ରାଧାକୃଷ୍ଣଙ୍କ ଜମି ବିକ୍ରି ସପକ୍ଷରେ କାର୍ଯ୍ୟାଳର ଦ୍ୱାରସ୍ଥ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କ ମନ୍ଦିର ଜମି ବିକ୍ରି ପ୍ରସଙ୍ଗ ସରଗରମ ହୋଇ ରାଜନୀତି ଉଷ୍ମ ହୋଇଛି । ଗ୍ରାମର କିଛି ବ୍ୟକ୍ତି ଜାଲିଆତି ଚଞ୍ଚକତା ପୂର୍ଣ୍ଣ ତଥା ସର୍ବ ସାଧାରଣଙ୍କ ଅଗୋଚରରେ ତରବରିଆ ଭାବେ ବିକ୍ରି କରିବା ମସୁଧା ଚଳାଇ ଥିବା ଅଭିଯୋଗ କରି ପୂର୍ବତନ ଉପ ନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ସ୍ଥାନୀୟ ଉପ ନିବନ୍ଧକଙ୍କ ଠାରେ ବିକ୍ରି ଦଲିଲ ରଦ୍ଦ କରିବା ପାଇଁ ନିବେଦନ କରିଥିଲେ । ନଚେତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଆମରଣ ଅନଶନ ପାଇଁ ସେମାନେ ଚେତାବନୀ ଦେଇଥିଲେ ପରେ ଏନେଇ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୪୨/୦୮-୦୯-୨୦ ଅନୁସାରେ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆବେଦନକାରୀ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ । ବିରୋଧୀ ଗୋଷ୍ଠୀର କଣ୍ଟ ପୂରଣ ହେବା ପରେ ଏହାକୁ ବିରୋଧ କରି ଗୁରୁବାର ଗ୍ରାମର ଆଉ କିଛି ବ୍ୟକ୍ତି ଏକତ୍ରିତ ହୋଇ ପୂର୍ବାହ୍ନରେ ପୁଣି ଜମି ବିକ୍ରି ସପକ୍ଷରେ ଉପ ନିବନ୍ଧକଙ୍କ ଠାରେ ଫେରାଦ ହୋଇଥିବା ଜଣାପଡିଛି । ସେମାନେ ଅଭିଯୋଗ କରିଛନ୍ତି ଯେ ରାଧାକୃଷ୍ଣ ମହାପ୍ରଭୁଙ୍କ ବହୁ ଜମି ଚାଷ ନହୋଇ ଅନାଦେୟ ଭାବେ ପଡି ରହିଥିବା ବେଳେ ମନ୍ଦିରରେ ପାରମ୍ପରିକ ଯାନୀ ଯାତ୍ରା ସହ ପୂଜାର୍ଚ୍ଚନାରେ ଘୋର ଅଭାବ ଅସୁବିଧା ଦେଖା ଦେଇଥିଲା । ଏଣୁ ମନ୍ଦିରର ଏଭଳି ପରିସ୍ଥିତି ସମ୍ପର୍କରେ ଓଡିଶା ସରକାରଙ୍କ ଏବଂ ଆଇନ ବିଭାଗ କମିଶନରଙ୍କ ନିଷ୍ପତ୍ତି ଏବଂ ତତ ସଂଲଗ୍ନ ଆଦେଶ ପ୍ରକାରେ ବିଭାଗୀୟ ନିରୀକ୍ଷକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ନିଲାମ ପ୍ରକ୍ରିୟା ହୋଇଥିବା ଜଣାପଡିଛି । ଏଥିରେ ସର୍ବୋଚ୍ଚ ନିଲାମ ଧାରୀଙ୍କ ସପକ୍ଷରେ ଦଲିଲ ରେଜିଷ୍ଟ୍ରେସନ ହୋଇଛି ବୋଲି ସେମାନେ କହିଛନ୍ତି । ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ ନିଷ୍ପତ୍ତି ପ୍ରତି ସେମାନେ ସମ୍ମାନ ଜଣାଇଛନ୍ତି । ଏଥିପାଇଁ କିଛି ଜମି ଦଲାଲ ଏବଂ ସହଯୋଗୀ ସରକାରଙ୍କ ନିଷ୍ପତ୍ତି ଏବଂ କାର୍ଯ୍ୟଶୈଳୀ ଉପରେ ବିରୋଧାଭାସ ସୃଷ୍ଟି କରି ଜନମତ ବିଭ୍ରାନ୍ତ କରିବାରେ ପ୍ରଚେଷ୍ଟା ଜାରି ରଖି ମନ୍ଦିର ପରିଚାଳନା ରେ ଅନ୍ତରାୟ ସୃଷ୍ଟି କରୁଥିବା ଦୋଷାରୋପ କରିଛନ୍ତି । ଏଣୁ ରାଧାକୃଷ୍ଣଙ୍କ ଜମି ବିକ୍ରି ଏବଂ ମନ୍ଦିର ସୁପରିଚାଳନା ସମ୍ପର୍କରେ ଏକ ନିବେଦନ ପତ୍ର ଉପ ନିବନ୍ଧକ ଦେବରାଜ ପାତ୍ରଙ୍କୁ ପ୍ରଦାନ କରି ବିହୀତ ପଦକ୍ଷେପ ଗ୍ରହଣ କରିବା ସକାଶେ ଭାଜରାମ ସାବତ, ସୁନାରାମ ସାବତ,ବିଷ୍ଣୁ ପ୍ରସାଦ ପଣ୍ଡା, ଜଗନ୍ନାଥ ପାଠୀ, ଲଡୁ କିଶୋର ବିଶ୍ୱାସରାୟ,କହ୍ନେୟାଲାଲ ସାବତ ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ଲିଖିତ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ