଣ୍ଡ ମହା ମିଳନ
କୋଦଳା, (ଗୁଲସନ କୁମାର କର):କୋଦଳା ନିକଟସ୍ଥ ସାନ ଉସ୍ତାପଡା ପଞ୍ଚାୟତ ଅନ୍ତର୍ଗତ ରାଣୀପଡା ଠାରେ ଆଜି ପଞ୍ଚୁଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ସହଯୋଗ ରେ ଏହି ପଞ୍ଚୁଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶାଳବଣ, ପଙ୍କାଳବାଡି, ମିରିଗିଲେଣ୍ଡି, ଗୋଲିଆ ଓ କାଲିମେଘି ଆଦି ୫ଟି ଗ୍ରାମର ଦଣ୍ଡଯାତ୍ରା ଦଳର ମହାକାଳୀ ଓ ମହାଦେବ ମିଳିତ ହୋଇଥିଲେ । ଏହି ମହାମିଳନ କାଳରେ ଝୁଣାର ମହକରେ ମିଳନ ସ୍ଥଳ ମହକିତ ହୋଇଥିବା ବେଳେ ଢୋଲ ଓ ଝାଞ୍ଜ ନାଦରେ ପ୍ରକମ୍ପିତ ହୋଇଥିଲା। ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ପଞ୍ଚ ଦଣ୍ଡଯାତ୍ରା ଦଳର ସାମୂହିକ ରାଣୀପଡା ଗ୍ରାମ ପରିକ୍ରମା କାଳରେ ପ୍ରତ୍ଯେକ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଦୃଶ୍ୟମାନ ହେବା ସହ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପଞ୍ଚ ଦଣ୍ଡ ଦଳର ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ଅନୁଷ୍ଠିତ ହୋଇଥିବା ବେଳେ ସଂନ୍ଧ୍ଯାରେ ଆଳତି କାର୍ଯ୍ୟକ୍ରମ ରହିଛି। ରାତିରେ ଦଣ୍ଡ ଦଳ ମାନଙ୍କ ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ନାଟକ ପରିବେଷଣ କରାଯିବ।


